ଏଟିଏମ୍‌ ଓ ବ୍ୟାଙ୍କ ଲୁଟ୍‌ ଉଦ୍ୟମ: ୧୦ ଡକାୟତ ଗିରଫ

ଏଟିଏମ୍‌ ଓ ବ୍ୟାଙ୍କ ଲୁଟ୍‌ ଉଦ୍ୟମ: ୧୦ ଡକାୟତ ଗିରଫ

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଓ ଝୁମ୍ପୁରା ଅଞ୍ଚଳରେ ଥିବା ଏଟିଏମ୍‌ ଓ ବ୍ୟାଙ୍କରୁ ଲୁଟ୍‌ ପାଇଁ ଯୋଜନା କରୁଥିବା ବେଳେ ୧୦ ଜଣିଆ ଡକାୟତ ଦଳକୁ ମାଡ଼ି ବସିଛି ଚମ୍ପୁଆ ପୁଲିସ। ସେମାନଙ୍କଠାରୁ ବନ୍ଧୁକ, ଗୁଳି ସମେତ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି। ସମସ୍ତ ଅଭିଯୁକ୍ତ ଚମ୍ପୁଆ ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇଜଣ ନାବାଳକ ଅଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଚମ୍ପୁଆ ଏନ୍‌ଏସିର ପାଞ୍ଚପୋଖରିଆ ଗ୍ରାମ ଜଙ୍ଗଲରେ ଏକାଠି ହୋଇଥିଲେ ଏହି ଡକାୟତ ଦଳ। ସେମାନେ ଚମ୍ପୁଆ ଓ ଝୁମ୍ପୁରା ଅଞ୍ଚଳରେ ଥିବା ବ୍ୟାଙ୍କ ଓ ଏଟିଏମ୍‌ରୁ ଲୁଟ୍‌ କରିବାପାଇଁ ଯୋଜନା କରିଥିଲେ। ଖବର ପାଇ ପୁଲିସର ପାଟ୍ରୋଲିଂ ଟିମ୍‌ ସେଠାରେ ପହଞ୍ଚି ଯାଇଥିଲା। ପୁଲିସକୁ ଦେଖି ଦୁର୍ବୃତ୍ତମାନେ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ। ପୁଲିସ ଟିମ୍‌ ସେମାନଙ୍କୁ ମାଡ଼ି ବସିଥିଲା।

ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ ଚମ୍ପୁଆ ଥାନା କୋଦଗାଡ଼ିଆ ଗ୍ରାମର ସିପୁନ ବାରିକ, ଲିପୁନ ମହାକୁଡ଼, କମଳ ବାରିକ, ଜୟମଙ୍ଗଳପୁର ଗ୍ରାମର ଶୁଭାଶିଷ ବେହେରା, ଚମକପୁର ଗ୍ରାମର ଆକାଶ ଦାସ, ମଳୟ ନାଏକ, ସରାସପଶି ଗ୍ରାମର ମାନସ ରଞ୍ଜନ ମୁଣ୍ଡା, ରେଭେନ୍ସାପୁର ଗ୍ରାମର କୁନା ମହାକୁଡ଼ ଓ ଦୁଇ ଜଣ ନାବାଳକ ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ସିପୁନ ନାମରେ ଏକାଧିକ ଅପରାଧିକ ମାମଲା ରହିଥିବା ନେଇ ଚମ୍ପୁଆ ଏସ୍‌ଡିପିଓ ବିଜୟ କୁମାର ମଲ୍ଲିକ ଓ ଚମ୍ପୁଆ ଥାନା ଅଧିକାରୀ ଦେବକୀ ନାଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ୨ଟି ଗୁଳି, ୨ଟି ବଡ଼ କଟୁରି, ୩ଟି କ୍ରିକେଟ ଷ୍ଟମ୍ପ, ୫ ପକେଟ୍‌ ଲଙ୍କାଗୁଣ୍ଡ, ୮ଟି ମୋବାଇଲ ଫୋନ୍‌, ୪ଟି ମୁଖା, ୧୧ଟି ବିଅର ବୋତଲ, ୪୯୦୦ ଟଙ୍କା ସହ ଏକ ବୋଲେରୋ (ଓଆର-୦୯-ପି-୬୯୮୯) ଜବତ ହୋଇଛି। ଏନେଇ ଚମ୍ପୁଆ ଥାନାରେ କେସ ନ୍‌ମ୍ବର ୯୫/୨୪ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe