ପତ୍ନୀହନ୍ତାକୁ ଦଶବର୍ଷ ଜେଲ୍‌

Advertisment
ପତ୍ନୀହନ୍ତାକୁ ଦଶବର୍ଷ ଜେଲ୍‌

ଚମ୍ପୁଆ: ଏକ ହତ୍ୟା ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସରୋଜ କୁମାର ଦାସ ଝୁମ୍ପୁରା ଥାନା ଅର୍ଶଳା ଗ୍ରାମର କୁନାଲ ମହାନ୍ତ (୨୭)କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅର୍ଶଳା ଗ୍ରାମର କୁନାଲ ରାଇଗୋଡ଼ି ଗ୍ରାମର ଲିଲିମଣି ମହାନ୍ତ (୨୫)ଙ୍କୁ ୨୦୧୯ରେ ବିବାହ କରିଥିଲେ। ପରିବାର ପକ୍ଷରୁ ସକ୍ଷମ ଅନୁସାରେ ବିବାହ ସମୟରେ ଯୌତୁକ ଦିଆଯାଇଥିଲା। ପରେ ଶ୍ବଶୁର ଘର ପକ୍ଷରୁ ଏକ ବାଇକ୍‌, ପାୱାରଟିଲର ଓ ୧ ଲକ୍ଷ ଟଙ୍କା ଆଣିବାକୁ ଲିଲିମଣିଙ୍କ ଉପରେ ଚାପ ପକାଯାଉଥିଲା।

୨୦୨୦ ଫେବ୍ରୁଆରି ୧୬ ତାରିଖ ରାତିରେ କୁନାଲ ଓ ତାଙ୍କ ମା’ ଅଇଲା ମହାନ୍ତ ଲିଲିମଣିଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ହତ୍ୟା କରିଥିବା ତାଙ୍କ ଲିଲିମଣିଙ୍କ ମା’ ଦମୟନ୍ତୀ ମହାନ୍ତ ଝୁମ୍ପୁରା ଥାନାରେ ଅଭିଯୋଗ କରିଥିଲେ। ମୃତ୍ୟୁ ବେଳକୁ ଲିଲିମଣି ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏନେଇ ଝୁମ୍ପୁରା ଥାନାରେ କେସ୍‌ ନମ୍ବର ୫/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ ସ୍ବାମୀ କୁନାଲକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସରୋଜ କୁମାର ଦାସ ଦୋଷୀ କୁନାଲ ମହାନ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ୍‌ ବୋଲି ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମଧୁସୂଦନ ପତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe