LAW-INSIDER
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୌରାଜଜ୍ ଅଶୋକ କୁମାର ପଣ୍ଡା ଏକ ଦୁଷ୍କର୍ମ ମାମଲାର ବିଚାର କରି କେନ୍ଦୁଝର ସଦର ଥାନା ଅଞ୍ଚଳର ସଂଜୟ ନାଏକ (୨୩) ଓ ସିପୁନ ଓରଫ କଳ୍ପତରୁ ମହାନ୍ତ (୨୨)କୁ ଦୋଷୀ ସାବ୍ୟସ୍ତ କରିବା ସହ ଉଭୟଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୩ ମାସ ଜେଲ୍ ବୋଲି କୋର୍ଟ ରାୟ ଦେଇଛନ୍ତି। ଲକ୍ଷ୍ମୀପୂଜା ଭସାଣି ଉତ୍ସବ ଚାଲିଥିବା ସମୟରେ ଜଣେ ଯୁବତୀ ପରିସ୍ରା କରିବାକୁ ନିଜ ଘର ପଛକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତମାନେ ତାଙ୍କ ପିଛା କରିଥିଲେ। ଯୁବତୀଙ୍କ ପାଟିକୁ ଚାପି ଧରି ଆମ୍ବଡ଼ାଗଛ ମୂଳକୁ ଟେକି ନେଇଥିଲେ। ଯୁବତୀଙ୍କ ଦୁଇହାତ ବାନ୍ଧି ଜଣକ ପରେ ଜଣେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ।
ଏ ସମ୍ପର୍କରେ ଯୁବତୀ ନିଜ ଭଉଣୀ ଓ ଭିଣୋଇକୁ ଜଣାଇଥିଲେ। ଏନେଇ କେନ୍ଦୁଝର ସଦର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ କେସ୍ ନମ୍ବର ୪୩୮/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲେ। ଆଜି ଜିଲ୍ଲା ଦୌରାଜଜ୍ ଅଶୋକ କୁମାର ପଣ୍ଡା ୧୫ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଦୋଷୀମାନଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତାଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଡିଏଲ୍ଏସ୍ଏ କେନ୍ଦୁଝରକୁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ରାଜକିଶୋର ଭୂୟାଁ ମାମଲା ପରିଚାଳନା କରୁଥିଲେ।
Follow Us