ତୃତୀୟ ଦିନରେ ରାସ୍ତାରୋକ: ୩ ଦିନରେ ଓଏମ୍‌ସିର‌ ୩୦ କୋଟି କ୍ଷତି

Advertisment
ତୃତୀୟ ଦିନରେ ରାସ୍ତାରୋକ: ୩ ଦିନରେ ଓଏମ୍‌ସିର‌ ୩୦ କୋଟି କ୍ଷତି

ଦୈତାରି/ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବ୍ରାହ୍ମଣୀପାଳଠାରେ ୱାଗନ ଲୋଡିଂ ଶ୍ରମିକଙ୍କ ଦ୍ଵାରା ବ୍ରାହ୍ମଣୀପାଳ-ଦୈତାରି ରାସ୍ତା ଅବରୋଧ ଗତକାଲି ତୃତୀୟ ଦିନରେ ପହଞ୍ଚିଥିଲା। ଫଳରେ ସଡ଼କ ଯୋଗେ ଖଣିଜ ପରିବହନ ବାଧାପ୍ରାପ୍ତ ହୋଇଥିଲା। ଏଥିଯୋଗୁଁ ୩ ଦିନରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ୩୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହୋଇଛି ବୋଲି ଜଣେ ଖଣି ଅଧିକାରୀ କହିଛନ୍ତି। ରାସ୍ତାକଡ଼ରେ ଶହଶହ ଖଣିଜ ବୋଝେଇ ଟ୍ରକ ଛିଡ଼ାହୋଇଛି। ୬୦ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଖଣିଜ ପରିବହନ ବନ୍ଦ ରହିଛି। ଏହାଦ୍ଵାରା ସରକାରଙ୍କ ବିପୁଳ ରାଜସ୍ବ ହାନି ହୋଇଛି। ତୃତୀୟ ଦିନରେ ପ୍ରବଳ ବର୍ଷା ସତ୍ତ୍ୱେ ରାସ୍ତାରେ ଶହଶହ ଶ୍ରମିକ ଓ ସେମାନଙ୍କ ପରିବାର ଦିନରାତି ବସି ରହିଛନ୍ତି।
ଗତକାଲି ଆନ୍ଦୋଳନସ୍ଥଳରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୀପକ ଜେନା ପହଞ୍ଚି ଆନ୍ଦୋଳନରତ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ସେ ଦୈତାରି ଓଏମ୍‌ସିର ଆଞ୍ଚଳିକ ପରିଚାଳକ ବିଭୂତି ଭୂଷଣ ନାୟକଙ୍କୁ ଭେଟି ଘଟଣାର ସ୍ଥାୟୀ ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ। ଏ ବିଷୟରେ ସେ ଅବଗତ ଅଛନ୍ତି। ଏହି ସମସ୍ୟା ସମ୍ପର୍କରେ ଓଏମ୍‌ସି ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ବର୍ଷାକୁ ଖାତିର ନ କରି ଦିନରାତି ରାସ୍ତା ଉପରେ ଶହଶହ ଶ୍ରମିକ ବସି ରହିଥିବାରୁ ଅସନ୍ତୋଷ ବଢ଼ିଚାଲିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକ ନେତାମାନେ ଚେତାବନୀ ଦେଇଛନ୍ତି।

ଆଜି ସ୍କୁଲ ବସ୍, ଦମକଳ ଓ ଆମ୍ବୁଲାନ୍ସକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଯାତ୍ରୀବାହୀ ଓ ମାଲ୍‌ ପରିବହନ କରୁଥିବା ଗାଡ଼ିଗୁଡ଼ିକୁ ଛଡ଼ାଯାଉନଥିବା ଜଣାଯାଇଛି। ଆଇନ୍‌ଶୃଙ୍ଖଳା ରକ୍ଷା କରିବା ପାଇଁ ୧ ପ୍ଲାଟୁନ ପୁଲିସ ଫୋର୍ସ ସହ ଦୈତାରି ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ଲାକ୍ରା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିବା ସହ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe