ରାସ୍ତା ନିର୍ମାଣ ହେଉନଥିବାରୁ କାମରେ ଲାଗୁନି ଝୁଲାପୋଲ

Advertisment
ରାସ୍ତା ନିର୍ମାଣ ହେଉନଥିବାରୁ କାମରେ ଲାଗୁନି ଝୁଲାପୋଲ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ଓ ଜିରାଙ୍ଗ ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ପାଇଁ ସରକାର ୭ ବର୍ଷ ତଳେ ବନ୍ଧପଡ଼ା ଗ୍ରାମ ନିକଟ ମୁଷଳନଦୀ ଉପରେ ଏକ ଝୁଲାପୋଲ ନିର୍ମାଣ କରିଥିଲେ। ଏଥିପାଇଁ ସାଢ଼େ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା। ପୋଲର ଉଭୟ ପାର୍ଶ୍ୱ ରାସ୍ତା ଶୋଚନୀୟ ହୋଇଥିବାରୁ ବର୍ଷାଦିନେ ଏହି ଝୁଲାପୋଲ ଲୋକଙ୍କ କାମରେ ଲାଗିପାରୁ ନଥିବା ଅଭିଯୋଗ ହୋଇଛି।
ବଡ଼ପଳାଶପାଳ ଗ୍ରାମର ଗିରିସାହି ଛକରୁ ଜିରାଙ୍ଗ ପଞ୍ଚାୟତ ଟାଙ୍ଗରପଡ଼ା ଭାୟା ବନ୍ଧପଡ଼ା ଦୂରତା ମାତ୍ର ଅଢ଼େଇ କିଲୋମିଟର। ଏହି ମାଟି, ମୋରମ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଥିବାରୁ ବର୍ଷାଦିନେ ପାଣି ଜମି ଅବସ୍ଥା ବେହାଲ ହେଉଛି। ଚାରିଚକିଆ ଗାଡ଼ି ତ ଦୂରର କଥା ବାଇକ୍‌, ସାଇକଲ ଯିବାରେ ସମସ୍ୟା ହେଉଛି। ଦେଢ଼ କିଲୋମିଟର ରାସ୍ତା ବଡ଼ପଳାଶପାଳ ପଞ୍ଚାୟତ ଅଧୀନରେ ଥିବାବେଳେ ଏକ କିଲୋମିଟର ରାସ୍ତା ଜିରାଙ୍ଗ ପଞ୍ଚାୟତ ଅଧୀନରେ ରହିଛି। ପ୍ରଶାସନ ପକ୍ଷରୁ ଏହି ରାସ୍ତାକୁ ସବୁଦିନିଆ ରାସ୍ତାରେ ପରିଣତ କରାଯାଉ ନଥିବାରୁ ଉଭୟ ପଞ୍ଚାୟତବାସୀ ହଇରାଣ ହରକତ ହେଉଛନ୍ତି।

ବଡ଼ପଳାଶପାଳରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଥିବାବେଳେ ଜିରାଙ୍ଗ ପଞ୍ଚାୟତ କଳାପାଟ ଗ୍ରାମରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ସ୍ୱାସ୍ଥ୍ୟସେବା ପାଇଁ ବଡ଼ପଳାଶପାଳ ପଞ୍ଚାୟତବାସୀ ଜିରାଙ୍ଗ ପଞ୍ଚାୟତ ଉପରେ ନିର୍ଭର କରୁଥିବା ବେଳେ ଜିରାଙ୍ଗ ପଞ୍ଚାୟତବାସୀ ଜମିଜମା କାମପାଇଁ ବଡ଼ପଳାଶପାଳ ଆସିଥାନ୍ତି। ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଉଭୟ ପଞ୍ଚାୟତବାସୀ ଭାୟା ତମ୍ବାହରା ଗ୍ରାମ ଦେଇ ଯାତାୟାତ କରୁଛନ୍ତି। ଯାତାୟାତରେ ସୁବିଧା ପାଇଁ ଝୁଲାପୋଲ ନିର୍ମାଣ ହୋଇଥିଲେ ମଧ୍ୟ ଏହା କାମରେ ଲାଗୁନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବାକୁ ଜିରାଙ୍ଗ ଓ ବଡ଼ପଳାଶପାଳ ପଞ୍ଚାୟତବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe