ଜନ୍ତାରିରେ ବିଜେପି ପ୍ରତିନିଧି ଦଳ: ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନର ଚେତାବନୀ

Advertisment
ଜନ୍ତାରିରେ ବିଜେପି ପ୍ରତିନିଧି ଦଳ: ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନର ଚେତାବନୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତର ଜନ୍ତାରି ଗ୍ରାମରେ ପଡ଼ିନି ବିକାଶର ଛାଇ। ଜୁଆଙ୍ଗ ଜନଜାତିର ଲୋକେ ରହୁଥିବା ଏହି ଗ୍ରାମର ବିକାଶ ପାଇଁ ସରକାର କୋଟିକୋଟି ଟଙ୍କା ବ୍ୟୟ କରିଥିବା କାଗଜପତ୍ରରେ ଦର୍ଶାଯାଇଛି। କିନ୍ତୁ ଏଠାରେ ଫଳ ଶୂନ। ଦୂଷିତ ପାଣି ପିଇ ଜୁଆଙ୍ଗ ସାହିର ୧୧ ଜଣ ଲୋକଙ୍କ ମାସକ ମଧ୍ୟରେ ମୃତ୍ୟୁ ଘଟିଛି। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଜନ୍ତାରି ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗ୍ରାମରେ ଜଣେ ହେଲେ ବି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିନାହିଁ। ପିଇବା ପାଣିର କୌଣସି ବ୍ୟବସ୍ଥା ନାହିଁ। ଲୋକେ ନାଳ ଓ ଚୁଆପାଣି ପିଉଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ କଥା ନ କହିଲେ ଭଲ। ଲୋକେ ଅତି ଦୟନୀୟ ଅବସ୍ଥାରେ ରହୁଥିବାର ବିଜେପି ପ୍ରତିନିଧି ଦଳ କହିଛନ୍ତି। ଗୋଟିଏ ପରିବାରର ତିନିଜଣ ସୁନିଆ ଜୁଆଙ୍ଗ (୩୫), ପତ୍ନୀ ରଶ୍ମି ଜୁଆଙ୍ଗ (୩୦) ଓ ସେମାନଙ୍କର ଦୁଇମାସର ଶିଶୁକନ୍ୟାଙ୍କ ମୃତ୍ୟୁ ପରେ ୪ଝିଅ ପୁଷ୍ପାଞ୍ଜଳି (୧୨), ସାବିତ୍ରୀ (୧୦), ରଞ୍ଜିତା (୭) ଓ ନିର୍ମଳା ଜୁଆଙ୍ଗ (୧) ଅନାଥ ହୋଇଯାଇଛନ୍ତି। ୮୦ ବର୍ଷୀୟା ଜେଜେମା ଚାକିରି ଜୁଆଙ୍ଗ ସେମାନଙ୍କ ଲାଳନପାଳନ କରୁଛନ୍ତି। ଭଙ୍ଗାଘରେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି। ଏହିବୁ ସମସ୍ୟା ବିଷୟରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅବଗତ ଥିଲେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ବିଜେପି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି।
ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଗ୍ରାମରେ ବୁଲି ଲୋକଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ସମସ୍ୟାର ସମାଧାନ ନକଲେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏହି ପ୍ରତିନିଧି ଦଳରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଭାଗୀରଥି ସିଂ, ବିଜେପି ରାଜ୍ୟ କର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ, ସତ୍ୟବ୍ରତ ନାୟକ, ଶ୍ରୀଧର ସାହୁ, ଶଙ୍କର୍ଷଣ ଜେନା, ବିଜେପି ଘସିପୁରା ନିର୍ବାଚନମଣ୍ଡଳୀ ପ୍ରଭାରୀ ସୁବ୍ରତ କୁମାର ମହାନ୍ତି, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ରାଜେଶ କୁମାର ସିଂହ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe