ମଣ୍ଡି ଖୋଲିବା ଆଗରୁ ବୋହିନେଲେ ବେପାରୀ: ସର୍ବାଧିକ ୫୦ କୁଇଣ୍ଟାଲ ଧାନକିଣା ନିୟମକୁ ନେଇ ଅସନ୍ତୋଷ

Advertisment
ମଣ୍ଡି ଖୋଲିବା ଆଗରୁ ବୋହିନେଲେ ବେପାରୀ: ସର୍ବାଧିକ ୫୦ କୁଇଣ୍ଟାଲ ଧାନକିଣା ନିୟମକୁ ନେଇ ଅସନ୍ତୋଷ

ତେଲକୋଇ: ଆସନ୍ତା ୧୫ରୁ କେନ୍ଦୁଝର ଜିଲ୍ଲାରେ ମଣ୍ଡି ଖୋଲାଯାଇ ଧାନ ସଂଗ୍ରହ ଆରମ୍ଭ ହେବ। ହେଲେ ଏହା ପୂର୍ବରୁ ତେଲକୋଇ ବ୍ଲକ୍‌ରେ ଦେଖାଦେଲାଣି ଧାନର ଅଭାବୀ ବିକ୍ରି। ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚା‌ଷୀମାନେ ବାଧ୍ୟ ହୋଇ କୁଇଣ୍ଟାଲ ପିଛା ୧୫ ଶହ ଟଙ୍କାରେ ବେପାରୀଙ୍କୁ ଧାନ ବିକି ‌ଦେଉଛନ୍ତି। ମଣ୍ଡି ଖୋଲିବା ଆଗରୁ ଚାଷୀଙ୍କ ଖଳାରୁ ଧାନ ଶେଷ ହେବାକୁ ବସିଥିବା ବେଳେ ମିଲରଙ୍କ ଗୋଦାମ ଭର୍ତ୍ତି ହୋଇଯାଉଛି। ଅନ୍ୟପକ୍ଷରେ ଜଣେ ଚାଷୀ ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ୫୦ କୁଇଣ୍ଟାଲ ଧାନ ବିକ୍ରି କରିପାରିବେ ବୋଲି ଲ୍ୟାମ୍ପସ ପକ୍ଷରୁ କୁହାଯାଉଛି। ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ତେଲକୋଇ ବ୍ଲକ୍‌ରେ ୩ଟି ଲ୍ୟାମ୍ପସ ପକ୍ଷରୁ ୩ ହଜାର ୫୮୪ଜଣ ଚାଷୀଙ୍କ ନିକଟରୁ ୧ ଲକ୍ଷ ୬୫ ହଜାର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ତେଲକୋଇ ଲ୍ୟାମ୍ପସ ପକ୍ଷରୁ ୧୭୬୦ଜଣ ଚାଷୀଙ୍କ ନିକଟରୁ ୯୦ ହଜାର କୁଇଣ୍ଟାଲ, ଶିରିଗିଡ଼ାରେ ୧୦୧୨ଜଣଙ୍କ ଠାରୁ ୪୦ ହଜାର ଓ କାଳିଆହତା ଲ୍ୟାମ୍ପସ ପକ୍ଷରୁ ୮୧୨ଜଣ ଚାଷୀଙ୍କ ନିକଟରୁ ୩୫ ହଜାର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଚାଷୀ କୁଇଣ୍ଟାଲ ପିଛା ୧୫୦୦ ଟଙ୍କାରେ ବେପାରୀଙ୍କୁ ଧାନ ବିକୁଛନ୍ତି। ଜିଲ୍ଲା ବାହାରର ବେପାରୀମାନେ ଗାଁ ଗାଁରେ ବୁଲୁଛନ୍ତି। ଗାଡ଼ି ଲଗାଇ ଚାଷୀଙ୍କ ଖଳାରୁ ଧାନ ବୋହି ନେଉଥିବା ଦେଖିବାକୁ ମିଳୁଛି। ସରକାରୀ ମଣ୍ଡିରେ ଧାନ କୁଇଣ୍ଟାଲ ୨୩ ଶହ ଟଙ୍କା ଥିବା ବେଳେ ୮ ଶହ ଟଙ୍କା କମରେ ଦେଇ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଖୁଣ୍ଟାପଡ଼ା ଗ୍ରାମର ଚାଷୀ ବିଦେଶୀ ଦେହୁରୀ କହିଛନ୍ତି, ମଣ୍ଡି ନ ଖୋଲିବାରୁ ଭାଗଚାଷ କରି ଯାହା ଧାନ ଅମଳ କରିଥିଲେ ତାହାକୁ ବେପାରୀକୁ ଦେଇଛନ୍ତି। ୧୩୦୦ ଟଙ୍କା ମୂଲ୍ୟରେ ୧୬ କୁଇଣ୍ଟାଲ ଏବଂ ୧୫୦୦ ଟଙ୍କା ମୂଲ୍ୟରେ ୧୨ କୁଇଣ୍ଟାଲ ଧାନ ବିକିଥିବା ସେ କହିଛନ୍ତି। ସେହିପରି ଅଭୟ କୁମାର ପ୍ରଧାନ କୁଇଣ୍ଟାଲ ପିଛା ୧୫୦୦ ଟଙ୍କା ଏବଂ ଗୋଳାବନ୍ଧ ଗ୍ରାମର ଅନନ୍ତ ଚରଣ ସାହୁ କୁଇଣ୍ଟାଲ ପିଛା ୧୬୦୦ ଟଙ୍କାରେ ବେପାରୀମାନଙ୍କୁ ଧାନ ବିକ୍ରି କରିଥିବା କହିଛନ୍ତି।
ଅନ୍ୟପକ୍ଷରେ ମଣ୍ଡି ଖୋଲିବା ପୂର୍ବରୁ ଧାନକିଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି। ସରକାର ସାଟେଲାଇଟ୍ ସର୍ଭେଠାରୁ ଆରମ୍ଭ କରି କ୍ଷେତ୍ର ପରିଦର୍ଶନ କରିବା ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିଛନ୍ତି। ମିଳିଥିବା ଟୋକନ ଅନୁଯାୟୀ ଧାନ ବିକିବେ ବୋଲି ଚାଷୀମାନେ ଜିଦ୍‌ ଧରିଛନ୍ତି। ଏପଟେ ଲ୍ୟାମ୍ପସ୍ କର୍ତ୍ତୃପକ୍ଷ ଜଣେ ଚାଷୀ ସର୍ବାଧିକ ୫୦ କୁଇଣ୍ଟାଲ ଧାନ ବିକି ପାରିବେ ବୋଲି କହୁଛନ୍ତି। ଏନେଇ ତେଲକୋଇ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ କେଶବ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ, ପ୍ରଥମ ପର୍ଯ୍ୟାୟରେ ଜଣେ ଚାଷୀଙ୍କଠାରୁ ସର୍ବାଧିକ ୫୦ କୁଇଣ୍ଟାଲ ଧାନ କିଣିବାପାଇଁ ଜିଲ୍ଲାପାଳ ଚିଠି କରିଛନ୍ତି। ପରବର୍ତ୍ତୀ ସମୟରେ ଏହାର ପୁନର୍ବିଚାର କରାଯାଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe