କେନ୍ଦୁଝର: ଏକ ପାଞ୍ଚଟଙ୍କିଆ କଏନ୍ ଗିଳି ଜଣେ ଶିଶୁ ଗୁରୁତର ହୋଇଛି। ତାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଝୁମ୍ପୁରା ବ୍ଲକ ବଡ଼ନେଉଳି ଗ୍ରାମର ଗଣେଶ୍ୱର ମୁଣ୍ଡାଙ୍କ ୫ ବର୍ଷର ପୁଅ ବିଜୟ ଗତକାଲି ସନ୍ଧ୍ୟାରେ ଘର ପାଖ ଦୋକାନକୁ ଚକୋଲେଟ୍ କିଣିବା ପାଇଁ ଏକ ପାଞ୍ଚଟଙ୍କିଆ କଏନ୍ ନେଇ ଯାଇଥିଲା। ରାସ୍ତାରେ ସେ କଏନ୍ଟିକୁ ପାଟିରେ ପୁରାଇଥିଲା। ଅସାବଧାନତା ଯୋଗୁ କଏନ୍ଟି ତଣ୍ଟିରେ ଲାଗିଯାଇଥିଲା। ଫଳରେ ବିଜୟ ପ୍ରବଳ କାନ୍ଦିଥିଲା। ତାର କାନ୍ଦ ଶୁଣି ଲୋକେ ଠୁଳ ହୋଇଯାଇଥିଲେ। କଏନକୁ ବାହାର କରିବା ପାଇଁ ବହୁତ ଚେଷ୍ଟା କରାଯାଇଥିଲା। ହେଲେ ବାହାରିନଥିଲା।
ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ବହୁ ଚେଷ୍ଟା କରିବା ପରେ ମଧ୍ୟ କାଏନ୍ଟିକୁ ବାହାର କରିବାରେ ବିଫଳ ହୋଇଥିଲେ। ଶିଶୁଟିକୁ କଟକ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଗଣେଶ୍ୱରଙ୍କ ପାଖରେ ଟଙ୍କା ନଥିବାରୁ ପୁଅକୁ କଟକ ନେଇପାରିନଥିଲେ। ପୁଅର ଅବସ୍ଥା ବିଗିଡି ଯାଉଥିବା ଦେଖି ବାପାମାଆ ବିକଳ ହେଉଥିବା ବେଳେ ପୂର୍ବତନ କାଉନସିଲର ଭୂବନ ନାଏକ ସାହାଯ୍ୟର ହାତ ବଢ଼େଇଥିଲେ। ମାଗଣାରେ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ। ଆମ୍ବୁଲାନ୍ସରେ ବିଜୟକୁ କଟକ ବଡ଼ ଡାକ୍ତରଖାନା ନିଆଯାଇଛି।
୫ଟଙ୍କିଆ ମୁଦ୍ରା ଗିଳି ଶିଶୁ ଗୁରୁତର
Advertisment
Follow Us