ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକର ଦୁର୍ଗମ ରେବଣାପଳାଶପାଳ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା ଘରକୁ ସମ୍ପୂର୍ଣ୍ଣ ଭଙ୍ଗା ନଯାଇ ଉକ୍ତ ଘରେ ନୂଆ ଛାତ ପକାଇବାକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ୧୯୮୩ରେ ପ୍ରତିଷ୍ଠା ହୋଇଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ରେବଣାପଳାଶପାଳ, ସୁନାପେଣ୍ଠ ଓ ବରେଇଗୋଡ଼ା ପଞ୍ଚାୟତର ୨୦ ହଜାର ଲୋକ ନିର୍ଭର କରୁଛନ୍ତି। ୧୦ ବର୍ଷ ହେଲା ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ପିପିପି ମୋଡରେ ଆର୍ଭିଡିଓ ଅନୁଷ୍ଠାନ ପରିଚାଳନା କରୁଛି। ଏଠାରେ ଦୁଇଜଣ ଡାକ୍ତରଙ୍କ ସମେତ ୧୦ଜଣ କର୍ମଚାରୀ ଅଛନ୍ତି।
୪୦ ବର୍ଷ ପୂର୍ବରୁ ନିର୍ମିତ ଡାକ୍ତରଖାନା ଗୃହର ଛାତ ଭାଙ୍ଗି ନୂତନ ଭାବେ ଛାତ ପକାଯାଉଛି। ପୁରୁଣା ଗୃହର ପିଲାର ନଥିବା ବେଳେ କାନ୍ଥ ଫାଟିବା ସହ ଝରକା ଓ ବିଭିନ୍ନ ସ୍ଥାନରେ ଭାଙ୍ଗିଯାଇଛି। ପୁରୁଣା ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ନୂତନ ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ଡାକ୍ତରଖାନାରେ ୧୦ଜଣ କର୍ମଚାରୀ ଥିବାବେଳେ ସେମାନଙ୍କ ପାଇଁ ମାତ୍ର ଦୁଇଟି କ୍ବାର୍ଟର୍ସ ଅଛି। ସେଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି। କ୍ବାର୍ଟର୍ସ ନଥିବାରୁ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରଖାନାର ନୂତନ ଗୃହ ଓ କ୍ବାର୍ଟର୍ସ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Follow Us