ବଢ଼ୁଛି ନକଲି ମୃଦୁପାନୀୟ ଓ ପାଣି ବିକ୍ରି, ସ୍ବାସ୍ଥ୍ୟ ବିଭାଗ ବେଫିକର

Advertisment
ବଢ଼ୁଛି ନକଲି ମୃଦୁପାନୀୟ ଓ ପାଣି ବିକ୍ରି, ସ୍ବାସ୍ଥ୍ୟ ବିଭାଗ ବେଫିକର

ଆନନ୍ଦପୁର: ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଥିବା ବେଳେ ବଜାରରେ ପାଣି ବୋତଲ ଓ ମୃଦୁପାନୀୟର ଚାହିଦା ବୃଦ୍ଧି ପାଇଛି। ଏହାର ସୁଯୋଗ ନେଇ କିଛି ବ୍ୟକ୍ତି ଆନନ୍ଦପୁର ଓ ଘସିପୁରା ଅଞ୍ଚଳରେ ନକଲି ମୃଦୁପାନୀୟ ଓ ପାଣି ବୋତଲ ବିକ୍ରି କରୁଛନ୍ତି। ବିଭିନ୍ନ ନାମୀଦାମୀ କମ୍ପାନିର ଅବିକଳ ପ୍ୟାକିଂ କରି ବଜାରରେ ଏସବୁ ବିକ୍ରି କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏସବୁ ମୃଦୁପାନୀୟ ଓ ପାଣି ବୋତଲ ଦର ଅପେକ୍ଷାକୃତ ଶସ୍ତା ହୋଇଥିବା ବେଳେ ମନଲୋଭା ଯୋଜନା ‌ଯୋଗୁଁ ଦୋକାନୀମାନେ ମଧ୍ୟ ଅଧିକ ଲାଭ ପାଇବା ଆଶାରେ ରଖୁଛନ୍ତି। ସେହିପରି ପାଣି ଓ ମୃଦୁପାନୀୟ ବୋତଲ ଉପରେ ଆଏସ୍ଆଇ ମାର୍କ ମରାଯାଉଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ପାଣି, ମୃଦୁପାନୀୟ ଏବଂ ନକଲି ପାଣି ଓ ମୃଦୁପାନୀୟ ପାଇକାରି ଦର ସମାନ ରହୁଛି। ମିନେରାଲ ପାଣି ନାମରେ କେବଳ ପାଇପ ପାଣି ଦିଆଯାଉଥିବା ନେଇ ଘସିପୁରାର ଜଣେ ଗ୍ରାହକ ପ୍ରକାଶ ସାହୁ କହିଛନ୍ତି। ସେହିପରି ଆମ୍ବ, କମଳା, ଲିଚି ଆଦି ବିଭିନ୍ନ ପ୍ରକାର ମୃଦୁପାନୀୟ ଉପଲବ୍ଧ ହେଉଛି। ଏସବୁରେ ରଙ୍ଗ ମିଶା ଯାଉଥିବା ଅଭିଯୋଗ ହୋଇଛି। କମ୍ପାନିଗୁଡ଼ିକର କୌଣସି ଠିକଣା ନଥବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାର ପ୍ୟାକିଂ ହେଉଥିବା ଜଣାପଡ଼ିଛି। ଦୋକାନୀମାନେ ୫ ଟଙ୍କାରେ କିଣି ୧୦ ଟଙ୍କାରେ ବିକ୍ରି କରୁଥିବାରୁ ସେମାନେ ଏହାକୁ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ନକଲି ମୃଦୁପାନୀୟ ପିଇ ଛୋଟଛୋଟ ପିଲାମାନେ ଅସୁସ୍ଥ ହେଉଥିବା ନଜରକୁ ଆସିଛି। ଅନେକ ମୃଦୁପାନୀୟ ବୋତଲରେ ପ୍ୟାକିଂ ଓ ବ୍ୟବହାର ତାରିଖ ରହୁନଥିବାରୁ ଏହାର ମାନ ଉପରେ ସନ୍ଦେହ ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ ଏହାର ମାନ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe