କେନ୍ଦୁଝର ଚାଷୀଙ୍କୁ ମିଳୁନି କେନାଲ ପାଣି

Advertisment

କାଗଜକଲମରେ ଜଳସେଚନ, ରାଜନୈତିକ ଇଚ୍ଛାଶକ୍ତି ମୁଖ୍ୟ ପ୍ରତିବନ୍ଧକ

କାଗଜକଲମରେ ଜଳସେଚନ, ରାଜନୈତିକ ଇଚ୍ଛାଶକ୍ତି ମୁଖ୍ୟ ପ୍ରତିବନ୍ଧକ

କେନ୍ଦୁଝର ଚାଷୀଙ୍କୁ ମିଳୁନି କେନାଲ ପାଣି

କେନ୍ଦୁଝର : କୃଷିଭିତ୍ତିକ ଜିଲ୍ଲା କେନ୍ଦୁଝରର ଚାଷୀଙ୍କୁ ମିଳୁନି ଜଳସେଚନ ବ୍ୟବସ୍ଥାର ସୁଫଳ। ଅଧିକାଂଶ ଚାଷଜମି କେନାଲ ପାଣିରୁ ବଞ୍ଚିତ। ବର୍ଷ ବର୍ଷ ଧରି ଏହି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ରେଙ୍ଗାଲି ବାମ ପାର୍ଶ୍ବ କେନାଲ, ଆନନ୍ଦପୁର ବ୍ୟାରେଜ୍‌ ଦକ୍ଷିଣ ପାର୍ଶ୍ବ କେନାଲ ଏବଂ ଦେ ନଦୀ ବନ୍ଧ ପ୍ରକଳ୍ପର ବାମ ପାର୍ଶ୍ବ କେନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ‌ହୋଇ ପାରୁନାହିଁ। କେବଳ କାଗଜପତ୍ରରେ ସୀମିତ ରହିଛି କେନ୍ଦୁଝର ଜିଲ୍ଲାର କେନାଲ ନିର୍ମାଣ ଏବଂ ଜଳସେଚନ ବ୍ୟବସ୍ଥା। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ‌ଏଭଳି ଅବସ୍ଥା ଉପୁଜୁଛି। ସେପଟେ ପ୍ରଶାସନିକ ତତ୍ପରତା ମଧ୍ୟ ଦେଖାଯାଉ ନାହିଁ।

କେନ୍ଦୁଝର ଜିଲ୍ଲା ଏକ ପାହାଡ଼ିଆ ଜିଲ୍ଲା ହୋଇଥିବାରୁ ଏଠାରେ ଜଳ ସେଚନ ସୁବିଧା ପାଇଁ ଏକାଧିକ ପ୍ରକଳ୍ପ ହାତକୁ ନିଆଯାଇଛି। ମାତ୍ର କୌଣସି ଗୋଟିଏ ହେଲେ ପ୍ରକଳ୍ପ ଠିକ୍‌ଭାବେ କାର୍ଯ୍ୟକ୍ଷମ ହୋଇ ନାହିଁ। କାନପୁର ଜଳସେଚନ ପ୍ରକଳ୍ପ ଠାରୁ ଆରମ୍ଭ କରି ରେଙ୍ଗାଲି ଦକ୍ଷିଣ ପାର୍ଶ୍ବ କେନାଲ, ଆନନ୍ଦପୁର ବ୍ୟାରେଜ୍‌ ଦକ୍ଷିଣ ପାର୍ଶ୍ବ କେନାଲ ଏବଂ ଦେ ନଦୀ ବନ୍ଧ ପ୍ରକଳ୍ପର ବାମ ପାର୍ଶ୍ବ କେନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ‌ହୋଇପାରୁନାହିଁ। ସମଲ ବ୍ୟାରେଜରୁ ଆସିଥିବା ରେଙ୍ଗାଲି ବାମ ପାର୍ଶ୍ବ କେନାଲ ହେଲେ କେନ୍ଦୁଝର ଜିଲ୍ଲାର ପ୍ରାୟ ୧୪ ହଜାର ହେକ୍ଟର ଜମି ଜଳସେଚିତ ହେବ। ଏହି କେନାଲ ନିର୍ମାଣ ୨୦୨୩ ମସିହା ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏ ଯାଏଁ ମାଟି ମୁଠାଏ ବି ଖୋଳା ହୋଇନାହିଁ।

ମୟୂରଭଞ୍ଜରୁ ବାହାରିଥିବା ଦେ ନଦୀ ବ୍ୟାରେଜରୁ ଦୁଇଟି କେନାଲ ପାଇଁ ଯୋଜନା ହୋଇଛି। ଗୋଟିଏ ଦକ୍ଷିଣ ପାର୍ଶ୍ବ ଏବଂ ଅନ୍ୟଟି ବାମ ପାର୍ଶ୍ବ କେନାଲ। ଦକ୍ଷିଣ ପାର୍ଶ୍ବ କେନାଲ ଦ୍ବାରା ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳର ଜଳସେଚନ ବ୍ୟବସ୍ଥା ହୋଇଥିବା ବେଳେ ଏହି ଦକ୍ଷିଣ ପାର୍ଶ୍ବ କେନାଲ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାତ୍ର ବିଡ଼ମ୍ବନାର କଥା ହେଉଛି, ଏହାର ବାମ ପାର୍ଶ୍ବ କେନାଲ ପାଇଁ ଖନନ ଆରମ୍ଭ ହୋଇନି। ଏହି ବାମ ପାର୍ଶ୍ବ କେନାଲ ହେଲେ କେନ୍ଦୁଝର ଜିଲ୍ଲାର ପାହାଡ଼ିଆ ସାହରପଡ଼ା ଅଞ୍ଚଳର ଜମି ଜଳସେଚିତ ହୋଇଥାନ୍ତା। ମାତ୍ର ଏହି କେନାଲ କାର୍ଯ୍ୟ ନିକଟ ଭବିଷ୍ୟତରେ ହେବା ଭଳି ଦେଖାଯାଉନି। ସବୁଠୁ ବଡ଼ ଉଦାହରଣ ହେଉଛି ଆନନ୍ଦପୁର ବ୍ୟାରେଜ୍‌ କେନାଲ। କେନ୍ଦୁଝର ଜିଲ୍ଲାର ଆନନ୍ଦପୁରଠାରେ ବୈତରଣୀରୁ ଆରମ୍ଭ ହୋଇ କୁଶେଇ ନଦୀ ପର୍ଯ୍ୟନ୍ତ ଯିବାକୁ ଯୋଜନା ଥିବା ଏହି କେନାଲ କାର୍ଯ୍ୟ ଆରମ୍ଭ ହୋଇଛି ସିନା ଶେଷ ହେବାର ସମ୍ଭାବନା ନାହିଁ।

ଆନନ୍ଦପୁର ବ୍ୟାରେଜରୁ ବାମ ପାର୍ଶ୍ବ କେନାଲ ଯାଇ ବିଦ୍ୟାଧରପୁର ବ୍ୟାରେଜରେ ମିଶୁଥିବାବେଳେ ଏହାଦ୍ବାରା କେନ୍ଦୁଝର ଜିଲ୍ଲାର ୧୨୦୦ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯାଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ସେହିପରି ଦକ୍ଷିଣ ପାର୍ଶ୍ବ କେନାଲ ବ୍ୟାରେଜ୍‌ରୁ ବାହାରି କୁଶେଇ ନଦୀ ପର୍ଯ୍ୟନ୍ତ ଯାଇଛି। ଏହି ଦକ୍ଷିଣ ପାର୍ଶ୍ବ କେନାଲ ଘଷିପୁରା ବ୍ଲକର ୫୦୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବ। ଏହି କେନାଲ କାମ ୨୦୧୦ ମସିହାରେ ଆରମ୍ଭ ହୋଇ ୨୦୧୩ ମସିହାରେ ଶେଷ ହେବାପାଇଁ ଧାର୍ଯ୍ୟ ହୋଇଥିଲା ‌ବେଳେ ଧାର୍ଯ୍ୟ ସମୟ ୮ ବର୍ଷ ବିତି ଯାଇଥିଲେ ହେଁ ମାତ୍ର ୭ଶହ ମିଟର କେନାଲ କାମ ହୋଇପାରିଛି। ମୋଟାମୋଟି ଭାବେ କେନ୍ଦୁଝର ଜିଲ୍ଲାରେ ଜଳସେଚନ ପାଇଁ ଯେଉଁ ସବୁ କେନାଲ ଯୋଜନାର ପରିକଳ୍ପନା କରାଯାଇଥିଲା, ଉଦ୍ଦେଶ୍ୟମୂଳକ ଭାବେ ନିର୍ମାଣ ଶେଷ କରାଯାଉନଥିବା ଅଭିଯୋଗ ଉଠୁଛି।

ଏ ସଂପର୍କରେ କେନ୍ଦୁଝର ପ୍ରଗତୀଶୀଳ ନାଗରିକ ମଞ୍ଚ ସଭାପତି କିରଣ ଶଙ୍କର ସାହୁ କହିଛନ୍ତି, କେନ୍ଦୁଝର ଜିଲ୍ଲାର କୃଷକଙ୍କ ପାଇଁ କହାରି ଚିନ୍ତା ନାହିଁ। ସରକାର କଳାହାଣ୍ଡିର ଇନ୍ଦ୍ରାବତୀ ନଦୀକୁ ନେଇ ଯୋଜନା କରୁଛନ୍ତି, କିନ୍ତୁ କେନ୍ଦୁଝର କଥା ଭୁଲି ଯାଇଛନ୍ତି। ସରକାର ତୁରନ୍ତ ଏହି କେନାଲ ନିର୍ମାଣ ଶେଷ କରିବା ଉଚିତ ବୋଲି ଶ୍ରୀ ସାହୁ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe