ନିରାଶ୍ରୟ ଯୁବତୀଙ୍କ ବିବାହ କରାଇଲେ ସ୍ବେଚ୍ଛାସେବୀ, ପୁଲିସ୍‌ କଲା କନ୍ୟାଦାନ

Advertisment
ନିରାଶ୍ରୟ ଯୁବତୀଙ୍କ ବିବାହ କରାଇଲେ ସ୍ବେଚ୍ଛାସେବୀ, ପୁଲିସ୍‌ କଲା କନ୍ୟାଦାନ

କୋରେଇ : ଏବେ ବି ମାନବିକତା ବଞ୍ଚିରହିଛି। ଏହାର ଏକ ଜ୍ବଳନ୍ତ ଉଦାହରଣ କୋରେଇ ବ୍ଲକ୍‌ ଅନ୍ତର୍ଗତ ତଣ୍ତରା ପଞ୍ଚାୟତରେ ଦେଖିବାକୁ ମିଳିଛି। ସେହିପରି ସାଧାରଣ ଜନତାଙ୍କ ଠାରୁ ଟିକିଏ ଦୂରରେ ଥିବା ପୁଲିସ ମଧ୍ୟ ଏଥିରେ ସାମିଲ ହୋଇ ପ୍ରଶଂସାଭାଜନ ହୋଇଛି। କନ୍ୟାପିତା ସାଜି ଜଣେ ପୁଲିସ ଅଧିକାରୀ ଏହି ନିରାଶ୍ରୟ ଯୁବତୀଙ୍କ କନ୍ୟାଦାନ କରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସମାଜ କଲ୍ୟାଣ ସମିତି, ଜୟ ଜଗନ୍ନାଥ ଗ୍ରୁପ, ସ୍ମାଇଲ ଫାଉଣ୍ଡେସନ, ଆମେ ବିପଦର ସାଥୀ ଏବଂ ପବ୍ଲିକ ରାଇଟ୍ ଆସୋସିଏସନ ଆଦି ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟଙ୍କ ଉଦ୍ୟମ ଯୋଗୁଁ ଜଣେ ବାପ, ମା' ଛେଉଣ୍ତ ଯୁବତୀଙ୍କର ବିବାହ ହୋଇପାରିଛି। ସେହିପରି ପାଣିକୋଇଲି ଥାନାର ଜଣେ ପୁଲିସ ଅଧିକାରୀ କନ୍ୟ‌ାପିତା ସାଜି ମଣିଷ ପଣିଆ ଦେଖାଇଛନ୍ତି।

ପ୍ରକାଶ ଯେ, ତଣ୍ତରା ପଞ୍ଚାୟତ ବରେଇ ଗ୍ରାମର ଝରଣା ମଲ୍ଲିକଙ୍କ ବାପା ହାଲୁଆଙ୍କର ଦଶବର୍ଷ ତଳୁ ମୃତ୍ୟୁ ହେଲାଣି। ବାପାଙ୍କ ମୃତ୍ୟୁ ବେଳକୁ ଝରଣାଙ୍କୁ ୧୦ବର୍ଷ ହୋଇଥିଲା। ଘରେ ବିଧବା ମା, ଝରଣା ଓ ଗୋଟିଏ ଭାଇ ବିକାଶ ୩ ଜଣ ଚଳିବା କଷ୍ଟକର ହୋଇପଡ଼ିଥିଲା। ୩ ବର୍ଷ ତଳେ ମା' ମଧ୍ୟ ଆର ପାରିକୁ ଚାଲିଗଲେ। ମା'ଙ୍କ ମୃତ୍ୟୁ ପରେ ଅନାଥ ହୋଇଯାଇଥିଲେ ଭାଇଭଉଣୀ। କିପରି ବଞ୍ଚିବେ ତାହା ହିଁ ଥିଲା ମୁଖ୍ୟଚିନ୍ତା। ଅଭାବ ଅନଟନରେ ଚଳିବା କଷ୍ଟକର ହେଉଥିବା ବେଳେ ଝରଣାଙ୍କ ବାହାଘର କିପରି ହେବ ସେନେଇ ବୁଦ୍ଧିବାଟ ଦିଶୁନଥିଲା। ଏପରି ସମୟରେ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ସାହାରା ହୋଇଥିଲେ ତଣ୍ତରା ପଞ୍ଚାୟତର କିଛି ସ୍ବେଚ୍ଛାସେବୀ ଯୁବକ। ଜଗନ୍ନାଥ ଗ୍ରୁପର କିଛି ସ୍ବେଚ୍ଛାସେବୀ ଏହା ଜାଣିବା ପରେ ଝରଣାଙ୍କ ବାହାଘର କରାଇବା ପାଇଁ ଆଗଭର ହୋଇ ପଡ଼ିଥିଲେ। ପରେ ଦାନଗଦୀ ବ୍ଲକ୍‌ କୁମ୍ଭୀରଗାଡ଼ିଆ ଗ୍ରାମର ନୃସିଂହ ମଲ୍ଲିକଙ୍କ ପୁଅ ପରୀକ୍ଷିତଙ୍କ ସହ ଝରଣାଙ୍କର ବାହାଘର ଠିକ୍‌ ହୋଇଥିଲା। ନୃସିଂହ ଝରଣାଙ୍କୁ ଦେଖିବା ପରେ ବିନା ଯୌତୁକରେ ତାଙ୍କୁ ବୋହୂ କରି ନେବାକୁ ରାଜି ହୋଇଯାଇଥିଲେ। ରୀତିନୀତି ଅନୁଯାୟୀ ଲଗ୍ନ ହୋଇ ସାରିଥିବା ବେଳେ ଆଜି ବାହାଘର ହେବାକୁ ଧାର୍ଯ୍ୟ ହୋଇଥିଲା। ବରପକ୍ଷ ବରେଇ ଗ୍ରାମରେ ପହଞ୍ଚିବା ପରେ ଗ୍ରାମର ଏକ ସଂକୀର୍ତ୍ତନ ମଣ୍ତଳୀରେ ବିବାହ କାର୍ଯ୍ୟ ସଂପାଦନ ହୋଇଥିଲା। ପାଣିକୋଇଲି ଥାନାର ଏଏସ୍‌ଆଇ ସଞ୍ଜୟ କୁମାର ଦାଶ କନ୍ୟାପିତା ସାଜି କନ୍ୟାଦାନ କରିଥିବା ବେଳେ ଜୟ ଜଗନ୍ନାଥ ଗ୍ରୁପର ପ୍ରମୁଖ କାର୍ଯ୍ୟକର୍ତ୍ତା କେଦାର ବିଶ୍ବାଳ, ନରେଶ କୁମାର ପରିଡ଼ା, ମନୋରଞ୍ଜନ ସାହୁ, ସାମାଜିକ କର୍ମୀ ଅକ୍ଷୟ କୁମାର ପରିଡ଼ା, ପ୍ରସନ୍ନ ସ୍ବାଇଁ, କାମଦେବ ଖଣ୍ତାଇ, ଅନିରୁଦ୍ଧ ସାହୁ, ପ୍ରସନ୍ନ ସାମଲ, ସାଦୁମଣି ସାହୁ ପ୍ରମୁଖ ଉପସ୍ଥିତ ରହି ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ। କୋଭିଡ କଟକଣା ଅନୁଯାୟୀ ବାହାଘର କାର୍ଯ୍ୟ ସମ୍ପାଦନ ହୋଇଥିଲା। ଏଥିପାଇଁ ଜଗନ୍ନାଥ ଗ୍ରୁପର କର୍ମକର୍ତ୍ତାଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe