ଯୋଡ଼ା: ପୋଲରେ ଗାତ ହୋଇ ତଳେ ଯାଇଥିବା ରେଳଧାରଣା ଦେଖାଯାଉଛି। ସିମେଣ୍ଟ କଂକ୍ରିଟ ଫାଟି ଲୁହାରଡ଼ ବାହାରିଛି। ରକ୍ଷଣାବେକ୍ଷଣ ଅଭାବରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ଯୋଡ଼ା-ବାମେବାରି ଏକ୍ସପ୍ରେସ୍ ରାସ୍ତାର ଜୁରୁଡ଼ି ହାଟପଦା ନିକଟରେ ଥିବା ରେଳବାଇ ଓଭରବ୍ରିଜଟି କେତେବେଳେ ବି ଭୁଶୁଡ଼ି ପଡ଼ିବାର ସମ୍ଭାବନା ରହିଛି।
ରାସ୍ତା ଗୃହ ନିର୍ମାଣ ବିଭାଗ ଯୋଡ଼ା-ବାମେବାରି ୧୭ କିମି ବିଶିଷ୍ଟ ଏହି ଏକ୍ସପ୍ରେସ୍ ରାସ୍ତା ନିର୍ମାଣ କରାଯାଇଛି। ଏହି ରାସ୍ତା ଉପରେ ଥିବା ଯୋଡ଼ା ଖଣି ଅଞ୍ଚଳବାସୀ ସମ୍ପୂର୍ଣ୍ଣ ନିର୍ଭର କରିଛନ୍ତି। ଜୁରୁଡ଼ି, ଜଜାଙ୍ଗ, ଜଲହରି ପଞ୍ଚାୟତର ଲୋକେ ଏହି ରାସ୍ତା ଦେଇ ଯୋଡ଼ା ସହରକୁ ଆସୁଥିବା ବେଳେ ବିଭିନ୍ନ ଖଣିରୁ ଭାରୀଯାନ ଯୋଗେ ଲୁହାପଥର ବାଂଶପାଣି, ଜୁରୁଡ଼ି, ବଡ଼ବିଲ ଓ ବଲାଣି ରେଳସାଇଡିଂକୁ ଯାଉଛି। ରାସ୍ତାର ଜୁରୁଡ଼ି ହାଟପଦା ନିକଟରେ ଥିବା ରେଳବାଇ ଓଭରବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପୋଲ ଉପରେ ଏକ ବଡ଼ ଗାତ ହୋଇ ତଳକୁ ଦେଖାଯାଉଛି। ରାସ୍ତାରୁ କଂକ୍ରିଟ ଭାଙ୍ଗି ଲୁହାରଡ ଦେଖାଯାଉଛି। ଏହି ବିପଦସଂକୁଳ ପୋଲ ଉପରେ ୩୫ରୁ ୫୦ ମେଟ୍ରିକ୍ ଟନ୍ ଓଜର ଖଣିଜ ବୋଝେଇ ଟ୍ରକ୍ ଚଳାଚଳ କରୁଛନ୍ତି। ପୋଲ ଭୁଶୁଡ଼ିଲେ ଜୁରୁଡ଼ି ଓ ବାମେବାରି ସହ ଯୋଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ। ଏହାଛଡ଼ା ପୋଲ ତଳ ଦେଇ ଯାଇଥିବା ରେଳଧାରଣାରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହେବ।
ଏହି ରାସ୍ତା ଦେଇ ଖଣିଜ ବୋଝେଇ ଟ୍ରକ୍ ଚଳାଉଥିବା ଚାଳକ ସୁକେଶ ଯାଦବ, ଏମ୍ଡି ତାହିଦ, ବିକ୍ରମ ଯାଦବ, ବୀରସିଂ ମୁଣ୍ଡା, ବୀରବଲ ଚାମ୍ପିଆ ଓ ଉଗ୍ରସେନ ଲେଙ୍କା କହିଛନ୍ତି, ରେଳବାଇ ଓଭରବ୍ରିଜ ଭାଙ୍ଗି ଯାଇଥିବାରୁ ଗୋଟିଏ ପାର୍ଶ୍ଵରେ ଗାଡ଼ିମୋଟର ଚଳପ୍ରଚଳ କରୁଛି। କୌଣସି ସମୟରେ ମଧ୍ୟ ଓଜନ ସମ୍ଭାଳି ନପାରି ପୋଲଟି ରେଳଧାରଣା ଉପରେ ଖସିପଡ଼ିବାରୁ ସମ୍ଭାବନା ରହିଛି। ତୁରନ୍ତ ଏହାର ମରାମତି କରିବାକୁ ସମ୍ପୃକ୍ତ ଗାଡ଼ି ଚାଳକମାନେ ଦାବି ଜଣାଇଛନ୍ତି। ଏ ସମ୍ପର୍କରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସେହିପରି ଜୁରୁଡ଼ି ଷ୍ଟେସନ ମ୍ୟାନେଜର ଶଶିକାନ୍ତ ଯୋଜଙ୍କୁ ପଚାରିବାରୁ, ବିପଦସଂକୁଳ ରେଳବାଇ ଓଭରବ୍ରିଜ ସମ୍ପର୍କରେ ସେ ରେଳବାଇର ଇନ୍ସପେକ୍ଟର ଅଫ୍ ୱାର୍କସ (ଆଇ ଓ ଡବ୍ଲ୍ୟୁ)କୁ ଅବଗତ କରାଇବେ ବୋଲି କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us