LAW-INSIDER
କେନ୍ଦୁଝର: କେନ୍ଦୁଝର ଏଡିଜେ ମମିତା ଦାସ ଆଜି ଏକ ହତ୍ୟା ମାମଲାର ବିଚାର କରି ସଦର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଶରତ ଚନ୍ଦ୍ର ମହାନ୍ତ (୪୫)କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟ ଅଧିକ ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି।
୨୦୨୦ ସେପ୍ଟେମ୍ବର ୨ ତାରିଖରେ ସଦର ଥାନା ଜଗନ୍ନାଥପୁର ଗ୍ରାମର ମହିଳା କେଶରୀ ମହାନ୍ତ (୬୦) ଦ୍ୱାରିକାପଶି ହାଟକୁ କଞ୍ଚାଲଙ୍କା ବିକ୍ରି କରିବାକୁ ଯାଉଥିଲେ। ଏହି ସମୟରେ ସେହି ଗ୍ରାମର ଶରତ ଚନ୍ଦ୍ର ମହାନ୍ତ ଭଦବାହାଳି ନିକଟ ରାସ୍ତାରେ ଏକ ଟାଙ୍ଗିଆରେ କେଶରୀଙ୍କ ମୁଣ୍ଡକୁ ହାଣି ନେଇଯାଇଥିଲା। ମୁଣ୍ଡବିହୀନ ଶରୀରଟି ରାସ୍ତାରେ ପଡ଼ି ରହିଥିଲା। ମୃତ ମହିଳାଙ୍କ ପୁଅ ରଘୁନାଥ ମହାନ୍ତ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମୃତଦେହ ପାଖରୁ ଏକ ଚପଲ ପାଇ ଅନୁସନ୍ଧାନ କରି ଅଭିଯୁକ୍ତକୁ ଧରିବା ସହିତ ମୁଣ୍ଡକୁ ଉଦ୍ଧାର କରିଥିଲା। ତାଙ୍କ ପରିବାର ନାଁରେ କୁତ୍ସାରଟନା କରୁଥିବାରୁ କ୍ରୋଧର ବଶବର୍ତ୍ତୀ ହୋଇ ସେ କେଶରୀଙ୍କୁ ହତ୍ୟା କରିଥିଲା ବୋଲି ପରେ ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ସଦର ଥାନାରେ କେସ ନଂ ୨୬୮ ତା ୨/୯/୨୦ ରିଖ, ଦଫା ୩୦୨ ଆଇପିସିରେ ପୁଲିସ ତଦନ୍ତ କରୁଥିଲା।
କେନ୍ଦୁଝର କୋର୍ଟର ଏଡିଜେ ମମିତା ଦାସ ଏହି ମାମଲାରେ ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ଶରତକୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ପିପି ପ୍ରଫୁଲ୍ଲ କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।
Follow Us