ଚମ୍ପୁଆ: ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗରେ ମହିଳା ଗୋଷ୍ଠୀ ସଦସ୍ୟାମାନେ ଉପଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି। ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଝାଡ଼ଖଣ୍ଡର ସୁନାରାମ ଗୋପଙ୍କ ସ୍ତ୍ରୀ ଦେବକୀ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର କର୍ଣ୍ଣରାମ ମହାନ୍ତ ଦେବକୀଙ୍କ ନର୍ମାଲ ଡେଲିଭରି ହେବ କହିଥିଲେ। ପରେ ଅସ୍ତ୍ରୋପଚାର କରିବାକୁ କହିଥିଲେ। ଦେବକୀଙ୍କ ପରିବାର ଲୋକେ ନର୍ମାଲ ଡେଲିଭରି କରିବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ ଡା. ମହାନ୍ତ ଅର୍ଥ ଦାବି କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶେଷରେ ଦେବକୀଙ୍କୁ କେନ୍ଦୁଝର ଡାକ୍ତରଖାନା ପଠାଇ ଦିଆଯାଇଥିଲା। କିନ୍ତୁ ପରିବାର ଲୋକେ କେନ୍ଦୁଝର ନନେଇ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଡାକ୍ତରଖାନା ନେଇଥିଲେ। ସେଠାରେ ଦେବକୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏନେଇ ସୁନାରାମଙ୍କ ମାଉସୀ ଚମ୍ପୁଆ ସାଇନାଥ ମହିଳା ସମିତିକୁ ଜଣାଇଥିଲେ। ମହିଳା ସମିତି ସଦସ୍ୟା ଘଟଣା ସମ୍ପର୍କରେ ପଚାରିବାରୁ ଡା. ମହାନ୍ତ ତାଙ୍କୁ ଦୁର୍ବ୍ୟବହାର କରିଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସେମାନେ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲାପାଳଙ୍କ ସହ ଆଲୋଚନା କରି ତଦନ୍ତ କରାଯିବ ବୋଲି ଉପଜିଲ୍ଲାପାଳ ପାରୁଲ ପଟୱାରୀ କହିଛନ୍ତି।
ମହିଳାଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ
Advertisment
Follow Us