ଯୋଡ଼ା: ଯୋଡ଼ା ସହରର ଫ୍ଲାଏଓଭର ନିର୍ମାଣ ଶେଷ ହେବାର ବର୍ଷ ନ ପୂରୁଣୁ ରାସ୍ତା ଫାଟି ଆଁ କଲାଣି। ଭାରୀଯାନ ଚଳାଚଳ ସମୟରେ ଦୋହଲୁଥିବାରୁ ଏହାକୁ ନେଇ ବିପଦ ଆଶଙ୍କା ଦେଖାଦେଇଛି। ଏହାର ସ୍ଥାୟିତ୍ବକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଜଣାପଡ଼ିବା ପରେ ଫ୍ଲାଏ ଓଭର ନିର୍ମାଣକାରୀ ଠିକାସଂସ୍ଥା ପକ୍ଷରୁ ଭାରୀଯାନ ଚଳାଚଳ ବନ୍ଦ ରଖି ଏହାର ମରାମତି ଆରମ୍ଭ କରାଯାଇଛି।
ଅନେକ ଦିନ ହେଲାଣି ଫ୍ଲାଏ ଓଭରର ବିଭିନ୍ନ ସ୍ଥାନରେ ରାସ୍ତା ଫାଟି ଗର୍ତ୍ତ ସୃଷ୍ଟି ହୋଇଥିଲା। ବଡ଼ବଡ଼ ଭାରୀଯାନ ଚଳାଚଳ ସମୟରେ ପୋଲ​ ଦୋହଲୁଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ। ୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଫ୍ଲାଏ ଓଭରର ଅବସ୍ଥାକୁ ନେଇ ଲୋକେ ପ୍ରଶ୍ନ କରିଥିଲେ। ଓଡ଼ିଶାର ଦୀର୍ଘତମ (୨.୯ କିମି) ଫ୍ଲାଏଓଭର ବୋଲି ଏହାକୁ କୁହାଯାଉଥିବାବେଳେ ଗତ ମାର୍ଚ୍ଚ ୧୧ରେ ଏହା ଉଦ୍ଘାଟିତ ହୋଇଥିଲା। ସେତୁଟି ବହୁ ଓଜନର ଭାର ସମ୍ଭାଳି ପାରିବ ଏବଂ ଏହାର ନିର୍ମାଣରେ ଲୁହା ବିୟରିଂ ସ୍ଥାନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ରବର ବିୟରିଂ ଲଗାଯାଇଛି। ଏହାର ସ୍ଥାୟିତ୍ବ ୧୦୦ ବର୍ଷରୁ ଉର୍ଦ୍ଧ୍ବ ରହିବ ବୋଲି ଓବିସିସିର ସାଧାରଣ ପରିଚାଳକ ନରସିଂହ ମହାନ୍ତ ସେତେବେଳେ ସୂଚନା ଦେଇଥିଲେ। ଅଥଚ ବର୍ଷ ନ ପୂରୁଣୁ ଏହାର କଂକ୍ରିଟ ରଡ୍ ବାହାରି ଦେଖାଯାଉଛି। ଏହାକୁ ଲୁଚାଇବାକୁ ଠିକାସଂସ୍ଥା ଉଦ୍ୟମ ଚଳାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ସହରର ସର୍ଭିସ ରୋଡକୁ ମଧ୍ୟ ସମ୍ପୂର୍ଣ୍ଣ ନ କରି ଉଦ୍ଘାଟନ କରି ଦିଆଗଲା।
ଏନେଇ ଓଡ଼ିଶା ବ୍ରିଜ କନ୍ଷ୍ଟ୍ରକ୍ସନ ନିଗମ ଲି. (ଓବିସିସିଏଲ) ପକ୍ଷରୁ ଠିକାରେ ନେଇଥିବା ଚେଭରୋକସ କମ୍ପାନିର ମାନବ ସମ୍ବଳ ଅଧିକାରୀ ଭାଗୀରଥି ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସୁନା ନଦୀ ପୋଲରେ ନିର୍ମାଣ ହୋଇଥିବା ଛୋଟ ପୋଲର ପ୍ରୋଟେକ୍ସନ ୱାଲ୍ ପାଇଁ ଓ ସର୍ଭିସ ରୋଡ ପାଇଁ କଂକ୍ରିଟ ନିର୍ମାଣ କରାଯିବ। ଉପରୁ ମେସିନ ଦ୍ବାରା କାର୍ଯ୍ୟ କରାଯିବା ହେତୁ ଫ୍ଲାଏ ଓଭରକୁ ବନ୍ଦ କରାଯାଇଥିଲା। ଏହି ସମୟରେ ଫ୍ଲାଏ ଓଭରର ୱେରିଂ କୋଟ୍ ମଧ୍ୟ ଲଗାଯାଇଥିଲା। ଏହି ଫ୍ଲାଏ ଓଭରର କ୍ଷମତା ୨୦୦ ମେଟ୍ରିକ୍ ଟନ୍। ଏହାଠାରୁ ଅଧିକ ଓଜନ ଲୋଡ୍ ହେଲେ ଫ୍ଲାଏ ଓଭରର ୱେରିଙ୍ଗ କୋଟ ଖରାପ ହୁଏ। ଏହାକୁ ନିୟମିତ ଭାବେ ପରିବର୍ତ୍ତନ କରାଯାଇଥାଏ।
ଏକଶହ ବର୍ଷର ଗ୍ୟାରେଣ୍ଟି, ମରାମତି ଲୋଡ଼ିଲାଣି ଯୋଡ଼ା ଫ୍ଲାଏଓଭର
Advertisment
Follow Us