ସମାକୋଇ-ଚକଦର ପ୍ରକଳ୍ପ ବିରୋଧରେ ମେଳି

Advertisment
ସମାକୋଇ-ଚକଦର ପ୍ରକଳ୍ପ ବିରୋଧରେ ମେଳି

ତେଲକୋଇ: ପ୍ରସ୍ତାବିତ ସମାକୋଇ-ଚକଦର ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ୪୧୩ ହେକ୍ଟର ଜମି ଜଳମଗ୍ନ ହେବ। ହେଲେ ଇଞ୍ଚେ ବି ଜମି ଜଳସେଚିତ ହେବ ନାହିଁ। ତେଣୁ ଏହାକୁ ବିରୋଧ କରିଛନ୍ତି ତେଲକୋଇ ବ୍ଲକ୍‌ କରଦାଙ୍ଗି ପଞ୍ଚାୟତବାସୀ। ଜୀବନ ଦେବୁ ପଛେ ପ୍ରକଳ୍ପ ପାଇଁ ଜମି ଦେବୁ ନାହିଁ ବୋଲି କରଦାଙ୍ଗି ପଞ୍ଚାୟତ ହାଟପଡ଼ିଆରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ପ୍ରସ୍ତାବିତ ସମାକୋଇ-ଚକଦର ଜଳସେଚନ ପ୍ରକଳ୍ପକୁ ବିରୋଧ କରି ଆଜି କରଦାଙ୍ଗି ହାଟପଡ଼ିଆରେ ସରପଞ୍ଚ କବିତା ମୁଣ୍ଡାଙ୍କ ସଭାପତିତ୍ବରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତର ଜନପ୍ରତିନିଧିଙ୍କ ସମେତ ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ଲୋକେ ଅଂଶଗ୍ରହଣ କରିଥିଲେ। କେନ୍ଦୁଝର ଜିଲ୍ଲା ତେଲକୋଇ ତହସିଲ ଅନ୍ତର୍ଗତ ଚକଦରଠାରେ ସମାକୋଇ ନଦୀରେ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ କରଦାଙ୍ଗି ପଞ୍ଚାୟତ କରଦାଙ୍ଗି ଓ ସାପଲାଞ୍ଜି ଗ୍ରାମର ୧୫୯.୧୪ ହେକ୍ଟର ଚାଷଜମି, ୧୭୦ ହେକ୍ଟର ପତିତଜମି, ୮୫ ହେକ୍ଟର ଜଙ୍ଗଲ ଜମି ମୋଟ ୪୧୩ ହେକ୍ଟର ଜମି ଜଳମଗ୍ନ ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଅନ୍ୟପକ୍ଷରେ ଏହି ପ୍ରକଳ୍ପ ନିର୍ମାଣ ହେଲେ ଆହୁରି ଅଧିକ ଚାଷଜମି ଓ ଅନେକ ଜନବସତି ମଧ୍ୟ ଜଳମଗ୍ନ ହେବ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି। ଇତିମଧ୍ୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ତେଲକୋଇ ବ୍ଲକ୍‌ ପ୍ରଶାସନ ପଲ୍ଲୀସଭା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି। ଆମେ ଭିଟାମାଟି ଛାଡ଼ି କୁଆଡ଼େ ଯିବୁ ବୋଲି ବୈଠକରେ ଉପସ୍ଥିତ ଲୋକେ ପ୍ରଶ୍ନ କରିଥିଲେ। ପ୍ରସ୍ତାବିତ ଅନୁଗୁଳ ସମାକୋଇ ଜଳସେଚନ ପ୍ରକଳ୍ପକୁ ପୂର୍ବ ନିର୍ଦ୍ଧାରିତ ସ୍ଥାନ ଅନୁଗୁଳ ଜିଲ୍ଲା ପାଲଲହଡ଼‌ା ତହସିଲ ଅନ୍ତର୍ଗତ ବିରାଳମୁଣ୍ଡାରେ ନିର୍ମାଣ କଲେ ଆମର କୌଣସି ଆପତ୍ତି ନାହିଁ। କିନ୍ତୁ ଚକଦରଠାରେ ପ୍ରକଳ୍ପ ନିର୍ମାଣ କରିବାକୁ ଦିଆଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଆଗାମୀ ଦିନରେ ଜନ ଆନ୍ଦୋଳନକୁ ତୀବ୍ର କରିବାପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏକ କମିଟି ଗଠନ କରାଯାଇଛି। ସର୍ବସମ୍ମତିକ୍ରମେ କମିଟିର ସଭାପତି ଭାବେ କେଶରୀ ରାଉତ, ସମ୍ପାଦକ ଦଶରଥ ପାତ୍ର, କୋଷାଧ୍ୟକ୍ଷ ଭାବେ ଲକ୍ଷ୍ମୀଧର ପ୍ରଧାନଙ୍କୁ ମନୋନୀତ କରାଯାଇଛି। ବ୍ଲକ୍‌ର ସମସ୍ତ ପଞ୍ଚାୟତର ଜନପ୍ରତିନିଧି, ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ରାଜନେତା ଓ ଜନସାଧାରଣଙ୍କୁ ଏହି ଆନ୍ଦୋଳନରେ ସାମିଲ କରିବାପାଇଁ କମିଟି କାର୍ଯ୍ୟ କରିବ ବୋଲି ବୈଠକରେ କୁହାଯାଇଛି। ଅନ୍ୟପକ୍ଷରେ ଖୁବଶୀଘ୍ର ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ନେତୃତ୍ବରେ ଏକ ପ୍ରତନିଧି ଦଳ ସାକ୍ଷାତ କରିବ। ପ୍ରସ୍ତାବିତ ସମାକୋଇ-ଚକଦର ଜଳସେଚନ ପ୍ରକଳ୍ପକୁ ବନ୍ଦ କରିବାପାଇଁ ଦାବି ଜଣାଇବ। ଏହାସତ୍ତ୍ବେ ସରକାର ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ନେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆଜିର ବୈଠକରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୩୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe