ବଦ୍ରିଙ୍କ ମ୍ୟାଜିକ୍‌ କାମ ଦେଲାନି : ସନା ସମର୍ଥକ ବିଜୟୀ

Advertisment
ବଦ୍ରିଙ୍କ ମ୍ୟାଜିକ୍‌ କାମ ଦେଲାନି : ସନା ସମର୍ଥକ ବିଜୟୀ

ଘଟଗାଁ/କେନ୍ଦୁଝର : ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ମ୍ୟାଜିକ୍‌ କାମ କଲାନି। ଘସିପୁରା ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଘଟଗାଁ ବ୍ଲକର ମୁକ୍ତାପୁର ପଞ୍ଚାୟତରେ ହୋଇଥିବା ସମିତିସଭ୍ୟ ଉପନିର୍ବାଚନରେ ପରାଜିତ ହେଲେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଭାସ୍କର ଚନ୍ଦ୍ର ନାୟକ। ବିଧାନସଭା ନିର୍ବାଚନ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ମନ୍ତ୍ରୀ ନିଜେ ପ୍ରଚାର ମଙ୍ଗ ଧରିବା ସତ୍ତ୍ବେ ତାଙ୍କ ସମର୍ଥିତ ପ୍ରାର୍ଥୀ ହାରିବା ଯୋଗୁଁ ଶକ୍ତ ଝଟ୍‌କା ଲାଗିଛି। ଏଠାରେ ସନାତନ ମହାକୁଡ଼ଙ୍କ ସମର୍ଥକ ସନ୍ଧ୍ୟାରାଣୀ ନାଏକ ବାଜି ମାରି ନେଇଛନ୍ତି।

କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନମଣ୍ତଳୀର ମୁକ୍ତାପୁର ପଞ୍ଚାୟତର ବିଜେଡି ସମର୍ଥିତ ସମିତି ସଭ୍ୟ ବିନୋଦ ନାଏକଙ୍କ ମୃତ୍ୟୁ ପରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା। ଏଥିନେଇ ଗତ ୬ ତାରିଖରେ ଏଠାରେ ଉପନିର୍ବାଚନ ହୋଇଥିଲା। ଏଥିରେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ଭାସ୍କର ନାଏକ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ବିଜେପି ସମର୍ଥିତ ମଧୁସୂଦନ ନାଏକ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ଏଥିସହ ଜନ ସମୃଦ୍ଧି ପାର୍ଟି ତଥା ସନା ସେନାର ସମର୍ଥିତ ପ୍ରାର୍ଥୀ ଭାବେ ସନ୍ଧ୍ୟାରାଣୀ ନାଏକ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ଭାସ୍କରଙ୍କ ପାଇଁ ମୁକ୍ତାପୁର ପଞ୍ଚାୟତରେ ଖୋଦ୍‌ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମାରାଥନ୍‌ ପ୍ରଚାର କରିବା ସହିତ ଘରକୁ ଘର ବୁଲି ଭାସ୍କରଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ। ଏସବୁ ସତ୍ତ୍ବେ ଆଜି ଫଳାଫଳ ପ୍ରକାଶ ପରେ ଭାସ୍କର ପରାଜିତ ହୋଇଛନ୍ତି।
ଏହି ନିର୍ବାଚନରେ ଭାସ୍କର ନାଏକ ୬୦୮ ଖଣ୍ତ ଭୋଟ ପାଇଥିବା ବେଳେ ସନ୍ଧ୍ୟରାଣୀ ନାଏକ ୧୦୬୭ ଖଣ୍ତ ଭୋଟ ପାଇଥିଲେ। ସେହିପରି ଅନ୍ୟତମ ପ୍ରାର୍ଥୀ ମଧୁସୂଦନ ନାଏକ ମୋଟ ୩୦୮ ଖଣ୍ତ ପାଇଥିଲେ। ସନ୍ଧ୍ୟାରାଣୀ ୪୫୯ ଖଣ୍ତ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

ଏହି ନିର୍ବାଚନ ଫଳାଫଳକୁ ନେଇ ଜିଲ୍ଲାବ୍ୟାପୀ ଆରମ୍ଭ ହୋଇଛି ଚର୍ଚ୍ଚା। ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁସାରେ, ମୁକ୍ତାପୁର ପଞ୍ଚାୟତରେ ଯେଉଁସବୁ ପ୍ରକଳ୍ପ ଚାଲୁଥିଲା ସେଥିରେ ସ୍ଥାନୀୟ ଲୋକଙ୍କ ଅପେକ୍ଷା ବାହାର ଲୋକଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ଅଗ୍ରାଧିକାର ଦେଉଥିଲେ। ଏଥିସହ ବିଭିନ୍ନ ଅପରାଧ ମାମଲାରେ ମନ୍ତ୍ରୀଙ୍କ ପୁଅ ଦେବାଶିଷ ଗିରଫ ହେବା ଘଟଣାର ପ୍ରଭାବ ଏହି ନିର୍ବାଚନରେ ପଡ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘସିପୁରା ନିର୍ବାଚନ ମଣ୍ଡଳୀରେ କ୍ଷମତାର ଅପବ୍ୟବହାର ତଥା ମନ୍ତ୍ରୀଙ୍କ ପୁଅଙ୍କ ଅପରାଧିକ କାର୍ଯ୍ୟକଳାପ ଯୋଗୁଁ ଲୋକେ ଅତିଷ୍ଠ ହୋଇ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ମତ ଦେଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe