ଆନନ୍ଦପୁର: ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମାଧାନ ନହେବା ତଥା ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ ଆନନ୍ଦପୁର ପୌରାଞ୍ଚଳର ୧ନମ୍ବର ୱାର୍ଡ ପଦ୍ମପୁର ସତ୍ୟନାରାୟଣ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲାପକାଇ ଏହାର ପ୍ରତିବାଦ କରିଥିଲେ। ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ସହିତ ରୂପାନ୍ତରୀକରଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦାବି କରିଛନ୍ତି।
ଗତ କିଛିମାସ ହେଲା ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗିରହିଛି। ବାରମ୍ବାର ଦାବିପରେ ମଧ୍ୟ ଏହାର ସମାଧାନ କ୍ଷେତ୍ରରେ ପ୍ରଧାନଶିକ୍ଷକ କୌଣସି ଉଦ୍ୟମ କରୁନଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ପରିସ୍ରାଗାର ନଥିବାବେଳେ ପିଇବା ପାଣି ପାଇଁ ମଧ୍ୟ ସମସ୍ୟା ରହିଛି। ୫-ଟିରେ ଚାଲିଥିବା ରୂପାନ୍ତରୀକରଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାବେଳେ ଅନେକ ସ୍ଥାନରେ ଭାଙ୍ଗିରୁଜି ଗଲାଣି। ଏନେଇ ପ୍ରଧାନଶିକ୍ଷକ ବଙ୍କିମ ଚନ୍ଦ୍ର ମିଶ୍ର କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନରେ ବସିଥିଲେ।
ଖବରପାଇ ବିଇଓ ଅଜିତ୍ କୁମାର ବାରିକ୍ ପହଞ୍ଚି ଅଭିଭାବକମାନଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ତେବେ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟରୁ ଅନ୍ୟତ୍ର ସ୍ଥାନାନ୍ତର ନକଲେ ପିଲାମାନଙ୍କୁ ବିଦ୍ୟାଳୟକୁ ଛାଡିବେ ନାହିଁ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ଏପଟେ ୫-ଟିରେ ବିଦ୍ୟାଳୟର ରୂପାନ୍ତରୀକରଣ ପାଇଁ ମୋଟ ୮୫ଲକ୍ଷ ଟଙ୍କାର ଅନୁଦାନ ଆସିଥିବାବେଳେ ଅଦ୍ୟାବଧି କେବଳ ୫୫ଲକ୍ଷ ଖର୍ଚ୍ଚ ହୋଇଛି। ବକେୟା ଅର୍ଥ ଖର୍ଚ୍ଚ ନହୋଇ ପଡି ରହିଥିବାରୁ ଛାତ୍ରଛାତ୍ରୀମାନେ ବିପଦଶଙ୍କୁଳ ଅବସ୍ଥାରେ ଅଧ୍ୟୟନ କରୁଛନ୍ତି। ପରିସ୍ରାଗାର ନଥିବାବେଳେ ପାନୀୟଜଳ ବ୍ୟବସ୍ଥା ହୋଇପାରିନାହିଁ। ନିମ୍ନମାନର ନିର୍ମାଣ ଯୋଗୁଁ ଅନେକ ସ୍ଥାନରେ ପାଣି ଗଳୁଥିବା ମଧ୍ୟ ଅଭିଯୋଗ ହୋଇଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
Follow Us