ଖରା ବଢ଼ାଉଛି ଅଂଶୁଘାତ, ୬୨ ରୋଗୀ ଚିକିତ୍ସିତ ହେଲେଣି

Advertisment
ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୩ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମପ୍ରବାହ

କେନ୍ଦୁଝର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ଅଂଶୁଘାତଙ୍କ ରୋଗୀଙ୍କ ସଂଖ୍ୟା ବଢ଼ୁଛନ୍ତି। ଇତିମଧ୍ୟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୬୨ଜଣ ଅଂଶୁଘାତରେ ଶିକାର ହୋଇଥିବା ଲୋକେ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି।
ଏପ୍ରିଲ ୧୬ ତାରିଖରେ କେନ୍ଦୁଝରର ତାପମାତ୍ରା ଥିଲା ୪୦ ଡିଗ୍ରି ସେଲସିୟସ। ୧୭ରେ ୪୦.୨ ଡିଗ୍ରି, ୧୮ ତାରିଖରେ ୪୦.୯ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଥିଲା। ୧୯ରେ ୪୨.୨ ଡିଗ୍ରି, ୨୦ରେ ୪୩.୫ ଡିଗ୍ରି ଏବଂ ୨୧ ତାରିଖରେ ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିଲା। ଯାହା ବିଗତ ୩୦ ବର୍ଷରେ ଏପ୍ରିଲ ମାସର ସର୍ବାଧିକ ତାପମାତ୍ରା ଥିଲା। ମେ ମାସରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି।
ତାପମାତ୍ରା ବୃଦ୍ଧି ଯୋଗୁଁ ସକାଳ ୯ଟାରୁ ଆକାଶରୁ ଅଗ୍ନିବର୍ଷା ଆରମ୍ଭ ହେଉଛି। ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଏହା ଜାରି ରହୁଛି। ଅସହ୍ୟ ତାତି ଯୋଗୁଁ ଲୋକେ ଘରୁ ବାହାରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଖରାବେଳେ ରାସ୍ତାଘାଟ ଶୂନଶାନ ହୋଇଯାଉଛି। ବସ୍ ଓ ଅନ୍ୟାନ୍ୟ ଛୋଟ ଗାଡ଼ିରେ ଲୋକେ ଯାତ୍ରା କରିବାକୁ ନିରାପଦ ମଣୁନାହାନ୍ତି। ବସ୍ ଓ ଯାତ୍ରୀବାହୀ ଗାଡ଼ିରେ ଖୁବ୍ କମ୍ ସଂଖ୍ୟାରେ ଲୋକେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ଘରୁ ବାହାରିଲେ ଲୋକେ ଛତା, କଳା ଚଷମା, ମୁଣ୍ଡରେ କପଡ଼ା ଘୋଡ଼ାଉଛନ୍ତି। ଗୋଟିଏ ପଟେ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଅଘୋଷିତ ବିଦ୍ୟୁତ୍‌ କାଟ ଓ ପାନୀୟଜଳ ସମସ୍ୟା ଲୋକଙ୍କୁ ଛଟପଟ କରୁଛି। ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ତାତିକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି। ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକେ ଅଂଶୁଘାତର ଶିକାର ହେଉଛନ୍ତି। ଏଯାବତ ୬୨ଜଣ ଅଂଶୁଘାତ ରୋଗୀ ଚିକିତ୍ସା ପାଇଁ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାକୁ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. କିଶୋର ପୃଷ୍ଟି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe