ବଡ଼ବିଲ: ବଡ଼ବିଲ ପୌରାଞ୍ଚଳ ୱାର୍ଡ ନମ୍ବର-୧୫ର ସୁନ୍ଦରାବସ୍ତି ଦେଇ ଯାଇଥିବା ମ୍ୟୁନିସିପାଲିଟି ରାସ୍ତା ଉପରେ ଜମି ଜବରଦଖଲ ଯୋଗୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଯୋଡା-ବଡ଼ବିଲ ହାଇୱେର ଶ୍ରୀମେଟାଲିକ୍ସ କାର୍ଯ୍ୟାଳୟ ଛକଠାରୁ ସୁନ୍ଦରାବସ୍ତି ଦେଇ ବିର୍ସମୁଣ୍ଡା-ଓଏମ୍ସି କାର୍ଯ୍ୟାଳୟକୁ ଯାଇଥିବା ରାସ୍ତାକୁ ଏହା ସଂଯୋଗ କରୁଛି। ଏହା ମଧ୍ୟ ସବୁବେଳେ ବ୍ୟସ୍ତବହୁଳ ରହୁଛି। ହୋଟେଲ ରୟାଲ ଗାର୍ଡେନ ଓ ହୋଟେଲର ସମ୍ମୁଖ ଭାଗରେ ଥିବା ପୌର ଜମିକୁ ହୋଟେଲ ମାଲିକ ଓ ସ୍ଥାନୀୟ ପ୍ରତିଷ୍ଠିତ ବ୍ୟକ୍ତି ଜବରଦଖଲ କରିଥିବାରୁ ଏହା ସଙ୍କୁଚିତ ହୋଇଯାଇଛି। ଏହି ରାସ୍ତା ସହ ଉକ୍ତ ସ୍ଥାନରେ ବୁଲାଣି ଥିବାରୁ ସେଠାରେ ସବୁ ସମୟରେ ଦୁର୍ଘଟଣା ଘଟୁଛି। ହୋଟେଲର ସୁରକ୍ଷା ନିମନ୍ତେ ଏହାର ମାଲିକ ଉକ୍ତ ରାସ୍ତା ଉପରେ ପୌର ଜମିକୁ ଜବରଦଖଲ କରି ସୁରକ୍ଷାକର୍ମୀ ପାଇଁ ଏକ ବେଆଇନ ଗୃହ ନିର୍ମାଣ କରିଛନ୍ତି। ଏହାଦ୍ବାରା ଟ୍ରାଫିକ ସମସ୍ୟା ବୃଦ୍ଧି ପାଇଛି। ତେଣୁ ଏଠାରୁ ଜବରଦଖଲ ହଟାଯାଇ ରାସ୍ତାକୁ ଅଧିକ ଚଉଡ଼ା କରାଯିବାର ମଧ୍ୟ ଆବଶ୍ୟକତା ରହିଛି। ପ୍ରଶାସନ ଏଥିପ୍ରତି ବିଶେଷ ଭାବେ ଧ୍ୟାନଦେଇ ଜବରଦଖଲ ଉଚ୍ଛେଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ସୁନ୍ଦରାବସ୍ତି ରାସ୍ତା ଉପରେ ଜବରଦଖଲ
Advertisment
Follow Us