ଆନନ୍ଦପୁରରେ ବାଘର ପାଦଚିହ୍ନ ଠାବ

Advertisment
ଆନନ୍ଦପୁରରେ ବାଘର ପାଦଚିହ୍ନ ଠାବ

ଆନନ୍ଦପୁର: ଆନନ୍ଦପୁର ରେଞ୍ଜ ପଞ୍ଚୁପଲ୍ଲୀ ଅଞ୍ଚଳରେ ଏକ ବାଘ ବୁଲିବା ନେଇ ଭିଡିଓ ଭାଇରାଲ ହେବା ପରେ ଜଙ୍ଗଲ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ବିଭାଗ ପକ୍ଷରୁ ତଦନ୍ତ ପରେ ବୈତରଣୀ ନଦୀକୂଳ ଏକ ବିଲରୁ ବାଘର ପାଦଚିହ୍ନ ଠାବ ହୋଇଛି। ଏହା ଏକ କଲରାପତରିଆ ବାଘ ବୋଲି ଡେପୁଟି ରେଞ୍ଜର ନବକିଶୋର ନାଏକ ସ୍ପଷ୍ଟ କରିଛନ୍ତି। ବାଘଟି ହଦଗଡ଼ ଅଭୟାରଣ୍ୟର କାଠକଟା ଅଞ୍ଚଳରୁ ଚାଲି ଆସିଥିବା ସନ୍ଦେହ କରାଯାଉଛି।

ଭୋର ସମୟରେ ପଞ୍ଚୁପଲ୍ଲୀର ପ୍ରୟାସ ପଟ୍ଟନାୟକ ନଦୀକୂଳ ବିଲ ମଧ୍ୟରେ ବାଘଟି ଯାଉଥିବା ଦେଖିଥିଲେ। ପରବର୍ତ୍ତୀ ସମୟରେ ସେ ଉତ୍ତୋଳନ କରିଥିବା ଭିଡିଓ ଭାଇରାଲ ହୋଇଥିଲା। କେହି କେହି ଏହାକୁ ଗୁଜବ ବୋଲି କହିଥିଲେ। ଗତକାଲି ସକାଳେ ଆନନ୍ଦପୁର ଡିଏଫ୍‌ଓ ଅଭୟ କୁମାର ଦଳେଇ, ଏସିଏଫ୍‌ ଅଶୋକ କୁମାର ବିଶ୍ବାଳ, ଡେପୁଟି ରେଞ୍ଜର ନବକିଶୋର ନାଏକ, ଫରେଷ୍ଟର ଅନନ୍ତ ଚରଣ ପରିଡ଼ା ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ବାଘର ପାଦଚିହ୍ନ ଠାବ କରିଥିଲେ। ଏହା ପରେ ବନ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରାଯିବା ସହିତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି କଲରାପତରିଆ ବାଘଟି ପୁଣି ହଦଗଡ଼ ଅଭୟାରଣ୍ୟକୁ ଚାଲି ଯାଇଥିବା ନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe