କୁକୁଡ଼ା ଲଢ଼େଇରୁ ମୁଣ୍ଡ ଗଡ଼ିଲା; ଯୁବକଙ୍କୁ ହତ୍ୟା

କୁକୁଡ଼ା ଲଢ଼େଇରୁ ମୁଣ୍ଡ ଗଡ଼ିଲା; ଯୁବକଙ୍କୁ ହତ୍ୟା

scbmch.nic.in

ପଦ୍ମପୁର: କେନ୍ଦୁଝର ଜିଲ୍ଲାର ବିଭିନ୍ନ ସାପ୍ତାହିକ ହାଟରେ ବେଧଡ଼କ କୁକୁଡ଼ା ଲଢ଼େଇ ଓ ଜୁଆଖେଳ ଚାଲିଥିଲେ ମଧ୍ୟ ପୁଲିସ ପକ୍ଷରୁ ‌କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। କେନ୍ଦୁଝର ସଦର ବ୍ଲକ୍‌ ନୂଆଗାଁ ମଙ୍ଗଳବାର ସାପ୍ତାହିକ ହାଟରେ କୁକୁଡ଼ା ଲଢ଼େଇକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଛି। ଠେଙ୍ଗାମାଡ଼ରେ ଗୁରୁତର ହୋଇଥିବା ଜଣେ ଯୁବକଙ୍କ କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତକ ହେଲେ ପୋଇପାଣି ଧୁବଲାବେଡ଼ାସାହିର ଦୁଃଖୀରାମ ମାଝୀ (୩୦)। ଦୁଃଖୀରାମଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀ ବୈଜୟନ୍ତୀ ଓ ଶିଶୁପୁତ୍ର ଅସହାୟ ହୋଇପଡ଼ିଛନ୍ତି।
ମଙ୍ଗଳବାର ନୂଆଗାଁ ସା‌ପ୍ତାହିକ ହାଟରେ କୁକୁଡ଼ା ଲଢ଼େଇ ଓ ଜୁଆଖେଳ ଚାଲିଥିଲା। ଦୁଃଖୀରାମ ଓ କାଦଗଡ଼ ଭାଲୁପାଳି ସାହିର ଲୁଲୁ ନାମକ ଜଣେ ଯୁବକଙ୍କ କୁକୁଡ଼ା ମଧ୍ୟରେ ଲଢ଼େଇ ହୋଇଥିଲା। ପ୍ରଥମେ ଲୁଲୁଙ୍କ କୁକୁଡ଼ା ଦୁଃଖୀରାମଙ୍କ କୁକୁଡ଼ାକୁ ଆକ୍ରମଣ କରିବାରୁ ସେ ଟଳି ପଡ଼ିଥିଲା। ଲୁଲୁଙ୍କ କୁକୁଡ଼ା ମଧ୍ୟ ଟଳି ପଡ଼ିଥିଲା। ହାଟ କମିଟି ଉଭୟଙ୍କୁ ଡାକି ନିଜ ନିଜ କୁକୁଡ଼ା ନେଇଯିବାକୁ କହିଥିଲେ। ଏହାକୁ କେନ୍ଦ୍ରକରି ଦୁଃଖୀରାମ ଓ ଲୁଲୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଲୁଲୁ ଏକ ଠେଙ୍ଗାରେ ଦୁଃଖୀରାମଙ୍କ ମୁଣ୍ଡର ପଛପଟକୁ ଶକ୍ତ ପ୍ରହାର କରିବାକୁ ସେ ଟଳି ପଡ଼ିଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ ପଦ୍ମପୁର ଓ ପ‌ରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଦୁଃଖୀରାମଙ୍କ ବଡ଼ଭାଇ ଶ୍ୟାମସୁନ୍ଦର ମାଝୀ କେନ୍ଦୁଝର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍‌ ନମ୍ବର ୧୯୪/୨୪ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଫେରାର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe