ହଜିଗଲାଣି ଖଜୁରୀପଟି: ଆଗାମୀ ପିଢ଼ି ପାଇଁ ପାଲଟିଯିବ ଇତିହାସ

Advertisment
ହଜିଗଲାଣି ଖଜୁରୀପଟି: ଆଗାମୀ ପିଢ଼ି ପାଇଁ ପାଲଟିଯିବ ଇତିହାସ

ଘୁ.ଉଦୟଗିରି: ପ୍ରକୃତିର ଦାନ ମନୁଷ୍ୟ ସମାଜ ପାଇଁ ସର୍ବଦା ଆଶୀର୍ବାଦ ହୋଇ ରହିଛି। ଧରାପୃଷ୍ଠରେ ଆଦିମ ଅଧିବାସୀ ସବୁଜ ବନାନୀ, ଗଛପତ୍ରର ବିଭିନ୍ନ ଅଂଶକୁ କାର୍ଯ୍ୟରେ ଲଗାଇ ନିଜର ଆବଶ୍ୟକତା ପୂରଣ କରି ପାରିଛନ୍ତି। ତାହା କେବଳ ଉପାୟ ଓ ନିଜର କୁଶଳୀ ମାନସିକତା ହିଁ ସେମାନଙ୍କୁ କିଛି କରିବାରେ ସକ୍ଷମ କରିପାରିଛି। ସେହିପରି ଏକ ନିତିଦିନିଆ ବ୍ୟବହୃତ ଉପକରଣର ହେଉଛି ଖଜୁରୀ ପଟି। ଏହା ସାଧାରଣତଃ ଗାଁ ଗହଳିରେ କେଉଁ ଆବହମାନ କାଳରୁ ପ୍ରଚଳିତ।

ଖଜୁରୀପଟି ବା ସଅଁପର ମୁଖ୍ୟ ଉପାଦାନ ହେଉଛି କଣ୍ଟକ ଜାତୀୟ ଗଛ ଖଜୁରୀ ଗଛର ପତ୍ର। ଗାଁ ଗଣ୍ଡାରେ ଓ ଜଙ୍ଗଲରେ ସାଧାରଣତଃ ଦୁଇ ପ୍ରକାରର ଗଛ ଦେଖାଯାଏ। ବଣ ଖଜୁରୀ ଗଛ ଛୋଟ, ପତ୍ର ସରୁ ଓ ପତଳା ଏବଂ ଶକ୍ତ। ଏହାର ପତ୍ରକୁ ସଂଗ୍ରହ କରି ପ୍ରଥମେ ଶୁଖାଇ ଦିଆଯାଏ। ଶୁଖିଲା ଡାଳରୁ ପତ୍ର ଗୁଡ଼ିକ ଅଲଗା ଅଲଗା କରି ବିଡ଼ା କରି ରଖାଯାଏ। ବିଡ଼ାରୁ ଗୋଟିଏ ଗୋଟିଏ ପତ୍ରକୁ ପରସ୍ପର ସହ ଛନ୍ଦି ୫ରୁ ୭ ସେମି ଓସାର ବିଶିଷ୍ଟ ଷ୍ଟ୍ରିପ୍ ବା ବେଣୀ କରାଯାଏ ବେଣୀର ଦୈର୍ଘ୍ୟ ୨୦୦ରୁ ୩୦୦ ଫୁଟ୍ ଲମ୍ବ ହେବା ପରେ ତାହାକୁ ଗୋଲ କରି ଗୁଡ଼ାଇ ରଖାଯାଏ। ଏହାକୁ ମଣ୍ଡଳ କୁହାଯାଏ। ଏହା ପରବର୍ତ୍ତୀ କାର୍ଯ୍ୟ ସ୍ବରୂପ ବେଣୀ ଗୁଡ଼ିକୁ ଏକ ଲତା ସାହାଯ୍ୟରେ ଯୋଡ଼େଇ କରାଯାଏ। ପୂର୍ବରୁ ପାରମ୍ପରିକ ପଦ୍ଧତିରେ ଗାଣକୁଟି କିମ୍ବା କାଉକୁଦାଲି (ମୁଡ଼ିଆ ଫଳ ) ଗଛର ଛେଲିକୁ ଦଉଡ଼ି ରୂପେ ବ୍ୟବହାର କରା ଯାଉଥିଲା। ଏହା ଦୀର୍ଘସ୍ଥାୟୀ ଓ କୋମଳ। କିନ୍ତୁ, ଏବେ ପ୍ଲାଷ୍ଟିକ୍‌ ଦଉଡ଼ିକୁ ବ୍ୟବହାର କରାଯାଉଛି। ପଟିର ଲମ୍ବ ୧୦ରୁ ୧୫ ଫୁଟ୍ ଏବଂ ଓସାର ୧୦ ଫୁଟ ବିଶିଷ୍ଟ ପ୍ରସ୍ତୁତ କରାଯାଏ। ପଟିକୁ ଗୁଡ଼ାଇ ରଖିବା ପାଇଁ ବାଉଁଶ ଠେଙ୍ଗା ବ୍ୟବହାର କରାଯାଏ।ଏହାକୁ ଘର କୋଣରେ କିମ୍ବା ଝୁଲାଇ ରଖିବା ପାଇଁ ବ୍ୟବସ୍ଥା କରା ଯାଇଥାଏ।

ଏହା ସାଧାରଣତଃ, ଧାନ ଗହମ ପ୍ରଭୃତି ଶସ୍ୟଜାତୀୟ ସାମଗ୍ରୀ ଶୁଖାଇବା ପାଇଁ ବ୍ୟବହାର କରାଯାଏ। ଗାଁ ଗହଳିରେ ବିବାହ ଭୋଜି, ସଭା ସମିତିରେ ତଳେ ବିଛାଇ ବସିବା କାମରେ ମଧ୍ୟ ଲଗାଯାଏ। ଘରେ ତଳେ ବିଛାଇ ଶୋଇବାରେ ମଧ୍ୟ ଏହା କାମରେ ଲାଗେ। ଏହାର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଶୀତ ବସ୍ତ୍ର ଅଭାବକୁ ପୂରଣ କରିବା। ଶୀତଦିନେ ଏାକୁ ଚାଦର ଭଳି ଘୋଡ଼େଇ ହୋଇଥାନ୍ତି। ଏହା କମ୍ବଳ ଭଳି ଉଷ୍ମତା ପ୍ରଦାନ କରିଥାଏ। ଏହାକୁ ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର କେତେକ ହାତ ଗଣତି ମହିଳା ମାନେ ତିଆରି କରିବାରେ ସିଦ୍ଧହସ୍ତ।

ଖଜୁରୀପଟି ତିଆରି ପାଁଇ ଯଥେଷ୍ଟ ଶାରୀରିକ ପରିଶ୍ରମ ଦରକାର ପଡ଼ିଥାଏ। ପରିଶ୍ରମ ତୁଳନାରେ ଉଚିତ୍ ପ୍ରାପ୍ୟ ମିଳେ ନାହିଁ। ତେଣୁ ଆଉ କନ୍ଧମାଳ ଜିଲ୍ଲାର ହାଟ ଗୁଡ଼ିକରେ ଖଜୁରୀ ପଟି ବିକ୍ରି ହେଉନି। କିନ୍ତୁ, ଆଜି ଏହା କାଁ ଭାଁ ଜିଲ୍ଲାର ଗାଁ ଗଣ୍ଡାରେ ଦେଖିବାକୁ ମିଳୁଛି। ହସ୍ତନିର୍ମିତ ଉପକରଣର ମୂଲ୍ୟ ଠାରୁ ବଜାରରେ ମିଳୁଥିବା ଉପକରଣର ମୂଲ୍ୟ ବହୁତ କମ୍। ତେଣୁ ଖଜୁରୀ ପଟି ତୁଳନାରେ ପ୍ଲାଟିକ୍‌ ସଅଁପ ଆଜି ସହଜରେ ବଜାରରେ ଉପଲବ୍ଧ। ଖଜୁରୀ ପଟି କଥା ଆଉ ପଚାରେ କିଏ? ଖଜୁରୀ ପଟି ପ୍ରାୟ ୧୦ରୁ ୧୨ ବର୍ଷ ପର୍ଯ୍ୟନ୍ତ ବ୍ୟବହୃତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe