ବାରିପଦା:- ଜିଲ୍ଲାରେ ଖରିଫ ଧାନ କ୍ରୟରେ ହେଉଥିବା ବ୍ୟାପକ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଆଜି ଏନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ସାମାଜିକ ସଂଗଠନ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଚାଷୀମାନଙ୍କ ନିକଟରୁ ଧାନ କ୍ରୟକୁ ନେଇ ଚରମ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିବାର ଭଞ୍ଜ ସେନା ଅଭିଯୋଗ କରିଛି । ଏଥିସହିତ ଜିଲ୍ଲା ପ୍ରଶାସନର ଚାଷୀମାରଣ ନୀତି ଏବଂ ବାହାର ରାଜ୍ୟକୁ ବେଆଇନ ଭାବେ ଧାନ ଚୋରା ଚାଲାଣ ଭଳି ସଙ୍ଗୀନ୍ଅଭିଯୋଗ ଆଣିଛି ସଂଗଠନ।
ଏହି ଆଧାରରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ପାଢ଼ୀଙ୍କ ବହିଷ୍କାର ଦାବି କରିଛି ସଂଗଠନ। ବିଭିନ୍ନ ଧାନ ମଣ୍ଡିଗୁଡ଼ିକରେ କର୍ମଚାରୀମାନେ ଚାଷୀଙ୍କ ନିକଟରୁ କଟ୍ନୀ ଛଟ୍ନୀ ନାରେ କୁଇଣ୍ଟାଲ୍ ପିଛା ୭ରୁ ୮ କେଜି ଧାନ କାଟୁଛନ୍ତି। ମଣ୍ଡିରେ ୮/୧୦ ଦିନ ଧରି ଧାନ ପଡ଼ି ରହୁଛି । ଧାନ କଳାବଜାରୀ ରୋକିବାକୁ ମୁଖ୍ୟମନ୍ତ୍ରୀ ତାଗିଦ କରିଥିଲେ ମଧ୍ୟ ମୟୂରଭଞ୍ଜରେ ଏହାର ଖୁଲମଖୁଲା ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲ୍ଲାରେ ଲ୍ୟାମ୍ପ୍ସ, ଆରଏମ୍ସି ଓ ମିଲରମାନଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଚାଷୀଙ୍କ ପାଇଁ କାଳ ହେଉଥିବା ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଅଭିଯୋଗ କରିଛନ୍ତି। ଏପରିକି ଧାନ କଳାବଜାରୀରେ ଲ୍ୟାମ୍ପ୍ସ, ଆରଏମ୍ସି ଓ ମିଲର ସଂପୃକ୍ତ ଅଛନ୍ତି। ଗତ ଡିସେମ୍ବର ୨୭ରେ ବିନା କାଗଜପତ୍ରରେ ଜବତ ହୋଇଥିବା ୧୪୦ କ୍ୱୁଇଣ୍ଟାଲ୍ ଧାନ ବୋଝେଇ ଏକ ଟ୍ରକ ହେଉଛି ଏହାର ପ୍ରକୃଷ୍ଠ ଉଦାହରଣ।
ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଉପସଭାପତି ରାକେଶ ମହାନ୍ତି, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷି, ଛାତ୍ର ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ସମ୍ପାଦକ ଏସକେ ରାଜାଖାନ୍, ଛାତ୍ର ସମ୍ପାଦକ ସଞ୍ଜୟ ମାହାନା, ରବୀନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ଚାଷୀଙ୍କ ସମସ୍ୟାର ଉପଯୁକ୍ତ ସମାଧାନ ନହେଲେ ଆଗାମୀ ଦିନରେ ସେନା ପକ୍ଷରୁ ଜିଲ୍ଲାପାଳ ଓ ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଭାପତି ଶ୍ରୀ ମାଇତି ସୂଚନା ଦେଇଛନ୍ତି ।
Follow Us