ବର୍ଦ୍ଧିତ ମୂଲ୍ୟରେ କିଣାହେବ ଖରିଫ ଧାନ ଏବେଠୁ ସକ୍ରିୟ ହେଲେଣି ଦଲାଲ

Advertisment

ରାଜ୍ୟ ସରକାର ଏମ୍‌ଏସ୍‌ପି କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଚାଷୀଙ୍କଠୁ ଖରିଫ ଧାନ କିଣିବାକୁ ଯାଉଛନ୍ତି । କେନ୍ଦ୍ରର ଧାର୍ଯ୍ୟ ଏମ୍‌ଏସ୍‌ପିଠୁ ରାଜ୍ୟ ସରକାର ଏଥର କ୍ବିଣ୍ଟାଲ ପ୍ରତି ଅଧିକ ୮୦୦ ଟଙ୍କା ଦେବାକୁ ଥିବାରୁ ସେଥିରେ ନିଜ ପକେଟ୍ ଗରମ କରିବାକୁ ଦଲାଲ୍‌ମାନେ ଏବେଠୁ ସକ୍ରିୟ ​ହେଲେଣି...

ରାଜ୍ୟ ସରକାର ଏମ୍‌ଏସ୍‌ପି କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଚାଷୀଙ୍କଠୁ ଖରିଫ ଧାନ କିଣିବାକୁ ଯାଉଛନ୍ତି । କେନ୍ଦ୍ରର ଧାର୍ଯ୍ୟ ଏମ୍‌ଏସ୍‌ପିଠୁ ରାଜ୍ୟ ସରକାର ଏଥର କ୍ବିଣ୍ଟାଲ ପ୍ରତି ଅଧିକ ୮୦୦ ଟଙ୍କା ଦେବାକୁ ଥିବାରୁ ସେଥିରେ ନିଜ ପକେଟ୍ ଗରମ କରିବାକୁ ଦଲାଲ୍‌ମାନେ ଏବେଠୁ ସକ୍ରିୟ ​ହେଲେଣି...

WhatsApp Image 2024-10-16 at 11.10.47 PM

ରାଉରକେଲା: ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଚାଷୀଙ୍କଠୁ ଖରିଫ ଧାନ କିଣିବାକୁ ଯାଉଛନ୍ତି । କେନ୍ଦ୍ରର ଧାର୍ଯ୍ୟ ଏମ୍‌ଏସ୍‌ପିଠୁ ରାଜ୍ୟ ସରକାର ଏଥର କ୍ବିଣ୍ଟାଲ ପ୍ରତି ଅଧିକ ୮୦୦ ଟଙ୍କା ଦେବାକୁ ଥିବାରୁ ସେଥିରେ ନିଜ ପକେଟ୍ ଗରମ କରିବାକୁ ଦଲାଲ୍‌ମାନେ ଏବେଠୁ ସକ୍ରିୟ ​ହେଲେଣି।

ବର୍ଦ୍ଧିତ ଟଙ୍କାକୁ ଆତ୍ମସାତ୍ କରିବାକୁ ସେମାନେ ଗଳାବାଟ ତିଆରି କରୁଥିବା ଅଭିଯୋଗ ହେଉଛି। ପଡ଼ୋଶୀ ଝାଡ଼ଖଣ୍ଡରେ ଧାନର କ୍ବିଣ୍ଟାଲ ପ୍ରତି ଦର ଓଡ଼ିଶାଠୁ କମ୍‌ ଥିବାରୁ ଦଲାଲ ଓ ମିଲର୍ସମାନେ ସେଠୁ ବହୁ ପରିମାଣର ଧାନ କିଣି ନିଜ ଗୋଦାମ ଗଚ୍ଛିତ କଲେଣି। ଏସବୁ ଧାନକୁ ସ୍ଥାନୀୟ ଚାଷୀଙ୍କ ସହ ଭିତିରି ସଲାସୁତୁରା କରି ଲ୍ୟାମ୍ପସ୍‌ରେ ବିକ୍ରି କରିଦେବାକୁ ଚକ୍ରାନ୍ତ ଚଳାଇଛନ୍ତି। 

ପ୍ରତିବର୍ଷ ଦଲାଲ ଓ ମିଲର୍ସମାନେ ପଡ଼ୋଶୀ ରାଜ୍ୟରୁ ଶହଶହ କ୍ବିଣ୍ଟାଲ ଧାନ ସ୍ଥାନୀୟ ଚାଷୀଙ୍କ ଜରିଆରେ ବିକ୍ରି କରିଥାନ୍ତି। ଦଲାଲ ଓ ମିଲର୍ସମାନେ ଚାଷୀଙ୍କୁ କ୍ବିଣ୍ଟାଲ ପ୍ରତି କମିସନ୍‌ ଦେଇ ଟୋକନ ହାତେଇଥାନ୍ତି। ସେହି ଟୋକନ୍‌କୁ ବ୍ୟବହାର କରି ଲ୍ୟାମ୍ପସ୍‌ରେ ଧାନ ବିକ୍ରି କରିଥାନ୍ତି। ଦଲାଲ, ମିଲର୍ସ ଓ ଚାଷୀଙ୍କ ସହ ଭିତିରି ବୁଝାମଣା କରିଥିବାରୁ ଲ୍ୟାମ୍ପସ ଅଧିକାରୀମାନେ ଏହି ବେଆଇନ୍‌ କାର୍ଯ୍ୟକୁ ଅଟକାନ୍ତି ନାହିଁ। ଯାହାର ଭରପୂର ଫାଇଦା ଉଠାଇଥାନ୍ତି ଅସାଧୁ ବ୍ୟକ୍ତିବିଶେଷ।

ଅବଶ୍ୟ ବିଗତ ଦିନରେ ଲ୍ୟାମ୍ପସଗୁଡ଼ିକ ପକ୍ଷରୁ ଗଠିତ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବିଭିନ୍ନ ଦଲାଲ ଓ ମିଲ୍‌ର ଗୋଦାମ ଉପରେ ଚଢ଼ଉ କରି ଶହଶହ କ୍ବିଣ୍ଟାଲ ଧାନ ଜବତ କରିଥିଲେ। ତଥାପି ଏହି ଅନୀତି କମୁନି। ଏଥର ନୂଆ କରି ଆସିଥିବା ସରକାର ବର୍ଷବର୍ଷ ଧରି ଲ୍ୟାମ୍ପ୍‌ସଗୁଡ଼ିକରେ ଚାଲିଥିବା ଅନିୟମିତା ରୋକିବାକୁ କେତେଦୂର ସଫଳ ହୋଇପାରୁଛି, ତାହା ବି କହିବା ମୁସ୍କିଲ।

ପ୍ରତିବର୍ଷ ଝାଡ଼ଖଣ୍ଡ ସୀମାନ୍ତ ବିଶ୍ରା, କୁଆରମୁଣ୍ଡା, ନୂଆଗାଁ, ରାଏବଗା, ଛତିଶଗଡ଼ ସୀମାନ୍ତ ସବ୍‌ଡେଗାର କିରାଲଗା, ହେମଗିରି ବ୍ଲକର ଲୁଆବାହାଲ, ହେମଗିରି ଓ ବାଲିଶଙ୍କରା ବ୍ଲକ ଅଧୀନସ୍ଥ ଲ୍ୟାମ୍ପ୍‌ସଗୁଡ଼ିକ ଅନିୟମିତା ଅଭିଯୋଗ ସାମ୍ନାକୁ ଆସୁଥିବାରୁ ଏଥର ଏସବୁ ଉପରେ କଡ଼ା ନଜର ରଖାଯାଇଛି। 

ଜିଲ୍ଲାରେ ୧୩୫ଟି ମଣ୍ଡି (ପିସିସି) ଜରିଆରେ ମୋଟ ୨୩ ଲକ୍ଷ କ୍ବିଣ୍ଟାଲ ଖରିଫ ଧାନ କିଣିବାକୁ ଲକ୍ଷ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୫୪ ହଜାର ୪୧୦ ଚାଷୀ ୪୪ଟି ଲ୍ୟାମ୍ପସରେ ପଞ୍ଜିକୃତ ହୋଇସାରିଛନ୍ତି। ଗତ ବର୍ଷ ଜିଲ୍ଲାରେ ପଞ୍ଜିକୃତ ଚାଷୀ ସଂଖ୍ୟା ୫୩ ଲକ୍ଷ ୭୪୦ ଥିବାବେଳେ ଏଥର ତାହା ବୃଦ୍ଧି ପାଇଛି। ଜିଲ୍ଲାସ୍ତରୀୟ ଧାନକିଣା କମିଟିର ନିଷ୍ପତ୍ତି ଅନୁଯାୟୀ ଡିସେମ୍ବର ଦ୍ବିତୀୟ ସପ୍ତାହରୁ ଚାଷୀମାନଙ୍କୁ ଟୋକନ୍‌ ଦିଆଯିବ। 

ସୁନ୍ଦରଗଡ଼ ସମବାୟ ସମିତିର ଉପନିବନ୍ଧକ ଉମାଶଙ୍କର ଦାସ କହିଛନ୍ତି, ମଙ୍ଗଳବାର ସରକାର ଚାଷୀଙ୍କଠୁ ଖରିଫ ଧାନକିଣାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାନ୍ତ ଝାଡ଼ଖଣ୍ଡ ଓ ଛତିଶଗଡ଼ ଲ୍ୟାମ୍ପସଗୁଡ଼ିକ ଉପରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ କଡ଼ା ନଜର ରଖିବ। ମଣ୍ଡିଗୁଡ଼ିକରେ ସିସି କ୍ୟାମେରା ବ୍ୟବସ୍ଥା କରାଯାଇଛି। ମଣ୍ଡିଗୁଡ଼ିକରେ ଚାଷୀଙ୍କ ଧାନ ସୁରକ୍ଷିତ ରଖିବାକୁ ସମସ୍ତ ଲ୍ୟାମ୍ପକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe