ଯୋଜନା ଚିତ୍ରରେ ରହିଗଲା ଖୋର୍ଦ୍ଧାଗଡ଼ର ବିକାଶ

ଯୋଜନା ଚିତ୍ରରେ ରହିଗଲା ଖୋର୍ଦ୍ଧାଗଡ଼ର ବିକାଶ

Sambad

ଖୋର୍ଦ୍ଧା: ବାରବାଟି ଦୁର୍ଗର ପତନ ପରେ ୧୫୭୨ରୁ ୧୮୦୪ ଯାଏଁ ପ୍ରାୟ ୨୩୦ ବର୍ଷ ଧରି ଓଡ଼ିଶାର ରାଜଧାନୀ ଭାବେ ଖୋର୍ଦ୍ଧା ଗଡ଼ ନିଜର କର୍ତୃତ୍ବ ବଜାୟ ରଖିଥିଲା। ପାଇକଙ୍କ ଆରାଧ୍ୟଦେବୀ ବରୁଣେଇ ଓ କୁଳଦେବତା କୁଞ୍ଜବିହାରୀଙ୍କ ଆଶୀର୍ବାଦରେ ବୀର ପାଇକ ମୋଗଲ ଠାରୁ ବ୍ରିଟିଶ୍‌ ସାମ୍ରାଜ୍ୟ ବିରୋଧରେ ଲଢ଼େଇ ଜାରି ରଖିଥିଲା। ଏଭଳି ଐତିହାସିକ କୀର୍ତ୍ତି ଆଜି ଉଭୟ ପ୍ରଶାସନ ଓ ଲୋକଙ୍କ ଆଢ଼ୁଆଳରେ ରହି ଯାଇଛି। ଏହାର ବିକାଶ କଥା ଦାବିପତ୍ର, ଆନ୍ଦୋଳନ ଓ ଯୋଜନା ଚିତ୍ରରେ ସୀମିତ ରହି ଯାଇଛି। ଖୋର୍ଦ୍ଧା ଗଡ଼ ବର୍ତ୍ତମାନ ରାଜ୍ୟ ପ୍ରତ୍ନତତ୍ବ ବିଭାଗର ତତ୍ବାବଧାନରେ ରହିଛି।

୧୯୭୮ରେ ରାଜ୍ୟ ପ୍ରତ୍ନତତ୍ବ ବିଭାଗର ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲା। ଗଡ଼ ଖୋର୍ଦ୍ଧା ମଧ୍ୟରେ ପ୍ରତ୍ନତାତ୍ବିକ ଖନନରେ ଅନେକ ଗୁରୁତ୍ବପୂର୍ଣ୍ଣ ଐତିହାସିକ କୀର୍ତିରାଜି ମିଳିଥିଲା। ଏହାପରେ ରାଜ୍ୟର ଏକାଧିକ ସରକାର ପରିବର୍ତନ ହୋଇଛି, ସମସ୍ତ ରାଜନୈତିକ ନେତା ଖୋର୍ଦ୍ଧା ଗଡ଼ ବୁଲି ଏହାର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ ଏଯାଏଁ ଏହି ପ୍ରତିଶ୍ରୁତି ପୂରଣ ହୋଇ ପାରିନାହିଁ। ୨୦୧୮ରେ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତି ଉତ୍ସବର ଅବ୍ୟବହିତ ପୂର୍ବରୁ ୨୦୧୪ରେ ପ୍ରଥମ ଥର ପାଇଁ ଖୋର୍ଦ୍ଧା ଗଡ଼ର ବିକାଶ ପାଇଁ ନ୍ୟୁଥିଂକିଂ ଫୋରମ୍‌ ପକ୍ଷରୁ ସ୍ଥାନୀୟ ଗୀତାଭବନରେ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକୁ ନେଇ ଏକ ଆଲୋଚନାଚକ୍ର ହୋଇଥିଲା। ଏଥିରେ ଖୋର୍ଦ୍ଧା ଗଡ଼ର ବିକାଶ ପାଇଁ ଦାବି ହୋଇଥିଲା। ଏହାପରେ ୨୦୧୫ରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହାର ବିକାଶ ପାଇଁ ୨ କୋଟି ୭୦ଲକ୍ଷଟଙ୍କା ମଞ୍ଜୁର ହୋଇଥିଲା।

ପୂର୍ତ ବିଭାଗ ଏହାର ଦାୟିତ୍ବ ନେଇ ଟେଣ୍ଡର ମାଧ୍ୟମରେ ଠିକାଦାର ନିଯୁକ୍ତି କରିଥିଲା। ଏହି ବ୍ୟୟ ଅଟକଳରେ ପାଇକ ବିଦ୍ରୋହର ସ୍ମାରକସ୍ତମ୍ଭ, ମୁକ୍ତାକାଶ ରଙ୍ଗମଞ୍ଚ, ଦର୍ଶକ ଗ୍ୟାଲେରୀ, ଆଲୋକୀକରଣ, ଶୌଚାଳୟ, ପାନୀୟ ଜଳ ଆଦିର ବ୍ୟବସ୍ଥା କରିବାକୁ ଯୋଜନା ହୋଇଥିଲା। ଏହା ମଧ୍ୟରେ ୯ଟି ପର୍ଯ୍ୟାୟରେ ଉକ୍ତ ଠିକାଦାର ସମ୍ପୂର୍ଣ୍ଣ ବିଲ୍‌ ପାଇଛନ୍ତି, କିନ୍ତୁ ଖବର ନେବାରୁ ଜଣାଯାଇଛି ଯେ ଏଯାଏଁ ଠିକାଦାର ଦୁର୍ଗର ପଶ୍ଚିମ ପଟର ପର୍ଯ୍ୟଟକ ଗୃହ ଓ ମୁକ୍ତାକାଶ ପ୍ରେକ୍ଷାଳୟର ଚାବି ବିଭାଗକୁ ହସ୍ତାନ୍ତର କରିନାହାନ୍ତି। ବିଭାଗ ପକ୍ଷରୁ ଅଧାପନ୍ତରିଆ ବିକାଶ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଅନୁଦିତ ଟଙ୍କାର ଅର୍ଦ୍ଧାଧିକ କେବଳ ‌ଖାଲ ପୋତିବାରେ ଖର୍ଚ୍ଚ ହୋଇ ଯାଇଛି। ବଳକା କାମ ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ, ୧୯୯୦ରେ ଗଡ଼ ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଓ ଶେଷ ଲାଇଟ୍‌-ସାଉଣ୍ଡ ସୋରେ ତତ୍‌କାଳନୀ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯୋଗ ଦେଇ ଏହାର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ୨୦୧୬ ଜାନୁଆରୀ ୨୮ ତାରିଖରେ ପ୍ରାଣନାଥ ମହାବିଦ୍ୟାଳୟର ସମାବର୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ତତ୍‌କାଳୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଡ଼ ଖୋର୍ଦ୍ଧାର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ୨୦୧୭ ମାର୍ଚ୍ଚ ୧୭ ତାରିଖରେ ଲୋକସେବକ ଭବନରେ ତତ୍‌କାଳୀନ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଧ୍ୟ ଏହାର ବିକାଶ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ୨୦୧୮ରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଗସ୍ତ ସମୟରେ ଏହାରବିକାଶ ପାଇଁ ଘୋଷଣା କରିଥିଲେ। ୨୦୧୯ ଡିସେମ୍ବର ୮ ତାରିଖରେ ବରୁଣେଇ ଠାରେ ପାଇକ ସ୍ମାରକୀ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ମଧ୍ୟ ଖୋର୍ଦ୍ଧା ଗଡ଼ର ବିକାଶ ପାଇକ ସ୍ମାରକୀ ନିର୍ମାଣ ସହ କରାଯିବ ବୋଲି ନେତାମନ୍ତ୍ରୀ ମାନେ ପ୍ରତିଶ୍ରୁତି ଦେଇଥିଲେ। ଏନେଇ ନ୍ୟୁଥିଂକିଂ ଫୋରମ୍‌ର ନରେନ୍ଦ୍ର ପୃଷ୍ଟି କହିଛନ୍ତି ଯେ ଖୋର୍ଦ୍ଧା ଗଡ଼ର ବିକାଶ ପାଇଁ ୨୦ କୋଟି ଟଙ୍କା ବ୍ୟୟ ଅଟକଳର ଏକ ଯୋଜନାଚିତ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା। ବର୍ତମାନ ଏହା ବୃଦ୍ଧି ପାଇ ୬୬ କୋଟିରେ ପହଞ୍ଚିଛି। ଯଦି ଏହି ଯୋଜନାଚିତ୍ର ଅନୁସାରେ ବିକାଶ କରାଯାଇପାରନ୍ତା ତେବେ ଖୋର୍ଦ୍ଧା ଗଡ଼ର ଐତିହାସିକ ଗରିମାକୁ ସମଗ୍ର ଦେଶ ଜାଣିପାରନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe