ନିରାକାରପୁର(ଉମେଶ ଚନ୍ଦ୍ର ପଟ୍ଟନାୟକ): ଆଜି ପବିତ୍ର ଗର୍ଭଣା ସଂକ୍ରାନ୍ତି। ଏହି ସମୟରେ ଧାନ ଗଛର ଗର୍ଭରେ ଧାନକେଣ୍ଡା ମାନ ବାହାରକୁ ବାହାରିଥାଏ। ତେଣୁ ଚାଷୀଭାଇମାନେ ଭଲ ଧାନ ଫସଲ ଅମଳ ଓ ରୋଗପୋକ ଦାଉରୁ ରକ୍ଷା ନିମନ୍ତେ ଧାନକ୍ଷେତର ହିଡ଼ ମୁଣ୍ଡରେ ଯାଉ ପ୍ରସ୍ତୁତି କରି ଧାନମାଣିକାର ଦେବୀ ମା’ ଲଷ୍ମୀଙ୍କର ନିକଟରେ ଭୋଗଲାଗି କରିବା ସହିତ ଭଲ ଫସଲ ପାଇଁ ପ୍ରାର୍ଥନା କରିଥାନ୍ତି। ତେବେ ଏନେଇ ବରିଷ୍ଠ ପ୍ରାକ୍ତନ କୃଷିଅଧିକାରୀ ଦୀନବନ୍ଧୁ ମିଶ୍ରଙ୍କ ମତରେ ଆମ ପରମ୍ପରାରେ ଯାହା ବି ରହିଛି ତା ପଛରେ ବିଜ୍ଞାନର ସମ୍ମତି ରହିଛି। ଧାନ ଗଛର ଗର୍ଭ ଅବସ୍ଥାରେ ରୋଗପୋକର ଭୟ ଥାଏ। ବିଲ ମୁଣ୍ଡରେ ଯାଉ କରିବା ଦ୍ୱାରା ଚୁଲିରୁ ନିର୍ଗତ ଧୂଆଁ ଯୋଗୁଁ ଜମିରେ ଥିବା କ୍ଷତିକାରୀ ରୋଗପୋକ ନଷ୍ଟ ହୋଇଯାଇଥାନ୍ତି। ଯଦ୍ୱାରା ଧାନ କ୍ଷେତକୁ ରୋଗପୋକ ଦାଉରୁ ମୁକ୍ତି ମିଳିଥାଏ ଓ ଭଲ ଧାନ କେଣ୍ଡାମାନ ବାହାରକୁ ଆସିଥାଏ ବୋଲି ମତ ଦିଅନ୍ତି।
ଆହୁରି ପଢ଼ନ୍ତୁ: ମାଣିକଗୋଡ଼ାର ନିଆରା ଦୁର୍ଗାପୂଜା: ପାଲଟିଛି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଉଦାହରଣ
କେତେକ ପୁରୁଖା ଚାଷୀଙ୍କ ମତରେ ଏହି ଦିନ ଚାଷୀ ସକାଳୁ ସ୍ନାନ ପରେ ନୂତନ ବସ୍ତ୍ର ପିନ୍ଧି ନୂଆ ଆଟିକା ସହ ଯାଉ ପ୍ରସ୍ତୁତି ସାମଗ୍ରୀ ଧରି ଧାନ କ୍ଷେତରେ ପହଞ୍ଚେ।ପରମ୍ପରା ଅନୁସାରେ ହିଡ଼ ମୁଣ୍ଡରେ ଅରୁଆ ଚାଉଳ, କ୍ଷୀର, ନଡ଼ିଆରେ ଯାଉ ପ୍ରସ୍ତୁତ କରେ। ପ୍ରସ୍ତୁତି ଯାଉକୁ ମା' ଅନ୍ନଦାତ୍ରୀଙ୍କ ନାମରେ ଭୋଗଲାଗି କରାଯାଇଥାଏ। ତେଣୁ ଏହି କ୍ରମରେ ଆଜି ନିରାକାରପୁର ପଞ୍ଚାୟତ ଅଞ୍ଚଳ ସମେତ ପଡୋଶୀ ପଞ୍ଚାୟତ ଅଞ୍ଚଳରେ ଥିବା ସମସ୍ତ ଚାଷୀଭାଇମାନେ ମା' ଲଷ୍ମୀଙ୍କ ଉଦେଶ୍ୟରେ ଧାନ ଜମିର ହିଡ଼ ମୁଣ୍ଡରେ ପରିବାର ସଦସ୍ୟଙ୍କ ସହିତ ଖିରି ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଥିଲା। ହରିବୋଲ, ହୁଳହୁଳିରେ ଧାନ ଗହୀର ଜମିରେ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ସେଇପରି ଆଜି ଗର୍ଭଣା ସଂକ୍ରାନ୍ତି ସହ କୃଷ୍ଣପକ୍ଷ ଏକାଦଶୀ ହୋଇଥିବାରୁ ସ୍ଥାନୀୟ ବିଭିନ୍ନ ମନ୍ଦିର ବେଢା ଉତ୍ସବ ମୁଖର ହୋଇ ଉଠିଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମନ୍ଦିର ବେଢାକୁ ରଙ୍ଗୀନ ଆଲୋକମାଳାରେ ସଜେଇ ଦିଆଯାଇଥିଲା। ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମନ୍ଦିରରେ ଦିଅଁ ଦର୍ଶନ କରିଥିଲେ।