କୁଆଖାଇ ନଦୀରୁ ବେଆଇନ ବାଲି ଉଠାଣ; ଧସିବ ଟଙ୍କପାଣି ବ୍ରିଜ !

Advertisment
କୁଆଖାଇ ନଦୀରୁ ବେଆଇନ ବାଲି ଉଠାଣ;  ଧସିବ ଟଙ୍କପାଣି ବ୍ରିଜ !

Sambad

ବାଲିଅନ୍ତା: ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳ ଦେଇ ପ୍ରବାହିତ କୁଆଖାଇ, ଭାର୍ଗବୀ ଓ କୁଶଭଦ୍ରା ନଦୀ ଏବେ ବାଲି ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ଏହି ୩ଟି ଯାକ ନଦୀରୁ ବେଆଇନ ଭାବେ ଦୈନିକ ହଜାର ହଜାର ଟ୍ରିପ୍‌ ବାଲି ଚାଲାଣ ହେଉଛି। ଜଣେ ପ୍ରାଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନଦୀ ଶଯ୍ୟାର ୩ ମିଟର ଗଭିରତା ପର୍ୟ୍ୟନ୍ତ ବାଲି ଉତ୍ତୋଳନ ନେଇ ନିୟମ ରହିଛି। ହେଲେ ବାଲି ମାଫିଆ ମାନେ ଏହି ଗାଇଡ଼ ଲାଇନକୁ ବେଖାତିର କରି ବେଧଡ଼କ ଭାବେ ବାଲି ଉତ୍ତୋଳନ କରୁଛନ୍ତି। ଦିନରୁ ରାତି ପର୍ଯ୍ୟନ୍ତ ବାଲି ତଡ଼ାଯିବା ଦ୍ବାରା ନଦୀ ଭିତର ପ୍ରାୟ ୩୦ ଫୁଟ ଗଭୀର ହୋଇଗଲାଣି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସ୍ଥାନୀୟ ଟଙ୍କପାଣି ବ୍ରିଜ ମୂଳରୁ ବାଲି ଉଠା ଯାଉଥିବାରୁ ତାହା ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଦେଇଛି। ବେଆଇନ ଖନନ ଯୋଗୁ ନଦୀରେ କୃତ୍ରିମ ଗଣ୍ଡ ସଦୃଶ ଗର୍ତ୍ତ ସୃଷ୍ଟି ହୋଇଛି। ସ୍ନାନ ସୌଚ ହେବାକୁ ଆସୁଥିବା ଲୋକେ ଗଭୀର ଜଳରେ ବୁଡ଼ି ମୃତ୍ୟୁବରଣ କରିଥିବା ନଜିର ରହିଛି। ଉଭୟ ଭୁବନେଶ୍ବର ଓ ବାଲିଅନ୍ତା ତହସିଲ ଅଧୀନରେ ଥିବା ସମଗ୍ର ଉପକଣ୍ଠ ଅଞ୍ଚଳ ଉପରୋକ୍ତ ୩ ନଦୀର ସୀମା ପରିସର ଅଞ୍ଚଳ ହୋଇଥିବା ବେଳେ ଦାୟିତ୍ବରେ ଥିବା ତହସିଲଦାର ନିଲାମଧାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉଁ ନଥିବା ଅଭିଯୋଗ ହେଉଛି। ବାଲିଘାଟ ନିଲାମ ଧାରୀଙ୍କ ଲୋଳୁପ ଦୃଷ୍ଟିରୁ ନଦୀପଠା ଅଞ୍ଚଳ ମଧ୍ୟ ବାଦ ପଡ଼ୁନି। ଖାଲି ସେତିକି ନୁହେଁ ବେଆଇନ ବାଲି ଖନନ ଓ ଚାଲାଣ ଯୋଗୁ ସ୍ଥାନୀୟ ଜନସାଧାରଣ ହୀନସ୍ତା ହେଉଛନ୍ତି।

publive-image Sambad

ଯାତାୟତ, ଗମନାଗମନ, ପରିବେଶ ଉପରେ ଏହାର ପ୍ରଭାବ ପଡ଼ୁଛି। ଆଖପାଖ ସଂଲଗ୍ନ ପିଚୁ ଏବଂ କଂକ୍ରିଟ ରାସ୍ତା ଉପରେ ବାଲିର ପରସ୍ତ ଜମି ରାସ୍ତା ସତ୍ତା ହରାଇଛି। ବାଲିର ଆସ୍ତରଣରେ ରାସ୍ତା ଲୁଚି ଯାଇଛି। କେଶୁରା, ପାଣ୍ଡରା ଓ ବାଙ୍କୁଆଳ ରାସ୍ତା ଉପରେ ୧୦ ଇଞ୍ଚ ମୋଟାରେ ବାଲିର ଆସ୍ତରଣ ଜମିଗଲାଣି। ବାଲିଘାଟ ନିଲାମ ଧାରୀ ରାସ୍ତାରୁ ବାଲି ସଫା କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଜଣାପଡ଼ିଛି। ଫଳରେ ବାଇକ ଆରାହୀ ଓ ଗାଡ଼ି ଚାଳକମାନେ ଭାରସ୍ୟମ ହରାଇ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଜୟଦେବ ନିର୍ବାଚନ ମଣ୍ଡଳୀର ପ୍ରବେଶ ପଥ କୁହାଯାଉଥିବା ଟଙ୍କପାଣି ବ୍ରିଜ ପ୍ରତି ଏବେ ବିପଦ ଦେଖାଦେଇଛି। ଡୋଜର ସାହାର୍ଯ୍ୟରେ ବ୍ରିଜ ନିକଟରୁ ବାଲି ଖୋଳାଯିବା ଦ୍ବାରା ତାହା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି ବୋଲି ଜନମତ ପ୍ରକାଶ ପାଇଛି। ଅନେକ ଡଙ୍ଗା ବୁଲାଇ ଭ୍ୟାକୁମ ମେସିନ ସାହାଯ୍ୟରେ ପାହାଡ଼ ସଦୃଶ ବାଲିଗଦା କରାଯାଇଛି। ଭ୍ୟାକୁମ ମେସିନ ମୁର୍ଡରେ ୮ ଇଞ୍ଚ ଚଉଡ଼ାର ପାଇପ ଲଗାଇ ବାଲି ଟଣାଯିବା ସମୟରେ ମାଛ କଙ୍କଡ଼ା ଭଳି ଜଳ ଜୀବଙ୍କର ମୃତ୍ୟୁ ଘଟୁଛି। ଖାଲି ସେତିକି ନୁହେଁ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ଉପକୂଳବର୍ତ୍ତୀ ଜଳାର୍ଣ୍ଣବ ହେବା ସହ ହଜାର ହଜାର ହେକ୍ଟର ଚାଷଜମି ଉଜୁଡ଼ିବାର ଆଶଙ୍କା ରହିଛି। ଏ ସଂପର୍କରେ ତହସିଲ ପ୍ରଶାସନ ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe