ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା : ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

Advertisment
ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା : ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ଜଟଣୀ : ଜଟଣୀ ଥାନା ପୌରାଞ୍ଚଳ ଅନ୍ତର୍ଗତ ବାଛରାପାଟଣା ଖାସମାହାଲ କଲୋନି ଜଗନ୍ନାଥବିହାରରେ ମଙ୍ଗଳବାର ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା ଆଜି ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ଥିଲା। ସାମାନ୍ୟ ମୋବାଇଲ୍‌କୁ ନେଇ ଦୁଇଜଣ ଏମିତି ଜୀବନ ହାରିଦେଲେ ନାଁ ଏହା ପଛରେ ଆଉ କିଛି କାରଣ ରହିଛି ସେ ସଂପର୍କରେ ଆଲୋଚନା ଚାଲିଥିଲା। ତେବେ ପୁଲିସ ମଧ୍ୟ ଏହି ଘଟଣାକୁ ଗୁରୁତର ସହିତ ନେଇଛି। କେଉଁ ପରିସ୍ଥିତିରେ ଉଭୟ ଏପରି ଚରମ ନିଷ୍ପତ୍ତି ନେଲେ ସେ ସଂପର୍କରେ ଅଧିକ ଖୋଳତାଡ଼ କରୁଛି। ଆଜି ଜୋନ୍‌-୩ ଏସିପି ପ୍ରାଣକୃଷ୍ଣ ରାଉତ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ଆଜି ସକାଳେ ଏସିପି ଶ୍ରୀ ରାଉତ ଓ ସାଇଣ୍ଟିଫିକ୍‌ ଦଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଶବ ଉଦ୍ଧାର ହୋଇଥିବା ଉଭୟ ଘରକୁ ଯାଞ୍ଚ କରିଥିଲେ। ସେହିପରି ଜଟଣୀଥାନାରେ ଏ ନେଇ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ଉଭୟ ଆଶିଷ ସ୍ୱାଇଁ (୧୮) ଓ ମିତା ବାରିକଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ୍‌ ସୂଚନା ଅନୁଯାୟୀ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ମାସେ ତଳେ କୌଣସି ଏକ ମନ୍ଦିରରେ ମିତା ଓ ଆଶିଷ ବିବାହ କରିଥିଲେ। ମଙ୍ଗଳବାର ମୋବାଇଲ୍‌ ଦେଖିବା ଘଟଣାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହାପରେ ରାଗରେ ଆଶିଷ୍‌ ମିତାକୁ ମାଡ଼ ମାରି କାନମୁଣ୍ଡାରୁ ରକ୍ତ ବାହାର କରିଦେଇଥିଲା। ଏନେଇ ମିତା ତାର ପରିବାର ଲୋକଙ୍କୁ କହିଦେବାରୁ ଆଶିଷ ବେକରେ ଏକ ପ୍ଲାଷ୍ଟିକ୍‌ ରଶି ଲଗାଇ ଫ୍ୟାନ୍‌ରେ ଝୁଲିପଡ଼ିଥିଲା। ଏଥିରେ ମାନସିକ ଭାରସମ୍ୟ ହରାଇ ମିତା ମଧ୍ୟ ଏକ ଗାମୁଛାରେ ଝରକା ରଡ଼୍‍ରେ ଝୁଲିପଡ଼ିଥିଲା ବୋଲି ମିତା ଲେଖିଥିବା ଏକ ସଇସାଇଡାଲ୍‌ ନୋଟ୍‌ରୁ ଜଣାପଡ଼ିଛି। ଏ ସଂପର୍କରେ ମିତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଆଶିଷ ମାଡ଼ ମାରିବା ନେଇ ମିତା ଫୋନ୍‌ରେ ପରିବାର ଲୋକଙ୍କୁ ଜଣାଇଥିବା ପଚରାଉଚରାରୁ ଜଣାପଡ଼ିଛ ବୋଲି ତଦନ୍ତକାରୀ ଅଧିକାରୀ ହାଡ଼ିବନ୍ଧୁ ଦାଶ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe