ମା’ ଭଗବତୀଙ୍କ ଶାରଦୀୟ ପୂଜା: ସାତ ବଖରାରେ ପୂଜା ପାଉଛନ୍ତି ସାତ ଭଉଣୀ

ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା'  ଭଗବତୀଙ୍କୁ ଆଧାର କରି ଶାରଦୀୟ ଦୂର୍ଗlତ୍ସବ ସଂପୂର୍ଣ୍ଣ ନିଆରା ଢଙ୍ଗରେ କାହିଁ କେଉଁ କାଳରୁ ପାଳନ କରାଯାଉଥିବାର ପରମ୍ପରା ଚଳି ଆସିଛି।

New Project

ବାଣପୁର(ଅରୁଣ ପଣ୍ଡା): ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା'  ଭଗବତୀଙ୍କୁ ଆଧାର କରି ଶାରଦୀୟ ଦୂର୍ଗlତ୍ସବ ସଂପୂର୍ଣ୍ଣ ନିଆରା ଢଙ୍ଗରେ କାହିଁ କେଉଁ କାଳରୁ ପାଳନ କରାଯାଉଥିବାର ପରମ୍ପରା ଚଳି ଆସିଛି। ରାଜ୍ୟ ତଥା ଦେଶର ପ୍ରତ୍ୟେକ ଶକ୍ତିପୀଠଗୁଡ଼ିକରେ ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଯାହା ମୂଳାଷ୍ଟମୀ ଭାବରେ ପରିଚିତ ଏହି ଦିନଠାରୁ ଶୁକ୍ଳ ଦଶମୀ ଦିନ ଯାହା ଦଶହରା ଭାବରେ ସର୍ବତ୍ର ପରିଚିତ ଏହି ଦିନ ପର୍ଯ୍ୟନ୍ତ ଷୋଡ଼ଶ ଦିବସ  ଧରି ଶାରଦୀୟ ଦୁର୍ଗାପୂଜାରେ ମାତୃଶକ୍ତିର ପୂଜା ଆରାଧନା କରାଯାଉଥିବା ବେଳେ ବାଣପୁରରେ ବର୍ଷର ପ୍ରାରମ୍ଭ ବିଷୁବ ସଂକ୍ରାନ୍ତି ଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଆଶ୍ଵୀନ ମାସ କୁମାର ପୂର୍ଣ୍ଣମୀରେ ଶେଷ ହୁଏ। ସର୍ବତ୍ର ପୀଠଦେବୀଙ୍କୁ ଏକାକୀ କେବଳ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଏଠାରେ ପୀଠ ଦେବୀ ମା' ଭଗବତୀଙ୍କ ସହିତ, ପ୍ରାଚୀନ ବଙ୍କାଡ ରାଜ୍ୟ ଅଧୁନା ବାଣପୁରର ଚାରି ସୀମାରେ ପ୍ରତିଷ୍ଠିତ ମା'ନାରାୟଣୀ, ମା'କାଳିଜାଇ , ମା'ସିଦ୍ଧେଶ୍ଵରୀ, ମା'ବିରିଜାଇ, ବଙ୍କାଡ଼ଗଡ଼ଦେବୀ, ମା' କନକଦୁର୍ଗା ଓ ମା' ବୁଢୀ ଠାକୁରାଣୀ ଏହି ପରି ସପ୍ତମାତୃଶକ୍ତି ଯାହା ସାତ ଭଉଣୀ ଭାବରେ ପରିଚିତ। ସମସ୍ତଙ୍କୁ ସାଥିରେ ନେଇ ଦୁର୍ଗାତ୍ସବ ପାଳନ ହେଉଅଛି l ସାତ ଭଉଣୀଙ୍କ ଉପାସନା ପାଇଁ ଏକ ସ୍ଵତନ୍ତ୍ର ପୀଠ ରହିଛି; ଯାହାକୁ ସାତବଖରା ଭିତର ପର୍ବଗୃହ ବୋଲି କୁହାଯାଏ।

ଶାରଦୀୟ ପୂଜା ଉତ୍ସବ ପାଇଁ ମା ଭଗବତୀ ନିଜର ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ସାତ ଭଉଣୀଙ୍କୁ ଉତ୍ସବରେ ଯୋଗ ଦେବା ନିମନ୍ତେ ମନ୍ଦିରକୁ ନିମନ୍ତ୍ରଣ କରିଥାନ୍ତିl ମାଆଙ୍କ ନିମନ୍ତ୍ରଣ ରକ୍ଷାକରି ସାତଭଉଣୀ ଶାରଦୀୟ ପର୍ବରେ ଯୋଗ ଦେଇଛନ୍ତି l ଭେଟ ଅମାବାସ୍ୟା ଦିନ ଭଉଣୀ ବିରଜାଈ ଉକ୍ତ ପର୍ବରେ ଯୋଗ ଦେଇଥିବା ବେଳେ ପୂର୍ବରୁ ଅନ୍ୟ ଠାକୁରାଣୀମାନେ ଯୋଗ ଦେଇଥିଲେl ଭେଟ ଅମାବାସ୍ୟା ପରେ ମା’ ଭଗବତୀଙ୍କର ଭିତର ପର୍ବ ଶେଷ ହୋଇ ନବରାତ୍ରର ବାହାର ପର୍ବ ଆରମ୍ଭ ହୁଏl ସାତ ଭଉଣୀଙ୍କୁ ଧରି ମା ପୂଜାପାଆନ୍ତି ସାତବଖରା ଘରେl ବୁଧବାର ଶୁକ୍ଲପକ୍ଷ ତୃତୀୟା ତିଥିରେ ସାତ ଭଉଣୀଙ୍କୁ ଧରି ସାତ ବଖରା ଘରେ ଅପୂର୍ବ ଶୋଭା ମଣ୍ଡିତ ହୋଇଛନ୍ତି ମା’l

ସାତ ବଖରା ଘରେ  ସାତ ଠାକୁରାଣୀ ମା ଭଗବତୀ, ବିରଜାଈ, କାଳିଜାଇ, ସିଦ୍ଧମ୍ବରୀ, ନାରାୟଣୀ, କନକ ଦୁର୍ଗା ଏବଂ ବୁଢ଼ୀଠାକୁରାଣୀଙ୍କୁ ସେବା କରିବାକୁ ପୂଜକ, ପତିରି, ପରିଛା, ଖାଡ଼ଙ୍ଗା ଓ ମାଳି ସେବାୟତ ମାନେ ଦୈନିକ ସେବା କରନ୍ତି l ସକାଳୁ ମାଆଙ୍କର ମାଘ ସ୍ନାନ ପରେ ଚନ୍ଦନ ଫୁଲ ଦେଇ ମହାପ୍ରସାଦ ସମର୍ପଣ କରାଯାଏl ଅପରାହ୍ନରେ ମା’ଙ୍କ ପାଖରେ ଖଇ, ନଡ଼ିଆ,କଦଳୀ ଏବଂ ବିଭିନ୍ନ ଫଳମୂଳ ସହ ନିଶଙ୍ଖୁଡି ଭୋଗ କରାଯାଏl ଦ୍ଵିତୀୟ ଧୂପରେ ମାଆଙ୍କୁ ବଳି ଅନ୍ନ ଭୋଗ ଲଗାଯାଏl କାକରା, ମୁଆଁ ସହିତ ତୃତୀୟ ଧୂପ କରାଯାଏ l ନିଶାର୍ଦ୍ଧ ରାତ୍ରିରେ ମାଆକନକ ଦୁର୍ଗାଙ୍କୁ ପାଳିଆ ସେବାୟତ ଓ ଭ୍ରମଣୀ ପୂଜକ ମାଧ୍ୟମରେ ନଗର ପରିଭ୍ରମଣ କରିବାକୁ ନିଅନ୍ତିl ଭ୍ରମଣରୁ ଫେରିଲା ପରେ  ମାଆଙ୍କ ପାଖରେ ପର୍ବ ପୂକକଙ୍କ ମାଧ୍ୟମରେ ଚଣ୍ଡୀପାଠ କରାଯିବା ପରେ ମା’ଙ୍କୁ ଶଙ୍ଖୁଡି ଭୋଗ କରାଯାଏl ଶଙ୍ଖୁଡ଼ି ଭୋଗରେ ମାଙ୍କୁ ଅନ୍ନ, ମାଛ ମହୁର, ଗୁଣ୍ଡିଭଜା, ଦହିପଖାଳ, ଖିରି, ବଳିପୋଡ଼ା ପତିରି ପୂଜାରୀଙ୍କ ଦ୍ୱାରା ରୋଷେଇ କରି ନିଶାର୍ଦ୍ଧରେ ପୂଜା ହେଲା ପରେ ମାଙ୍କର ପହୁଡ଼ ପଡ଼େl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe