ଖୋର୍ଦ୍ଧା: କରୋନା ମହାମାରୀରେ ରାଜ୍ୟ ସରକାର ମଦକୁ ଘରକୁ ସିଧାସଳଖ ଯୋଗାଇବା ବ୍ୟବସ୍ଥା କଲେ । ମଦ ଉପରୁ ଲାଇସେନ୍ସ ଫିଜ୍ ଛାଡ଼ କଲେ । ଅପରପକ୍ଷରେ ମହାମାରୀରେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆବଶ୍ୟକ ଆମ୍ବୁଲାନ୍ସ ମିଳୁନାହିଁ । କିନ୍ତୁ ଏଭଳି ସ୍ଥିତିରେ ମଦ ମାଫିଆ ମଦ ଚାଲାଣ ପାଇଁ ଆମ୍ବୁଲାନ୍ସ ବ୍ୟବହାର କରିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଆଜି ଘଟଣାକ୍ରମେ ଖୋର୍ଦ୍ଧା ଟାଉନ୍ ପୁଲିସ ଖୋର୍ଦ୍ଧା ନିକଟରୁ ଏକ ଆମ୍ବୁଲାନ୍ସରୁ ଶତାଧିକ ଲିଟର ଦେଶୀ ମଦ ଜବତ କରିଛି ।
ଖୋର୍ଦ୍ଧା ଟାଉନ୍ ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକ ଏନେଇ ସୂଚନା ଦେଇ କହିଛନ୍ତି ଯେ ଏକ ଆମ୍ବୁଲାନ୍ସ (ଓଡି୦୨ବିଡି୨୯୧୦)ରେ ଖୋର୍ଦ୍ଧା ଦେଇ ଚୋରା ଦେଶୀମଦ ଚାଲାଣ ହେଉଥିବା ସୂଚନା ମିଳିଥିଲା। ସୂଚନା ଭିତ୍ତିରେ ଆମ୍ବୁଲାନ୍ସକୁ ଧରିବା ପାଇଁ ପୁଲିସ ଅଧିକାରୀ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ଟିମ୍ ହଳଦିଆ ରାସ୍ତାର ହାଟ ଛକ ଠାରେ ଆଜି ଭୋର ପ୍ରାୟ ୫ଟାରେ ଆମ୍ବୁଲାନ୍ସକୁ ଧରିଥିଲା। ଆମ୍ବୁଲାନ୍ସରୁ ୧୫୦ ଲିଟର ଦେଶୀ ମଦ ଜବତ ହୋଇଛି। ଆମ୍ବୁଲାନ୍ସଟି କଟକ ଆଠଗଡ଼ ଚିକିତ୍ସାଳୟ ସହ ଅନୁବନ୍ଧିତ ହୋଇଛି।
ଏହି ଘଟଣାରେ ଆମ୍ବୁଲାନ୍ସ ଚାଳକ ସରୋଜ କୁମାର ତ୍ରିପାଠୀଙ୍କୁ ଗିରଫ କରାଯାଇଛି । ଏନେଇ ୨୦୯/୨୦୨୧ରେ ଏକ ମାମଲା ରୁଜୁ ହୋଇଛି । ଆଜି ଡାକ୍ତରୀ ପରୀକ୍ଷଣ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।
ଏନେଇ ଚଢ଼ାଉର ନେତୃତ୍ୱ ନେଇଥିବା ଅଧିକାରୀ ବିଜୟ ବେହେରା କହିଛନ୍ତି ଯେ ଆମ୍ବୁଲାନ୍ସଟି କଟକ ଆଠଗଡ଼ରୁ ଖୋର୍ଦ୍ଧା ମଦ ଯୋଗାଇବା ପାଇଁ ଆସୁଥିଲା । ଆମ୍ବୁଲାନ୍ସର ମାଲିକ ଓ ଏହି ଚାଲାଣରେ ଆଉ କିଏ ସମ୍ପୃକ୍ତ ରହିଛି କି ନାହିଁ ସେନେଇ ଅନୁସନ୍ଧାନ ଚାଲିଛି ।
Follow Us