ଖୋର୍ଧା : ଆଜି ରାତି ପ୍ରାୟ ୯ଟା ୪୫ ବେଳେ ବେଗୁନିଆ ଥାନା ଅନ୍ତର୍ଗତ ବରମୂଳେଇ ନିକଟରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଠିକା କର୍ମଚାରୀ କାର୍ତ୍ତିକେଶ୍ୱର ସାହୁଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୭୩ ହଜାର ଟଙ୍କା ଲୁଟିନେଇଛନ୍ତି। ସୂଚନାନୁଯାୟୀ, ବେଗୁନିଆ ଥାନା ଅଧୀନ ଚଣ୍ଡିଆପଲ୍ଲା ଗ୍ରାମର କାର୍ତ୍ତିକେଶ୍ୱର ସବୁଦିନ ପରି ଆଜି ଗ୍ରାହକମାନଙ୍କଠାରୁ ଟଙ୍କା ଅସୁଲ କରି ବାଇକ୍ ଯୋଗେ ଘରକୁ ଫେରୁଥିଲେ। ତେବେ ବରମୂଳେଇ ନିକଟରେ ଏକ ପଲ୍ସର ବାଇକ୍ରେ ଦୁଇ ଜଣ ଦୁର୍ବୃତ୍ତ ପଛରୁ ଆସି ତାଙ୍କୁ ଧକ୍କା ମାରିଥିଲେ। କାର୍ତ୍ତିକେଶ୍ୱର ଏଥିରେ ଗାଡ଼ିରୁ ଖସିପଡ଼ି ଖଣ୍ଡିଆ ଖାବରା ହୋଇଥିବା ବେଳେ ସେ କିଛି ବୁଝିବା ଆଗରୁ ଲୁଟେରା ଦ୍ୱୟ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଏଥି ସହିତ ସେମାନେ କାର୍ତ୍ତିକେଶ୍ୱରଙ୍କ ପାଖରେ ଥିବା ୭୩ ହଜାର ନଗଦ ଟଙ୍କା ସମେତ ତାଙ୍କ ଏଟିଏମ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ ଏବଂ ମୋବାଇଲ୍ ଫୋନ୍ ଆଦି ଛଡ଼ାଇ ନେଇ ସେଠାରୁ ଚମ୍ପଟ ମାରିଥିଲେ। ଆହତ କାର୍ତ୍ତିକେଶ୍ୱର ବଡ଼ କଷ୍ଟରେ ବେଗୁନିଆ ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ବନ୍ଧୁକ ଦେଖାଇ ୭୩ ହଜାର ଲୁଟ୍
Advertisment
Follow Us