ଖୋର୍ଦ୍ଧାରେ କଏଦୀଙ୍କ ରାତ୍ରି ଭ୍ରମଣ: ପାଞ୍ଚ ହତ୍ୟା ଅଭିଯୁକ୍ତଙ୍କୁ ମୁକୁଳା ଛଡ଼ାଗଲା

ଖୋର୍ଦ୍ଧାରେ କଏଦୀଙ୍କ ରାତ୍ରି ଭ୍ରମଣ: ପାଞ୍ଚ ହତ୍ୟା ଅଭିଯୁକ୍ତଙ୍କୁ ମୁକୁଳା ଛଡ଼ାଗଲା

ଖୋର୍ଦ୍ଧା: ଖୋର୍ଦ୍ଧା ଜେଲ୍‌ରେ ବିଚାରାଧୀନ କଏଦୀଙ୍କର ରାତ୍ରି ଭ୍ରମଣ। ଜେଲ୍‌ର ସବୁ ନିୟମକୁ ଜଳାଞ୍ଜଳି ଦେଇ ଜେଲ୍ କର୍ତୃପକ୍ଷ ହାତ ଗଣତି ପାଞ୍ଚ ଜଣ କଏଦୀଙ୍କୁ ଏ ସୁବିଧାଟି ଯୋଗାଇ ଦେଇଛନ୍ତି। ଯାହାର ପ୍ରମାଣ ‘ସମ୍ବାଦ’ର ହସ୍ତଗତ ହୋଇଛି। ରାତ୍ରିରେ ବିଚାରାଧୀନ କଏଦୀଙ୍କର ଏ ପ୍ରକାର ମୁକୁଳାବସ୍ଥା ଜେଲ୍‌ ନିୟମର କେବଳ ଖୋଲା ଉଲଙ୍ଘନ କରୁନାହିଁ, ବରଂ ଟିଟିଲାଗଡ଼ ସବ୍‌ ଜେଲ୍‌ରୁ ଦୁଇ ବିଚାରାଧୀନ କଏଦୀ ଯେମିତି ଫେରାର୍‌ ହୋଇଗଲେ, ଖୋର୍ଦ୍ଧା ଜେଲ୍‌ରେ ଅନୁରୂପ ଘଟଣାର ପୁନରାବୃତ୍ତି ହେବାର ସମ୍ଭାବନା ଜଳଜଳ ଦିଶୁଛି।

ସୂଚନା ମୁତାବକ, ଏହି ପାଞ୍ଚ ଜଣ ଅଭିଯୁକ୍ତ ହେଉଛନ୍ତି ହତ୍ୟା ଅଭିଯୁକ୍ତ। କିଏ ନିଜ ସ୍ତ୍ରୀକୁ ହତ୍ୟା କରିଛି ତ, ଆଉ କିଏ ଭାଇକୁ ମାରିବା ଅଭିଯୋଗରେ ଜେଲ୍‌କୁ ଯାଇଛି। ଏହି ପାଞ୍ଚ ଜଣଙ୍କ ମଧ୍ୟରେ ଚାରି ଜଣ ହେଉଛନ୍ତି ବିଚାରାଧୀନ କଏଦୀ ଓ ଜଣେ ହେଉଛନ୍ତି ଯାବତ୍‌ଜୀବନ ଦଣ୍ଡାଦେଶ ପାଇଥିବା ହତ୍ୟାକାରୀ।

ଜେଲ୍ ମାନୁଆଲ୍‌ ଅନୁସାରେ, ସୂର୍ଯ୍ୟାସ୍ତ ପରଠାରୁ ଜେଲ୍‌ର ସମସ୍ତ କଏଦୀ ଜେଲ୍‌ ଭିତରେ ଲକ୍‌ ଅପରେ ରହିବା କଥା। କୌଣସି ପରିସ୍ଥିତିରେ ବି ଲକ୍‌ ଅପ୍‌ ପରେ କଏଦୀମାନେ ପଦାକୁ ଆସି ପାରିବେ ନାହିଁ। ଯଦି ଆସିବେ, ସେଥିପାଇଁ ଜେଲ୍ ଡିଜିଙ୍କର ଅନୁମତି ଲୋଡ଼ା। କିନ୍ତୁ, ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜେଲ୍‌ ଭିତରେ ପ୍ରାୟ ତିନି ଶହ କଏଦୀ ସୂର୍ଯ୍ୟାସ୍ତ ପରଠାରୁ ଲକ୍‌ ଅପ୍‌କୁ ଯାଇଥିବା ବେଳେ ପାଞ୍ଚ ଜଣ କଏଦୀଙ୍କୁ ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା।

ଜେଲ୍ ବାହାରେ ଥିବା ମନ୍ଦିରରେ ସମସ୍ତେ ଏକାଠି ହୋଇଥିଲେ। ରାତିରେ ସେଠି ହାଇମାଷ୍ଟ୍‌ ଲାଇଟ୍‌ ଲାଗିଥିଲା, ଆଲୋକ ତଳେ ବାଲି ସିମେଣ୍ଟ୍‌ ଗୋଳି ମୂଲିଆ, ମିସ୍ତ୍ରୀ କାମ କରୁଥିଲେ। କିଏ ଇଆଡ଼େ ବୁଲୁଥିଲା, କିଏ ସିଆଡ଼େ ବୁଲୁଥିଲା। ଅନ୍ଧାର ରାତିରେ ଜେଲ୍‌ର ବିଚାରାଧୀନ କଏଦୀଙ୍କୁ ଏମିତି ମୁକୁଳା ଛଡ଼ାଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ପାଞ୍ଚ କଏଦୀ ବାହାରେ ବୁଲୁଥିବା ବେଳେ ତାଙ୍କ ପାଖରେ ଜେଲ୍‌ର କୌଣସି କର୍ମଚାରୀ ବି ନ ଥିଲେ। ବିନା ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଜେଲ୍‌ ଭିତରୁ କଏଦୀଙ୍କୁ ବାହାରକୁ ବୁଲିବାକୁ ଛଡ଼ାଯିବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି।

ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ଜଜ୍‌ର ଭାରପ୍ରାପ୍ତ ସୁପରିଣ୍ଟେଣ୍ଡେଣ୍ଟ୍‌ କୃଷ୍ଣଚନ୍ଦ୍ର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ସେମାନେ ଠାକୁର କାମ ବୋଲି କରୁଥିଲେ। କିନ୍ତୁ, ମୁଁ କିଛି କରିନାହିଁ। ବିଚାରାଧୀନ କଏଦୀ ଏମିତି କାମ କରିବା ବିପଦପୂର୍ଣ୍ଣ। ଯଦି ଏମିତି କିଛି ହୋଇଛି, ଆଉ ଥରେ ଯେମିତି ନ ହେବ ସେଥିପାଇଁ ଚେଷ୍ଟା କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe