ମୋବାଇଲ୍ ନେଇଗଲେ ପ୍ରିନ୍ସିପାଲ୍: ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

ମୋବାଇଲ୍ ନେଇଗଲେ ପ୍ରିନ୍ସିପାଲ୍: ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

ଖୋର୍ଦ୍ଧା: ସ୍ଥାନୀୟ ସେଭେନ୍‌ଥଡେ ଆଡ୍‌ଭେଣ୍ଟ ମିସନାରୀ ବିଦ୍ୟାଳୟ ଛାତ୍ରାବାସରେ ଆଜି ସେହି ବିଦ୍ୟାଳୟରେ ପଢ଼ୁଥିବା ଜଣେ ୧୦ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏହା ଆତ୍ମହତ୍ୟା କି ହତ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଆଜି ଭୋର ପ୍ରାୟ ୫ଟା ବେଳେ ବାଳକ ଛାତ୍ରାବାସ ସମ୍ମୁଖରେ ଥିବା ଏକ ଆମ୍ବଗଛର ଡାଳରେ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ପାବିଲାସ କାର୍ଜିଙ୍କ ମୃତଦେହ ଝୁଲୁଥିବା ଦେଖି ଅନୁଷ୍ଠାନର କର୍ତୃପକ୍ଷ ପୁଲିସକୁ ସୂଚନା ଦେଇଥିଲେ। ଖୋର୍ଦ୍ଧା ଟାଉନ ଥାନା ପୁଲିସ ସେଠାରେ ପହଞ୍ଚିଥିଲା। ପରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦିଲୀପ ଦାସ ଓ ଫରେନ୍‌ସିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବିଦ୍ୟାଳୟ କର୍ତୃପକ୍ଷଙ୍କ କହିବାନୁସାରେ, ଛାତ୍ରାବାସରେ ମୋବାଇଲ୍‌ ରଖିବା ନିଷେଧ। ଏହା ସତ୍ବେ ପବିଲାସ ମୋବାଇଲ୍‌ ରଖିଥିଲେ। ଗତକାଲି ଏନେଇ ଛାତ୍ରାବାସ ଦାୟିତ୍ବରେ ଥିବା ଅଧିକାରୀ ଜାଣି ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇନେଇଯାଇଥିଲେ। ଏହାପରେ ସକାଳେ ପବିଲାସଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତେବେ ପବିଲାସ ଯେଉଁଭଳି ଛାତ୍ରାବାସର ଛାତ ଉପରେ ଚଢ଼ି ବିପଦପୂର୍ଣ୍ଣ ସ୍ଥିତିରେ ଥିବା ଆମ୍ବଗଛ ଡାଳରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ସେନେଇ ନାନା କଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ଏହା ସହ ପବିଲାସଙ୍କ ପିତା ପୁରୀରେ ଥିବା ବେଳେ ଅନୁଷ୍ଠାନ କର୍ତୃପକ୍ଷ ଗଜପତି ଜିଲ୍ଲା ଗୁମ୍ମା ବୋଲି କହିବା ମୃତ୍ୟୁ ଘଟଣାକୁ ଆହୁରି ସନ୍ଦେହଜନକ କରିଛି। ଛାତ୍ରାବାସର ଥିବା ପବିଲାସର ତା’ର କେତେକ ଛାତ୍ରବନ୍ଧୁ କହିଛନ୍ତି ଯେ ରାତି ପ୍ରାୟ ୭-୮ଟା ବେଳେ ମୋବାଇଲ୍‌ ନେବା ପରେ ପବିଲାସ ଅଧିକ ବିଚଳିତ ହୋଇପଡ଼ିଥିଲା। ରାତିରେ ଏହାକୁ ଖୋଜିବା ପାଇଁ ହୋଷ୍ଟେଲ୍‌ର ବିଭିନ୍ନ ସ୍ଥାନ ବିଚଳିତ ହୋଇ ବୁଲୁଥିଲା। ତେବେ ସେମାନେ ଶୋଇଯାଇଥିଲେ, ଏହାପରେ କ’ଣ ଘଟିଛି ସେମାନେ ଜାଣନ୍ତି ନାହିଁ।

ତେବେ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ଯେ ଏନେଇ ପୁଲିସ ୯୪/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଛି। ମୃତଦେହର ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ସେଭଳି କୌଣସି ସନ୍ଦେହଜନକ ପାରିପାର୍ଶ୍ବିକ ପ୍ରମାଣ ମଧ୍ୟ ମିଳିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ବର୍ତମାନ କିଛି କୁହାଯାଇପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe