ବିନା ନମ୍ବରପ୍ଲେଟ୍‌ ଯାନଙ୍କ ଆତଙ୍କ: ବେଆଇନ ଖଣିଜ ଚାଲାଣରେ ନିୟୋଜିତ

ବେପରୁଆ ଚାଳନାରୁ ଦୁର୍ଘଟଣା

ବିନା ନମ୍ବରପ୍ଲେଟ୍‌ ଯାନଙ୍କ ଆତଙ୍କ: ବେଆଇନ ଖଣିଜ ଚାଲାଣରେ ନିୟୋଜିତ

Times Now

ଜଟଣୀ: ଜଟଣୀ ତହସିଲ ଅଞ୍ଚଳରୁ ପ୍ରତିଦିନ ବେଆଇନ ଭାବେ ଖଣିଜ ସମ୍ପଦ ଚାଲାଣ ହେଉଛି। ଏଥିପାଇଁ ଶହ ଶହ ହାଇୱା, ଟ୍ରକ୍, ଟ୍ରାକ୍ଟର ଭଳି ବଡ଼ଗାଡ଼ି ନିୟୋଜିତ ହେଉଛି। ମାଙ୍କଡ଼ା ପଥର, ମୋରମ ଆଦି ଲୁଟ୍ ହେଉଥିବା ବେଳେ ଅଧିକାଂଶ ଗାଡ଼ି ବିନା ନମ୍ବର ପ୍ଲେଟରେ ଚାଲିଥିବା ଦେଖା ଯାଉଛି। ବିଶେଷକରି ରାତିରେ ଏହା ଚାଲାଣ ହେଉଥିବା ବେଳେ ରାସ୍ତାରେ ଗାଡ଼ିଗୁଡ଼ିକ ଦ୍ରୁତଗତିରେ ବେପରୁଆ ଭାବେ ଯା’ଆସ କରୁଛି। ଧରା ପଡ଼ିବାର ଆଶଙ୍କା ଥିବାରୁ ମଧ୍ୟ ଚାଳକମାନେ ଗାଡ଼ିକୁ ଦ୍ରୁତଗତିରେ ନେଉଛନ୍ତି। ତେଣୁ ସବୁ ସମୟରେ ଦୁର୍ଘଟଣାର ଆଶଙ୍କା ରହୁଛି। ପୂର୍ବରୁ ମଧ୍ୟ ରାତିରେ ଦୁର୍ଘଟଣା ଘଟି ଅନେକ ଲୋକଙ୍କର ଜୀବନ ଯାଇଛି। ତେବେ ଗୁରୁତର କଥା ହେଉଛି, ଗାଡ଼ିଗୁଡ଼ିକୁ ଏହି ବେଆଇନ କାମରେ ବ୍ୟବହାର କରିବାବେଳେ ସେଥିରୁ ନମ୍ବର ପ୍ଲେଟ ବାହାର କରି ଦିଆଯାଉଛି। ଏହି ରୀତିକୁ ସ୍ଥାନୀୟ ଅଞ୍ଚଳର ଲୋକେ ଭଲଭାବେ ଜାଣିଥିବାରୁ ପୁଲିସ ଓ ପରିବହନ ବିଭାଗ ପାଖରେ ସୂଚନା ନିଶ୍ଚିତ ଭାବେ ଥିବ। ତେଣୁ ଏହି ଗାଡ଼ିଗୁଡ଼ିକ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଦାବି ହୋଇଛି।

ଜଟଣୀ ତହସିଲ ଅଞ୍ଚଳର ତରାବୋଇ, ଅରୁଗୁଳ, ପାଣିଓରା, କୁସୁମାଟି, ରଥିପୁର, ତିରିମଲ, ଷଣ୍ଢପୁର, କନ୍ତିଆ, ପିତାପଲ୍ଲି ଆଦିର ଶତାଧିକ ସ୍ଥାନରେ ବେଆଇନ ଭାବେ ଲଘୁ ଖଣିଜ ଖୋଳାହୋଇ ବାହାରକୁ ଚାଲାଣ ହେଉଛି। ଏଥିରେ ବଡ଼ ବଡ଼ ଗାଡ଼ି ବ୍ୟବହାର ହେଉଛି। ଏହି କାମ ପ୍ରାୟତଃ ରାତିରେ ହେଉଥିବାରୁ ସେ ଗାଡ଼ିଗୁଡ଼ିକର ଚାଳକମାନେ ମଦ୍ୟପାନ କରି ଅତି ବେପରୁଆ ଗାଡ଼ି ଚାଳନା କରୁଛନ୍ତି। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଅଧିକାଂଶ ଯାନରେ ନମ୍ବର ପ୍ଲେଟ ରହୁ ନଥିବାରୁ ଅଘଟଣ ଘଟିବାପରେ ଗାଡ଼ିକୁ ଚିହ୍ନଟ କରିବା ସମ୍ଭବପର ହେଉନାହିଁ। ଗତକିଛି ମାସ ମଧ୍ୟରେ ସହର ଓ ଏହାର ଆଖପାଖ ଅଞ୍ଚଳରେ ଏପରି ଏକାଧିକ ଦୁର୍ଘଟଣା ଘଟିଛି। ତା’ ଭିତରୁ କିଛି ଉଦାହରଣ ହେଉଚି- ଗତ ୧୪ ତାରିଖରେ ତରାବୋଇ ନୂଆସାହି ନିକଟରେ ବେପରୁଆ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ। ଜୁଲାଇ ୬ତାରିଖ ରାତିରେ ଥାନା ସମ୍ମୁଖରେ ହିଁ ଏକ ସ୍କୁଟିକୁ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା। ସେଥିରେ ଜଟଣୀ ଶ୍ରୀହରିବିହାରର ଲିପୁ ବଡ଼ଜେନା ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ସେହିପରି ମାର୍ଚ୍ଚ ୨୨ତାରିଖରେ କୁଦିଆରୀ ପେଟ୍ରୋଲ ପମ୍ପ ନିକଟରେ ହାଇୱା ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଜଣେ ମହିଳା ଓ ଶିଶୁପୁତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣାରେ ଆହୁରି ଅନେକ ଛୋଟବଡ଼ କ୍ଷୟକ୍ଷତି ହୋଇଛି।

ପରିବହନ ବିଭାଗର ନିୟମ ଅନୁସାରେ ଗାଡ଼ିଗୁଡ଼ିକର ଫିଟନେସ୍, ଇନସୁରାନ୍ସ, ପଲ୍ୟୁସନ୍ ଆଦିର କାଗଜପତ୍ର ସହିତ ନମ୍ବର ପ୍ଲେଟ ଠିକ୍ ଥିଲେ ହିଁ ଗାଡ଼ି ସଡ଼କ ଉପରେ ଚାଲିବାକୁ ଅନୁମତି ପାଇବା କଥା। ଦୁର୍ଘଟଣା ଘଟିଲେ ଗାଡ଼ି ମାଲିକ ସହିତ କ୍ଷତିଗ୍ରସ୍ତ ବ୍ୟକ୍ତି କ୍ଷତିପୂରଣ ପାଇବା ପାଇଁ ହକଦାର ହୋଇଥାନ୍ତି। କିନ୍ତୁ ଜଟଣୀ ଅଞ୍ଚଳରେ ଏହି ନିୟମ ମାନି ଗାଡ଼ି ଚାଲୁଛି କି ନାହିଁ, ତଦାରଖ କରିବାରେ ପରିବହନ ବିଭାଗ ଖୁବ୍ ହେଳା କରୁଛି। ତା’ର ସୁଯୋଗ ନେଇ ଅଞ୍ଚଳରେ କୌଣସି କାଗଜପତ୍ର ନଥାଇ ଅନେକ ଗାଡ଼ି ଚାଲୁଛି। ଅନ୍ୟପକ୍ଷରେ ବେପରୁଆ ଗାଡ଼ି ଚାଲାଣ ମାମଲାରେ ପୁଲିସ ପକ୍ଷରୁ ତଥା ଲଘୁ ଖଣିଜ ସମ୍ପଦ ଚୋରି ମାମଲାରେ ସଂପୃକ୍ତ ବିଭାଗ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ। ଫଳରେ ଆଇନଉଲ୍ଲଘଂନକାରୀଙ୍କର ଆଦୌ ଭୟ ରହୁନି। ଏହାକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ କୁହୁଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe