ଖୋର୍ଦ୍ଧା: ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରୁ ଏସଟିଏଫ ଶୁକ୍ରବାର ଏକ ବାଘ ଛାଲ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ନୟାଗଡ଼ ଜିଲ୍ଲାର ସୁଧୀର ବେହେରା ଓ ସୁବାସ ବେହେରା।
ବାଘ ଛାଲ ସମେତ ଶିକାରରେ ବ୍ୟବହୃତ ସମସ୍ତ ସାମଗ୍ରୀ ଜବତ ହୋଇଛି। ଜବତ ବାଘ ଛାଲର ରାସାୟନିକ ପରୀକ୍ଷା ପାଇଁ ଡେରାଡୁନରେ ଥିବା ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ବୋଲି ସୂଚନା ରହିଛି।
ଏହା ମଧ୍ୟରେ ଏସଟିଏଫ ୧୨ଟି ବାଘ ଛାଲ , ୬ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ଓ ୨ଟି ଜୀବନ୍ତ ବଜ୍ରକାପ୍ତା ଜବତ କରିଛି। ୧୩ ଟି ମାମଲା ରୁଜୁ କରିବା ସହ ୨୪ ଜଣଙ୍କୁ ଗିରଫ କରିଛି ।
ଏହା ସହିତ ହେଲ୍ପ ଲାଇନ ନମ୍ବର ଜାରି କରିଛି ଏସଟିଏଫ। ବନ୍ୟ ଜନ୍ତୁ ଶିକାର ରୋକିବା ପାଇଁ ଏହି ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ହେଲା ୯୪୩୯୨୬୩୬୪୬। ଏହି ନମ୍ବରରେ ଫୋନ କରି ତଥ୍ୟ ଦେଲେ ନାମ ଗୋପନ ରଖାଯିବା ସହ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି।
Follow Us