ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବିଛୁପାଲି-ଝାରତରଭା ମଧ୍ୟରେ ହେଲା ସ୍ପିଡ୍‌ ଟ୍ରାଏଲ୍‌

ରେଳ ନିରାପତ୍ତା ଆୟୁକ୍ତଙ୍କ ଯାଞ୍ଚ ଶେଷ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବିଛୁପାଲି-ଝାରତରଭା ମଧ୍ୟରେ ହେଲା ସ୍ପିଡ୍‌ ଟ୍ରାଏଲ୍‌

ସୋନପୁର/ଖାରି/ସମ୍ବଲପୁର : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବିଛୁପାଲିରୁ ଝାରତରଭା ଷ୍ଟେସନ୍ ମଧ୍ୟରେ ସିଆର୍‌ଏସ୍ ଯାଞ୍ଚ ଶେଷ ହୋଇଛି। ଏଥି ସହ ଏହି ଲାଇନ୍‌ ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି। ପୂର୍ବରୁ ଏହି ଲାଇନ୍‌ର ଖୋର୍ଦ୍ଧା ପଟୁ ନୂଆଗାଁ ପର୍ଯ୍ୟନ୍ତ ଓ ବଲାଙ୍ଗୀର ପାର୍ଶ୍ବରୁ ବିଛୁପାଲି ପର୍ଯ୍ୟନ୍ତ କମିସନିଂ ହୋଇ ରେଳ ଚଳାଚଳ ଆରମ୍ଭ ହୋଇ ସାରିଛି। ଏବେ ବଲାଙ୍ଗୀର ପଟୁ ବିଛୁପାଲି ପରେ ଲାଇନ୍‌ର ଦ୍ବିତୀୟ ଷ୍ଟେସନ୍‌ଭାବେ ଝାରତରଭା ଯୋଡ଼ି‌ ହୋଇଛି। ଏହା ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାର ଦ୍ବିତୀୟ ରେଳ ଷ୍ଟେସନ୍ ହେବ। ପୂର୍ବରୁ ସମ୍ବଲପୁର-ଟିଟିଲାଗଡ଼ ସେକ୍‌ସନରେ ଅବସ୍ଥିତ ଡୁଙ୍ଗୁରିପାଲି ଜିଲ୍ଲାର ଏକମାତ୍ର ରେଳ ଷ୍ଟେସନ୍ ଥିଲା। ତେଣୁ ଆଜିର ଏହି ଟ୍ରାଏଲ ରନ ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ ଲହରୀ ଖେଳି ଯାଇଛି। ସିଆର୍‌ଏସ୍‌ ଯାଞ୍ଚ ପରେ ଏବେ କମିସନିଂର ‌ଔପଚାରିକତା ବାକି ରହିଛି।

publive-image

ଗୁରୁବାର ଦକ୍ଷିଣ ପୂର୍ବ ରେଳ ସର୍କଲ୍‌ର ରେଳ ନିରାପତ୍ତା ଆୟୁକ୍ତ ଏଏମ୍‌ ଚୌଧୁରୀ ବିଛୁପାଲି-ଝାରତରଭା ମଧ୍ୟରେ ବିଛା ଯାଇଥିବା ନୂଆ ଲାଇନ୍‌ର ଯାଞ୍ଚ କରିଥିଲେ। ସକାଳ ୮ଟା ୪୫ରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଛୁପାଲି ଷ୍ଟେସନ୍‌ରେ ପହଞ୍ଚି ୯ଟା ୧୫ରୁ ଦିନ ୧ଟା ୪୦ ପର୍ଯ୍ୟନ୍ତ ଏହି ଲାଇନ୍‌ର ସମସ୍ତ ନିରାପତ୍ତା ସଂକ୍ରାନ୍ତୀୟ ଉପାଦାନ ଯଥା ମୁଣ୍ଡ ଉପରେ ଲାଗିଥିବା ଉପକରଣ, ପୋଲ, ସିଗ୍‌ନାଲ ଓ ଦୂରସଂଚାର ଉପକରଣ, ରେଳ ଧାରଣା ଆଦିର ଯାଞ୍ଚ କରିଥିଲେ। ସମାନ୍ତରାଳ ଭାବେ ହୋଇଥିବା ବିଦ୍ୟୁତୀକରଣ କାର୍ଯ୍ୟର ବି ତଦାରଖ କରିଥିଲେ। ଏହି ଅବସରରେ ତାଙ୍କ ଉପସ୍ଥିତି ବିଛୁପାଲିରୁ ଝାରତରଭା ମଧ୍ୟରେ ସ୍ପିଡ୍‌ ଟ୍ରାଏଲ୍ ହୋଇଥିଲା। ଦିନ ୨ଟା ୪୩ରେ ଝାରତରଭା ଷ୍ଟେସନ୍‌ରୁ ଏକ ଖାଲି ଯାତ୍ରୀବାହୀ ରାକ୍‌ ଛାଡ଼ି ୧୭ ମିନିଟ୍‌ରେ ୧୧ କିଲୋମିଟର୍ ଦୂରତା ବିଶିଷ୍ଟ ବିଛୁପାଲିରେ ପହଞ୍ଚିଥିଲା। କମିସନିଂ ଘୋଷଣା ପରେ ବଲାଙ୍ଗୀରରୁ ବିଛୁପାଲି ପର୍ଯ୍ୟନ୍ତ ଚାଲୁଥିବା ରେଳଗାଡ଼ି ଝାରତରଭା ପର୍ଯ୍ୟନ୍ତ ଯାତ୍ରୀଙ୍କ ପାଇଁ ସଂପ୍ରସାରିତ ହେବ ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ।

ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏହି ଲାଇନ୍‌ ସୋନପୁର ପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ରେଳବାଇ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଗୁରୁବାର ଯାଞ୍ଚ ବେଳେ ସିଆର୍‌ଏସ୍‌ଙ୍କ ସହ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ବିନିତ୍ ସିଂହ, ପୂର୍ବତଟ ରେଳବାଇର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଅମର ପ୍ରକାଶ ଦ୍ବିବେଦୀ ତଥା ପୂର୍ବତଟ ମୁଖ୍ୟାଳୟ ଓ ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe