ଖୋର୍ଦ୍ଧା ସହରର ରାସ୍ତାଘାଟର ଦୂରାବସ୍ଥା; କଂଗ୍ରେସର ଧାରଣା ପରେ, ୧୫ ଦିନ ମଧ୍ୟରେ କାମ ଶେଷ କରିବାକୁ ପ୍ରଶାସନର ପ୍ରତିଶ୍ରୁତି

ଖୋର୍ଦ୍ଧା ସହରର ରାସ୍ତାଘାଟର ଦୂରାବସ୍ଥା; କଂଗ୍ରେସର ଧାରଣା ପରେ, ୧୫ ଦିନ ମଧ୍ୟରେ କାମ ଶେଷ କରିବାକୁ ପ୍ରଶାସନର ପ୍ରତିଶ୍ରୁତି

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା । ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟାଳୟ ଖୋର୍ଦ୍ଧା ସହର । କିନ୍ତୁ ସହରର ସମସ୍ତ ପ୍ରମୁଖ ରାସ୍ତାଘାଟ ଏଭଳି ୧୦୦ ମିଟର ଯିବାକୁ ଅଧଘଂଟା ସମୟ ଲାଗେ । ଏନେଇ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ରାଜନୈତିକ ଦଳ ଜିଲ୍ଲାପ୍ରଶାସନକୁ ଦାବିପତ୍ର ଦେଇଛନ୍ତି, କିନ୍ତୁ ଏଯାଏଁ କୌଣସି ସୁଫଳ ମିଳିନାହିଁ । ୧୩ ଦିନ ପୂର୍ବେ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁରୂପ ବିକ୍ଷୋଭ ପ୍ରଦର୍ଶନ କରାଯାଇ ୧୦ ଦିନ ମଧ୍ୟରେ ରାସ୍ତାଘାଟର ମରାମତି ପାଇଁ ସ୍ମାରକପତ୍ର ଦିଆଯାଇଥିଲା । ମରାମତି ନହେଲେ ରାସ୍ତାରୋକ ଆନେ୍ଦାଳନର ଚେତାବନୀ ମଧ୍ୟ ଦିଆଯାଇଥିଲା । ଆଜି କଂଟ ପୂରିବା ପରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ମରାମତି ପାଇଁ ପ୍ରଶାସନ ପୁଣି ୧୫ ଦିନ ସମୟ ମାଗିଛି ।

ଖୋର୍ଦ୍ଧା ସହରର ରାସ୍ତାଘାଟର ଅବ୍ୟବସ୍ଥା ନେଇ ଅକ୍ଟୋବର ୧୮ ତାରିଖରେ ଜିଲ୍ଲା କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ଏକ ବଡ଼ଧରଣର ବିକ୍ଷୋଭ କରାଯାଇଥିଲା । ବିକ୍ଷୋଭ ସମୟରେ ପୂର୍ତ ବିଭାଗ ନିର୍ବାହୀଯନ୍ତ୍ରୀ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦିଆଯାଇ ୧୦ ଦିନ ମଧ୍ୟରେ ଅନ୍ତତଃ ପକ୍ଷେ ସହରର ସମସ୍ତ ପ୍ରମୁଖ ରାସ୍ତାଘାଟ ମରାମତି କରିବାକୁ କୁହାଯାଇଥିଲା । ସେମାନଙ୍କ ଦାବି ପୂରଣ ନହେଲେ ୧୦ ଦିନ ପରେ ରାସ୍ତାରୋକ ଆନେ୍ଦାଳନ ସହ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାରେ ବସିବେ ବୋଲି ଚେତବାନୀ ମଧ୍ୟ ଦିଆଯାଇଥିଲା । ତେବେ ୧୦ ଦିନ ପୂରଣ ହୋଇଯାଇଥିଲେ ମଧ୍ୟ ପୂର୍ତ ବିଭାଗ ପକ୍ଷରୁ ମରାମତି ଦୂରର କଥା ଖାଲରେ ମାଟି ପାହୁଲାଟିଏ ମଧ୍ୟ ପକାଯାଇନଥିଲା । ଫଳରେ କଂଗ୍ରେସ ପକ୍ଷରୁ ଆଜି ପୂର୍ବାହ୍ଣ ୧୧ଟାରେ ନୂଆବସ୍ଷ୍ଟାଣ୍ଡ ଛକରେ ଧାରଣା ଦେବା ସହ ରାସ୍ତାରୋକ କରାଯାଇଥିଲା । ରାସ୍ତାରୋକର ୩୦ ମିନିଟ୍ ମଧ୍ୟରେ ଉପଜିଲ୍ଲାପାଳ ଅଶୋକ ବେଉରିଆ, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଡି କେ ପାଣିଗ୍ରାହୀ ବିକ୍ଷୋଭସ୍ଥଳରେ ପହଂଚି କଂଗ୍ରେସର ନେତାଙ୍କ ସହ ଆଲୋଚନା କରିଥିଲେ ।

publive-image

ଏନେଇ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ଗତ ୧୦ ଦିନ ମଧ୍ୟରେ ୫-୭ ଦିନ ବର୍ଷା, ୩-୪ ଦିନ ଛୁଟି ରହିଥିଲା । ଏଣୁ ରାସ୍ତାକାମ ପାଇଁ ଚିପ୍ସ, ମେଟାଲ୍ ମିଳିଲେ ମଧ୍ୟ ପିଚୁ ମିଳିପାରିନଥିବାରୁ ରାସ୍ତାକାମ ହୋଇପାରିଲାନାହିଁ । ଆଗାମୀ ୧୫ ଦିନ ମଧ୍ୟରେ ନିଶ୍ଚିତ ଭାବେ ରାସ୍ତା ମରାମତି କରାଯିବ । ତେବେ ଟିଏଲ୍ସି ରୋଡ୍, ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମୁଖ, ଚଣ୍ଡିଚୁଆ ଛକ, ନୂଆବସ୍ଷ୍ଟାଣ୍ଡ ଠାରୁ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପ୍ରତିମୂର୍ତି, ବାଟମଙ୍ଗଳା ରାସ୍ତାରେ ଥିବା ଜବରଦଖଲ ଯୋଗୁଁ ରାସ୍ତାନିର୍ମାଣ ସଂପୂର୍ଣ୍ଣ ହୋଇପାରୁନଥିବା କଥାରେ ସେ କହିଛନ୍ତି ଜବରଦଖଲ ହଟାଇବା କାମ ତହସିଲଦାର ଓ ଉପଜିଲ୍ଲାପାଳଙ୍କର । ଏନେଇ ଅନେକ ଥର ଚିଠି ଲେଖାଯାଇଛି । ଏହାସହ ଅଂଚଳର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଜବରଦଖଲ ହଟାଯାଇପାରୁନାହିଁ ବୋଲି ସେ କହିଛନ୍ତି ।

ଆଜିର ରାସ୍ତାରୋକ ଓ ଧାରଣା କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ରାଉତରାୟ, ପ୍ରଦେଶ କଂଗ୍ରେସ ଉପସଭାପତି ଶୁଭେନ୍ଦୁ ମହାନ୍ତି, ମୁଖପାତ୍ର ଅମିତ ମହାନ୍ତି, ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର, ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ବିଶ୍ୱଭୂଷଣ ଛୋଟରାୟ, ରମାକାନ୍ତ ମହାପାତ୍ର, ପୂର୍ବତନ ଯୁବକଂଗ୍ରେସ ସଭାପତି ପ୍ଲାବନ ପଟ୍ଟନାୟକ, ପଦ୍ମଚରଣ ରାୟ, କୃଷ୍ଣ ନରେନ୍ଦ୍ର, ଜିତେନ୍ଦ୍ର ଚମ୍ପତ୍ତି, ଶିଶିର ପରିଡ଼ା, ପ୍ରଦୋଷ ହରିଚନ୍ଦନ, ଶିଳାଦିତ୍ୟ ପଟ୍ଟନାୟକ, ଦ୍ୱାରିକା ମହାନ୍ତି, ଅକ୍ଷୟ ରାଉତରାୟ, ହଲିମ ଖାଁ, ତୁଷାର ହରିଚନ୍ଦନ, ବିଭୂତି ହରିଚନ୍ଦନ, ଆଶିଷ ନାୟକ, ଦିଲିପ ସେଠୀ, ଅମରଜିତ ମହାରଥିଙ୍କ ସମେତ ଶତାଧିକ ଯୁବକଂଗ୍ରେସ ସଦସ୍ୟ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe