ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଚୈତନପୁର ଶାସନ ନନ୍ଦିକେଶ୍ୱର ମନ୍ଦିର ପରିସରରୁ ଏକ ୯ଫୁଟର ଅହିରାଜ ସାପ ଉଦ୍ଧାର ହୋଇଛି। ଏହି ଅହିରାଜକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି।
ସୂଚନାଯୋଗ୍ୟ, ନନ୍ଦିକେଶ୍ୱର ମନ୍ଦିରର ପୂଜକ ଗତକାଲି (ବୁଧବାର) ସନ୍ଧ୍ୟାରେ ଆଳତି ସାରି ଫେରୁଥିଲେ। ଏହି ସମୟରେ ହଠାତ ମନ୍ଦିର ହୁଣ୍ଡି ତଳେ ବିରାଟକାୟ ସାପଟିକୁ ଦେଖିଥିଲେ। ପୂଜକ ଭୟଭୀତ ହୋଇ ସେ ସ୍ଥାନରୁ ଦୌଡ଼ି ଯାଇ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ମନ୍ଦିର ପରିସରରେ ଅହିରାଜ ସାପକୁ ଦେଖି ସ୍ନେକ୍ ହେଲପ ଲାଇନ ଓ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ସ୍ନେକ୍ ହେଲପ୍ ଲାଇନ ଓ ସ୍ଥାନୀୟ ବନ ବିଭାଗର କର୍ମଚାରୀ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ପରିସରରୁ ୯ଫୁଟର ଅହିରାଜକୁ ଅନେକ ଚେଷ୍ଟା ପରେ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟରେ ସାମନ୍ତିଆପଲ୍ଲୀ ବନପାଳ ରଜତ ମିଶ୍ରଙ୍କ ସହ ସ୍ନେକ ହେଲପ ଲାଇନ୍ ବ୍ରହ୍ମପୁରର ସଦସ୍ୟ ସ୍ୱାଧୀନ କୁମାର ସାହୁ, ଶ୍ରୀକାନ୍ତ ନାହାକ, ତାର ପ୍ରସାଦ ଦାସ, ସୁଶାନ୍ତ ମହାକୁଡ଼ ଏବଂ ବନ ବିଭାଗର ବହୁ କର୍ମଚାରୀ ସାମିଲ ଥିଲେ। ଶେଷରେ ବନପାଳଙ୍କ ନିର୍ଦ୍ଦେଶକ୍ରମେ ଅହିରାଜ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଛି।
Follow Us