କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣା, ମାସେ ପୂରିଲା,ଚାଲିଛି ତଦନ୍ତ

ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ଗୁଣନିଧିଙ୍କ ପରିବାର, ପ୍ରମାଣ ଆଧାରରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ: ଏଏସ୍‌ପି

କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣା, ମାସେ ପୂରିଲା,ଚାଲିଛି ତଦନ୍ତ

Sambad

କିଶନନଗର: କିଶନନଗର ଥାନା ପରିସରରେ ସ୍ଥାନୀୟ ଇଶାଣୀବ୍ରହ୍ମପୁର ସାଇଁପୋରୁଆଁ ଗ୍ରାମର ଗୁଣନିଧି ବିଶୋଇ (୫୨) ଆତ୍ମାହୁତି ଦେବା ଘଟଣାକୁ ମାସେ ପୂରି ଯାଇଛି। ଡିଏସପି (ଏଚ୍‌ଆର୍‌ପିସି) ଅଶ୍ୱିନୀ କୁମାର ସାହୁଙ୍କୁ ଏହାର ତଦନ୍ତ ଦିଆଯାଇଛି। ଇତିମଧ୍ୟରେ ଭୁବନେଶ୍ୱରର ଦୁଇଜଣିଆ ବିଶେଷଜ୍ଞ ଦଳ ସିସିଟିଭି ଯାଞ୍ଚ କରିଛନ୍ତି। କଟକ ଏଏସ୍‌ପି କୃଷ୍ଣପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆତ୍ମାହୁତି ଘଟଣାର ତଦନ୍ତ କରାଯାଉଛି। ବରିଷ୍ଠ ପୁଲିସ ଅଧିକାରୀମାନେ ଗୁଣନିଧିଙ୍କ ପରିବାର, ଗ୍ରାମବାସୀ, ଘଟଣା ସମୟରେ ଥାନାରେ ଉପସ୍ଥିତ ପୁଲିସ କର୍ମଚାରୀ, ଗୁଣନିଧିଙ୍କ ଉପରେ ପାଣି ଢାଳି ନିଆଁ ଲିଭାଇଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଛନ୍ତି। ତେବେ ପୁଲିସ ତଦନ୍ତରେ ଗୁଣନିଧିଙ୍କ ପରିବାର ଲୋକ ସନ୍ତୁଷ୍ଟ ନ ଥିବା ଜଣାପଡ଼ିଛି। ପରିବାରର ଅପୂରଣୀୟ କ୍ଷତି ପାଇଁ ଗୁଣନିଧିଙ୍କ ପତ୍ନୀ ପ୍ରମିଳା ଆଇଆଇସି ସସ୍ମିତା ରଣାଙ୍କୁ ଦାୟୀ କରିବା ସହ ତାଙ୍କୁ ବହିଷ୍କାର ଓ ଗିରଫ କରିବାକୁ ଦାବି କରିଛନ୍ତି। ତେବେ ପ୍ରମାଣ ଆଧାରରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏଏସ୍‌ପି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଜମିବାଡ଼ି ବିବାଦକୁ ନେଇ ଗୁଣନିଧିଙ୍କୁ ତାଙ୍କ ପୁତୁରା ସାଗର ବିଶୋଇ ଗତ ଜୁନ୍‌ ୧୯ ତାରିଖରେ ମାଡ଼ ମାରି ଆହତ କରିଥିଲେ। ଏ ନେଇ ଗୁଣନିଧି କିଶନନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିଲା। ଏପରି କି, ନ୍ୟାୟ ପାଇବା ପାଇଁ ୪ଦିନ ଧରି ଥାନାକୁ ଦୌଡ଼ିଦୌଡ଼ି ଗୁଣନିଧିନିରାଶ ହୋଇଥିଲେ।

ଶେଷରେ ଗତ ୨୩ ତାରିଖ ଦିନ ପ୍ରାୟ ୧୨ଟାରେ କିଶନନଗର ଥାନା ଓ ଆଇଆଇସିଙ୍କ କ୍ବାର୍ଟର୍ସ ସମ୍ମୁଖରେ ଗୁଣନିଧି ନିଜ ଦେହରେ ପେଟ୍ରୋଲ‌୍ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ପ୍ରଥମେ କଟକ ବଡ଼ ଡାକ୍ତରଖାନା ଓ ପରେ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପରଦିନ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଆତ୍ମାହୁତି ଘଟଣା ସମୟରେ କିଶନନଗର ଆଇଆଇସି ସସ୍ମିତା ରଣା ଓ ଅନ୍ୟ ପୁଲିସ କର୍ମଚାରୀ ଥାନାରେ ଉପସ୍ଥିତ ଥିଲେ। ଥାନାରେ ବିଭିନ୍ନ ସ୍ଥାନରେ ସିସିଟିଭି ମଧ୍ୟ ରହିଛି। ଏଭଳି ସ୍ଥିତିରେ ଗୁଣନିଧି ଆତ୍ମାହୁତି ଦେବା ସମ୍ପର୍କରେ ପୁଲିସ ଜାଣି ନ ପାରିବା ଓ ତାଙ୍କୁ ନ ଅଟକାଇବା ଘଟଣା ପୁଲିସର ଚରମ ଅବହେଳାକୁ ପଦାରେ ପକାଇଥିଲା। ଉକ୍ତ ଘଟଣାର ୪ଦିନ ପରେ ଅର୍ଥାତ୍‌ ୨୮ ତାରିଖରେ କାର୍ଯ୍ୟରେ ଅବହେଳା ପାଇଁ ଆଇଆଇସି ସସ୍ମିତା ରଣାଙ୍କୁ ନିଲମ୍ବନ କରାଯାଇଛି। ତେବେ ନିଲମ୍ବନ ନୁହେଁ, ତାଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଗିରଫ କରିବା ଏବଂ ଗୁଣନିଧିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ କଂଗ୍ରେସ, ଉତ୍କଳ ବିକାଶ ପରିଷଦ ଆଦି ସଂଗଠନ ପକ୍ଷରୁ ଦାବି କରାଯାଇଛି। ଥାନା ପରିସରରେ ଘଟିଥିବା ଏହି ଘଟଣା ପାଇଁ ରାଜ୍ୟ ମାନବାଧିକାର କମିସନ୍‌ ପୁଲିସ ଆଇଜି ଓ ଡିଜିଙ୍କୁ ୨୫ ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ ମହମ୍ମଦ ମୋକିମ୍‌ ମଧ୍ୟ ଏ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ସେପଟେ, ତତ୍କାଳୀନ କିଶନନଗର ଥାନ ଆଇଆଇସି ସସ୍ମିତା ରଣାଙ୍କ ମାନସିକ ନିର୍ଯାତନା ଯୋଗୁଁ  ଗୁଣନିଧି ଆତ୍ମାହୁତି ଦେଇଥିଲେ ବୋଲି ପୁଅ ସୁଦର୍ଶନ ବିଶୋଇ ଏସ୍‌ପି ଓ ରାଜ୍ୟ ମାନବାଧିକାର କମିସନ୍‌ଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe