ସମ୍ମାନର ସହ ବଞ୍ଚିବେ କୋଟିଆର ଚାଷୀ; ବିଶ୍ବ ବଜାରରେ ପହଞ୍ଚିବ କୋରାପୁଟିଆ ଝାଡୁ

ଇ-ବଜାରରେ ଯୋଡି ହେବାକୁ କସରତ୍‌ ଆରମ୍ଭ

ସମ୍ମାନର ସହ ବଞ୍ଚିବେ କୋଟିଆର ଚାଷୀ; ବିଶ୍ବ ବଜାରରେ ପହଞ୍ଚିବ କୋରାପୁଟିଆ ଝାଡୁ

Sambad

କୋରାପୁଟ: କେବଳ ଓଡ଼ିଶା କାହିଁକି? ସାରା ଭାରତ ବ୍ୟବହାର କରିବ କୋରାପୁଟିଆ ଝାଡୁ। ଯେଉଁ ଝାଡୁକୁ ପଡୋଶୀ ଆନ୍ଧ୍ରପ୍ରଦେଶ ଶାଗମାଛ ଦରରେ କିଣି ନେଉଥିଲା। ପ୍ରକ୍ରିୟାକରଣ କରି ତାହାକୁ ଲୋକଙ୍କୁ ଦୁଇଗୁଣା ଦରରେ ବିକୁଥିଲା ସେଥିରେ ଲାଗିବ ରୋକ। ଆନ୍ଧ୍ରକୁ ଚେକମେଟ ଦେଇ କୋଟିଆ ଉପରେ ବିଜୟ ହାସଲ କରିବାକୁ ପଦକ୍ଷେପ ଆରମ୍ଭ ହୋଇଛି। ବିଶ୍ବ ବଜାରରେ ହଇଚଇ କରିଥିବା କୋରାପୁଟିଆ କଫି ପରେ ଆଉ ଏକ ବ୍ରାଣ୍ଡ ପାଇଁ ପଦ‌କ୍ଷେପ ନେଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ଜିଲ୍ଲା ତଥା ଜିଲ୍ଲା ବାହାରେ କିପରି କୋରାପୁଟିଆ ଝାଡୁ ପହଞ୍ଚିବ ସେନେଇ ପକ୍ରିୟା ଆରମ୍ଭ କଲାଣି ପ୍ରଶାସନ। ଏହାସହ ଇ-କମର୍ସ ସାଇଟରେ ଖୁବଶୀଘ୍ର ଉପଲବ୍ଧ ହେବ କୋରାପୁଟିଆ ଝାଡୁ। ଆମାଜନ୍‌, ଫ୍ଲିପ୍‌କାର୍ଟ ଓ ଅନ୍ୟ ଇ-କମର୍ସ ସାଇଟରେ କିପରି କୋରାପୁଟିଆ ଝାଡୁ ବଜାର ପ୍ରବେଶ କରିବ ସେନେଇ ବିଚାର ବିମର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କୋରାପୁଟ ଜିଲ୍ଲାପାଳଙ୍କ ଅନୁମତି ମିଳିବା ପରେ ଏହା ବିଶ୍ବ ବଜାରରେ ଛାଇଯିବ। ଏନେଇ ଓରମାସ୍‌, କାପ୍‌କୋ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ମାର୍ଚ୍ଚ ଶେଷ ସପ୍ତାହ ସୁଧା ଏହା ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲାରେ ବର୍ଷକ ବାରମାସ ଝାଡୁ ଚାଷ କରାଯାଇଥାଏ। ଜିଲ୍ଲାର ୧୪ଟି ବ୍ଲକରେ ଏହାକୁ କାଁଭାଁ ଚାଷ କରାଯାଉ ଥିବାବେଳେ ପଟାଙ୍ଗି, ସେମିଳିଗୁଡା ଓ ନାରାୟଣ ପାଟଣାରେ ସର୍ବାଧିକ ଚାଷୀ ରହିଛନ୍ତି। ଏହା ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରେ ଗଣନା କରାଯାଉଥିବାରୁ ଏହାକୁ ବିଶ୍ବ ବଜାରରେ କିପରି ପହଞ୍ଚାଯିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଜିଲ୍ଲା ପ୍ରଶାସନ। ପଟାଙ୍ଗୀ ବ୍ଲକର ୨ଟି ଝାଡୁ ଉତ୍ପାଦନକାରୀ ଗ୍ରୁପରେ ୭୦ ଜଣ ଚାଷୀ ରହିଥିବାବେଳେ କୋଟିଆରେ ସର୍ବାଧିକ ମହିଳା ଚାଷୀ ରହିଛନ୍ତି।

publive-image Sambad

ସେହିପରି ସେମିଳିଗୁଡା ବ୍ଲକରେ ଦୁଇଟି ଝାଡୁ ଉତ୍ପାଦନ ଗ୍ରୁପ ମଧ୍ୟରେ ୭୦ଜଣ ଚାଷୀ ଓ ନାରାୟଣପାଟଣା ବ୍ଲକରେ ୭ଟି ଝାଡୁ ଉତ୍ପାଦନ ଗ୍ରୁପ ମଧ୍ୟରେ ୪୦୦ରୁ ଅଧିକ ମହିଳା ଓ ପୁରୁଷ ଚାଷୀ ରହିଛନ୍ତି। ଏହି ଚାଷୀଙ୍କଠାରୁ ପ୍ରଶାସନ କେଜି ପ୍ରତି ୫୦ ଟଙ୍କାରେ ଝାଡୁ କିଣିବ। ଏହାକୁ ପକ୍ରିୟାକରଣ କରି ଇ-କମର୍ସ ସାଇଟରେ ଥାର୍ଡ ପାର୍ଟି ମାଧ୍ୟମରେ ବିକ୍ରି କରାଯିବାକୁ ଯୋଜନା କରାଯାଇଛି। ଏଥିପାଇଁ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ଜିଲ୍ଲାପାଳଙ୍କ ମଞ୍ଜୁରୀକୁ ଅପେକ୍ଷା କରାଯାଇଛି। ପୂର୍ବରୁ ଏହି ତିନିଟି ବ୍ଲକରୁ ଆନ୍ଧ୍ର ୨୦ରୁ ୨୫ ଟଙ୍କା କେଜିପ୍ରତି ହୁଣ୍ଡା ମୂଲ୍ୟ ଦର କିଣି ନେଉଥିଲା। ‌ଅର୍ଥ ବି ଠିକ ଭାବେ ପ୍ରଦାନ କରୁ ନଥିବାରୁ କୋଟିଆ ବିବାଦ ଉଠିବା ପରେ ଜିଲ୍ଲା ପ୍ରଶାସନ ପକ୍ରିୟା ଆରମ୍ଭ କରିଛି।

କିପରି ଭାବେ କୋଟିଆ ସହ ସେମିଳିଗୁଡା ଓ ନାରାୟଣପାଟଣାରେ ରହୁଥିବା ୫୪୦ରୁ ଅଧିକ ଚାଷୀ ସମ୍ମାନ ପାଇବେ ସେନେଇ ପଦକ୍ଷେପ ଆରମ୍ଭ କରିଛି। ତେବେ ଏହି ନୂତନ ନୀତି ଯୋଗୁଁ କୋଟିଆ ସହ ଅନ୍ୟ ଅଞ୍ଚଳର ଚାଷୀ ସ୍ବାଭିମାନର ସହ ବଞ୍ଚିବା ସହ ସେମାନଙ୍କର ଜୀବନଧାରଣର ମାନ ମଧ୍ୟ ବୃଦ୍ଧି ପାଇବ। ପୂର୍ବରୁ ଏହିଠାରୁ ଚାଷୀଙ୍କଠାରୁ ଝାଡୁ ଆନ୍ଧ୍ର ମାଫିଆମାନେ ସାଗମାଛ ଦରରେ ନେଇ ଯାଉଥିବାରୁ ସେମାନଙ୍କୁ ଚେକ୍‌ମେଟ ଦେବାକୁ ପ୍ରସ୍ତୁତି ଶେଷ ହୋଇସାରିଛି। ଏହି ଝାଡୁ ସବୁ କୋରାପୁଟ ସହର, ସେମିଳିଗୁଡା, ଭୁବେନଶ୍ବର ଓ ଜୟପୁରରେ ସୀମିତ ରହୁଥିବାବେଳେ ତେଲେଙ୍ଗାନା ଓ ହାଇଦ୍ରାବାଦକୁ ୨୦୦ ଖଣ୍ଡ ନମୁନା ଭାବେ ପଠାଯାଇଥିଲା।

ଏହି ନମୂନା ଇକମର୍ସ ସାଇଟ ମୁଖ୍ୟଙ୍କୁ ପ୍ରଭାବିତ କରିଛି। ସେଠାରେ ଚାହିଦା ରହିଥିବାରୁ ଝାଡୁ ପାଇଁ କାଟାଲଗକୁ ଡିଜାଇନ କରାଯାଇଛି। ଜିଲ୍ଲାପାଳଙ୍କର ଅନୁମତି ମିଳିବା ପରେ ଏହାକୁ ପ୍ୟାକେଜ୍‌ କରାଯିବ। ତେବେ ଏହି ଚାଷୀମାନଙ୍କୁ ନିକେଲ୍‌ ଓ ଲୁହା ପାଇପ ସହ ପ୍ଲାଷ୍ଟିକ ଦ୍ରବ୍ୟ ମଧ୍ୟ ପ୍ରଦାନ କରାଯାଉଛି। ଏହି ପକ୍ରିୟାକରଣ ପାଇଁ ପ୍ରତି ଝାଡୁ ପ୍ରତି ୩ଟଙ୍କା ୫୦ ପଇସା ଖର୍ଚ୍ଚ କରୁଛି କାପକୋ ଓ ଓରମାସ। ଏନେଇ ଓରମାସର ପ୍ରକଳ୍ପ ସଂଯୋଜକ ରୋଶନ କାର୍ତ୍ତିକ କହିଛନ୍ତି ଯେ ‌କୋରାପୁଟ କଫି କରି କୋରାପୁଟିଆ ଝାଡୁକୁ ଖୁବଶୀଘ୍ର ସ୍ବତନ୍ତ୍ର ପରିଚୟ ମିଳିବ। କାଟାଲଗ୍‌ ଡିଜାଇନ କରାଯାଇ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଏହାସହ ତେଲେଙ୍ଗାନା ଓ ହାଇଦ୍ରାବାଦରୁ ଇ-କମର୍ସ ସାଇଟର ମୁଖ୍ୟଙ୍କୁ ମଧ୍ୟ କୋରାପୁଟିଆ ଝାଡୁ ମନକୁ ପାଇଛି। ସେଠାରେ ଚାହିଦା ରହିଥିବା ଦର୍ଶାଇବା ପରେ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe