ବୈପାରିଗୁଡ଼ା (ଅମରେନ୍ଦ୍ର ପରିଚ୍ଛା): ମାଟି ଉପରେ ଜୀବନ ବଢ଼ିବା ଓ ଗଢ଼ିବାକୁ ବହୁ ସମୟ ଲାଗିଥାଏ। କିନ୍ତୁ ଜୀବନ ଶେଷ ହେବ ନିମିଷକ ମଧ୍ୟରେ ଘଟିଥାଏ। ମନୁଷ୍ୟ ପାଇଁ ଏହା ଅଧିକ ପ୍ରଯୁଜ୍ୟ। ଶବ ସତ୍କାର କରିବାକୁ ଯାଇଥିବା ଜଣେ ବ୍ୟକ୍ତି ନିଜେ ଶବ ପାଲଟି ଯାଇଛନ୍ତି। କୋରାପୁଟଜିଲ୍ଲା ବୈପାରିଗୁଡ଼ା ଥାନା ବୁରୁଡିପୁଟ ଛକ ନିକଟରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି।

Advertisment

ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକ ଚନ୍ଦ୍ରପଡ଼ା ପଞ୍ଚାୟତର ପାଲିଗୁଡ଼ା ଗ୍ରାମର ହରି ମାଝୀ(୪୩)ଙ୍କ ମାମୁଙ୍କ ଶନିବାର ଦେହାନ୍ତ ହୋଇଯାଇଥିଲା। ଖବର ପାଇ ହରି ମାଝୀ ଏବଂ ପରିବାର ଲୋକଙ୍କ ସହ କିଛି ସଂପର୍କୀୟ ଅଟୋ ଯୋଗେ ଶେଷକୃତ୍ୟରେ ଯୋଗ ଦେବା ପାଇଁ ବାମୁଣିପୁଟ ପହଞ୍ଚିଥିଲେ। ଶେଷକୃତ୍ୟ ସରିବା ପରେ ସମସ୍ତେ ଅପରାହ୍ନ ସାଢେ ୨ଟାରେ ଅଟୋରେ ପାଲିଗୁଡ଼ା ଫେରୁଥିଲେ। ତେବେ ଦିଗାପୁର ରାସ୍ତାର ବୁରୁଡିପୁଟ ଛକ ନିକଟରେ ଥିବା ପଥର କୁଆରି ରାସ୍ତାରେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡିଥିଲା। ଫଳରେ ଅଟୋରେ ବସିଥିବା ଡ୍ରାଇଭର ସମେତ ୭ ଜଣ ଆହତ ହୋଇଥିବା ବେଳେ ହରି ମାଝୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୫ଟାରେ ହରିଙ୍କ ମୃତ୍ୟୁ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: Accident: ଦୁର୍ଘଟଣାକୁ ଟାଣୁଛି ‘ସଡ଼କ ସମ୍ମୋହନ’: ଲଗାତାର ଅଢ଼େଇ ଘଣ୍ଟା ଗାଡ଼ି ଚଳାଇଲେ ବିପଦ

ରବିବାର ଶବ ବ୍ୟବଚ୍ଛେଦ

ଏ ନେଇ ବୈପାରିଗୁଡ଼ା ଥାନାକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରବିବାର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲିି ଜଣାପଡ଼ିଛି। ଅନ୍ୟପଟେ ଦୁର୍ଘଟଣାର ହରିଙ୍କ ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: Internet Ban: ଏମଭି-୨୬ରେ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ୬ ଗିରଫ ହୋଇଛନ୍ତି: ଏସ୍‌ପି