କୁହୁଡିର ଚାଦର ତଳେ କୋରାପୁଟ, ପୁଣି ଦାମନଯୋଡିରେ ସର୍ବାଧିକ ଥଣ୍ଡା

Advertisment
cold

କୋରାପୁଟ: କୋରାପୁଟିଆ ଥଣ୍ଡାରେ ଥରୁଛି କୋରାପୁଟ ମାଳଭୂମି । ଶୀତ ଲହରୀ ପ୍ରବଳ ହେବା ସହ କୁହୁଡିର ଚାଦର ଦେଖିବାକୁ ମିଳୁଛି। କୋରାପୁଟ ସମେତ ଦାମନଯୋଡି, ସେମିଳିଗୁଡା, ସୁନାବେଡ଼ା, ପଟାଙ୍ଗୀ,ଲମତାପୁଟ, ନନ୍ଦପୁର, ନାରାୟଣପାଟଣା,ଲକ୍ଷ୍ମୀପୁର, ବନ୍ଧୁଗାଁ, ଦଶମନ୍ତପୁର ଆଦି ଅଂଚଳରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ଦାମନ‌ଯୋଡି ନାଲକୋ ମାଇନସ୍ ଅଂଚଳରେ ଗତ ଦୁଇ ଦିନ ହେବ  ୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି କୋରାପୁଟରେ ଜିଲ୍ଲା  ଆଜି ୧୧.୪ ଡିଗ୍ରୀ ସେଲସିୟସ୍ ରହିଥିବା ରେକର୍ଡ କରିଥିବା ସୂଚନା ମିଳିଛି।

ସେମିଳିଗୁଡାରେ ୮ଡିଗ୍ରୀ ସେଲସିୟସ, ଦେଓମାଳିରେ ୪ରୁ ୬ଡିଗ୍ରୀ ସେଲସିୟସ ରହିଥିବା ସୂଚନା ମିଳିଛି।  ରାତି ଓ ଭୋରରେ କୋରାପୁଟ ଉପଖଣ୍ଡ ଅଂଚଳରେ କାକର ପଡୁଥିବା ଦେଖିବାକୁ ମିଳିଛି । ଅସହ୍ୟ ଥଣ୍ଡା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ସାଧରଣ ଜନଜୀବନ । ସକାଳ ୯ଟା ଯାଏଁ ଥଣ୍ଡା ସହ ଶୀତୁଆ ଲହରି  ଓ କୁହୁଡିର ଚାଦର ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । କୋରାପୁଟ ଅଂଚଳରେ ଚଳିତ ବର୍ଷ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ପାଣିପାଗ କେନ୍ଦ୍ରରୁ ମିଳିବା ସୂଚନା ଅନୁସାରେ ଆଗାମୀ ତିନି  ଦିନଯାଏଁ ଶୀତ ଶୀତ ଲହରୀ ଜାରି ରହିବ ।

ଶୀତବସ୍ତ୍ରର ବ୍ୟବସାୟ ଅଚାନକ ଭାବେ ବୃଦ୍ଧି ପାଇଛି। ଶୀତକୁ ଦୃଷ୍ଟିରେ ରଖି ତିବତିୟାନ ରିଫ୍ୟୁଜି ନେପାଳି ବେପାରୀ ,ସ୍ଥାନୀୟ ବେପାରୀଙ୍କ ସହ ଉତ୍ତରପ୍ରଦେଶର ଋତୁକାଳୀନ ବେପାରୀ ମାନେ ରାସ୍ତାକଡ଼ରେ ଶୀତବସ୍ତ୍ର, କମ୍ବଳ ଆଦି ବିକ୍ରୀ କରିବା ଆରମ୍ଭ କରିଛନ୍ତି।  ଜାକେଟ୍ ଓ ବିଭିନ୍ନ ବ୍ରାଣ୍ଡର ଶୀତବସ୍ତ୍ର ଓ ଟୋପି ଆଦିର ବିକ୍ରୀ ବି ଜୋର ଧରିବାରେ ଲାଗିଛି।  

କୋରାପୁଟରେ ଥଣ୍ଡା ଅଧିକା ରହିଥିବାରୁ ଅଙ୍ଗାର ଓ କାଠର ଚାହିଦା ବି ବଢ଼ିଥିବା ଦେଖିବାକୁ ମିଳିଛି। ଲୋକେ  କାଠ ଓଅଙ୍ଗାରର ଉମ୍ବେଇ କରି ନିଆଁ ପୁଇଁବା ଆରମ୍ଭ କରିଛନ୍ତି। ଏହି କ୍ରମରେ ସହରରେ ଟି ଓ କଫି କାଫେ‌ରେ ଭୀଡ଼ ଜମୁଛି।  ସକାଳରୁ ୯ଟା ଯାଏଁ ଓ ସଂଧ୍ୟା ନଇଁବା ମାତ୍ରକେ କୁହୁଡିର ଚାଦର ଦେଖିବାକୁ ମିଳୁଛି। ସୁଙ୍କିଘାଟି ଓ କୋରାପୁଟ-ଜୟପୁର ଘାଟି, ପେଟାଘାଟି  ସହ ସହରରେ ମଧ୍ୟ କୁହୁଡିର ଚାଦର ଦେଖିବାକୁ ମିଳୁଛି। ତେଣୁ ଯାନବାହନ ଗୁଡିକ ଲାଇଟ୍ ଲଗାଇ ଯିବା ଆସିବା କରୁଛନ୍ତି। ଏହାର ପ୍ରଭାବ ଖାସ୍ କରି ଦିନ ମଜୁରିଆ, ଉଠା ଦୋକାନୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ଆଦିଙ୍କ ଉପରେ ବେଶି ମାତ୍ରାରେ ପଡିଛି। ଥଣ୍ଡା ଯୋଗୁଁ ସବୁ କାମ ବିଳମ୍ବରେ ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe