ବୈପାରିଗୁଡ଼ା: କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଗୁପ୍ତେଶ୍ୱର ରାସ୍ତାର ବୈପାରିଗୁଡ଼ା ଠାରୁ ଅଧ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ଶବ ଉଦ୍ଧାର କରାଯାଇଛି। ଏହି ଶବଟି ବୈପାରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ସନ୍ତେଇପୁଟ ଗ୍ରାମର କୁଞ୍ଜ କୁମ୍ଭାର (୪୫)ଙ୍କର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ କୁଞ୍ଜ କୁମ୍ଭାର ନିଜ ପତ୍ନୀ ସମାରୀ ଏବଂ ଝିଅ ସବିତା ତଥା ପରିବାରର ଅନ୍ୟମାନଙ୍କ ସହ ବୈପାରିଗୁଡ଼ା ଆସିଥିଲେ। ଝିଅ ସବିତାର ଆସନ୍ତା ରବିବାର ଦିନ ବାହାଘର ଥିବାରୁ ସେମାନେ ଜିନିଷପତ୍ର କିଣିବା ପରେ ନିଜ ଗାଁ ସନ୍ତେଇପୁଟ ଫେରୁଥିଲେ। ତେବେ ଅଧାବାଟରେ ଆଉ କିଛି ଜିନିଷ ଭୁଲିଯାଇଥିବାରୁ କୁଞ୍ଜ ପରିବାର ଲୋକଙ୍କୁ ଗାଁକୁ ପଠାଇଦେଇ ବୈପାରିଗୁଡ଼ା ଫେରିଥିଲେ। ତେବେ ପୋଲ ନିକଟରେ ଶୌଚ ପାଇଁ ଅଟକି ଥିବା ବେଳେ ଅସାବଧାନତାବଶତଃ ପୋଲ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି। ପୋଲ ତଳକୁ ଖସିପଡ଼ିବା ପରେ ସେ ସମ୍ଭବତଃ ଉଠିପାରି ନାହାନ୍ତି ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। କୁଞ୍ଜ ରାତିରେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ କିନ୍ତୁ କିଛି ଖବର ପାଇନଥିଲେ। ଆଜି ସକାଳୁ କିଛି ଲୋକ ଶୌଚ କରିବାକୁ ଯାଇ ଶବଟିକୁ ଦେଖିଥିଲେ। ଏଥିସହ ଶବଟି କୁଞ୍ଜଙ୍କର ବୋଲି ଜଣାପଡ଼ିବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଶବଟିକୁ ଉଦ୍ଧାର କରିଥିଲେ।
ପ୍ରକାଶ ଥାଉକି, କୁଞ୍ଜ ଗାଡ଼ି ହେଲପର୍ ଥିବା ବେଳେ କରୋନା ସମୟରୁ କାମକୁ ନଯାଇ ଘରେ ରହିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତକାରୀ ଅଫିସର ଆଇଆଇସି ରଘୁନାଥ ମାଝୀ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ବୈପାରିଗୁଡ଼ା ସରପଞ୍ଚ ଭାଗିରଥୀ ମୁର୍ଜିଆ, ହାବିଲଦାର ପି.କେ. ଡଣ୍ଡସେନା, ଅଗ୍ନିଶମ ବିଭାଗର ଅଧିକାରୀ ଉମେଶ ଚନ୍ଦ୍ର ବାଗ୍, ଠାକୁର ଚାଲାଣ, ଆର୍.ପି.ସାଇ,ଏମ୍.କେ. ଜେନା, ଡି.ସି.ରେଡି, ଟି.ସେଠୀ ଏବଂ ଜେ.ଏନ୍. ଛିଞ୍ଚାଣି ଉପସ୍ଥିତ ଥିଲେ।
ପୋଲ ତଳୁ ଶବ ଉଦ୍ଧାର: ଅସାବଧାନତାବଶତଃ ମୃତକ ପୋଲ ତଳକୁ ଖସି ପଡ଼ିଥିବା ଅନୁମାନ
Advertisment
Follow Us