ବିବାହିତା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ଶବ ଉଦ୍ଧାର ଘଟଣା: ଯବାନକୁ ବାନ୍ଧିଲା ପୁଲିସ

କୋରାପୁଟ ସହରର ଓଏମପି କଲୋନିରେ ବିବାହିତା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ଶବ ଉଦ୍ଧାର ଘଟଣାରେ ଯବାନକୁ ବାନ୍ଧିଛି ଟାଉନ ପୁଲିସ। ପୁଲିସ ଆଗରେ ସତ ମାନିଛି ଯବାନ। ନିଜ ସ୍ତ୍ରୀକୁ ଲୁହା ରଡ୍‌ରେ ମାଡ ମାରିବା ପରେ ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ରଚିଥିଲା ଷଢ଼ଯନ୍ତ୍ର।

New Project (15)

କୋରାପୁଟ: କୋରାପୁଟ ସହରର ଓଏମପି କଲୋନିରେ ବିବାହିତା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ଶବ ଉଦ୍ଧାର ଘଟଣାରେ ଯବାନକୁ ବାନ୍ଧିଛି ଟାଉନ ପୁଲିସ। ପୁଲିସ ଆଗରେ ସତ ମାନିଛି ଯବାନ। ନିଜ ସ୍ତ୍ରୀକୁ ଲୁହା ରଡ୍‌ରେ ମାଡ ମାରିବା ପରେ ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ରଚିଥିଲା ଷଢ଼ଯନ୍ତ୍ର। ହତ୍ୟା ପରେ ଗ୍ୟାସର ପାଇପ ଖୋଲି ନିଆଁ ଲଗାଇ ଘର ବାହାରକୁ ଚାଲି ଆସିଥିଲା। ପରେ ଘରୁ ବାହାରକୁ ଧୁଆଁ ବାହାରିବା ପରେ ପଡ଼ୋଶୀଙ୍କୁ ନେଇ ବଞ୍ଚାଇବା ପାଇଁ ପୁଣି ଥରେ ଉଦ୍ୟମ କରିଥିଲା  ସ୍ବାମୀ।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯା‌ୟୀ, ଗତ ୮ ତାରିଖ ରାତିରେ ପ୍ରଥମ ଆଇଆରବି ବାଟାଲିଆନରେ କାର୍ଯ୍ୟରତ ଯବାନ ଶିବ ଶଙ୍କର ପାତ୍ର ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ପଣ୍ଡାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଯବାନ ଶିବ ଶଙ୍କର ରାଗିଯାଇ ଏକ ଲୁହାରୋଡରେ ସ୍ତ୍ରୀ ପ୍ରିୟଙ୍କାଙ୍କ ମୁଣ୍ଡକୁ ମାଡ ମାରିଥିଲା। ସ୍ତ୍ରୀ ପ୍ରିୟଙ୍କା ତଳେ ଅଚେତ ହୋଇ ପଡିଯିବା ପରେ ଡାକ୍ତର ଖାନାକୁ ନେବା ବଦଳ‌ରେ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ପାଇଁ ଗ୍ୟାସ ସିଲିଣ୍ଡରର ପାଇପ ଖୋଲି ନିଆଁ ଲଗାଇ ବାହାରକୁ ଚାଲି ଆସିଥିଲା। ସେହି ସମୟରେ ତାଙ୍କ ମା ଓ ଶିଶୁ କନ୍ୟା ବାହାରେ ଥିଲେ। କିଛି ସମୟ ପରେ ଘରୁ ଧୁଆଁ ବାହାରିବା ପରେ ପୁଣି ପଡ଼ୋଶୀଙ୍କୁ ନେଇ ସ୍ତ୍ରୀକୁ ଉଦ୍ଧାର କରିବା ପାଇଁ ଘରକୁ ପଶିଥିଲେ। ପରେ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିବା ସହ ପ୍ରିୟଙ୍କାଙ୍କ ଅର୍ଦ୍ଧ ଦଗ୍ଧ ଶବ ଉଦ୍ଧାର ହୋଇଥିଲା।

ଗତକାଲି ପ୍ରିୟଙ୍କାଙ୍କ ବାପା ଆନ୍ଧ୍ରର ଟେକିଲି ଗ୍ରାମର ତାରିଣି ପଣ୍ଡା ଥାନାରେ ଏତଲା ଦେବା ପରେ ଟାଉନ ଥାନା କେସ ନଂ ୨୫୧/୨୫ ରେ ହତ୍ୟା,ଯୌତୁକ ନିର୍ଯାତନା , ପ୍ରମାଣ ନଷ୍ଟ କରିବା ଭଳି ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଟାଉନ ପୁଲିସ ଥାନା ଅଧିକାରୀ ସତ୍ୟା ନନ୍ଦ ପାତ୍ର ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲେ। ମୃତକ ପ୍ରିୟଙ୍କାଙ୍କ ସ୍ବାମୀ ଶିବ ଶଙ୍କରକୁ ଉଠାଇ ଆଣି ପଚରାଉଚରା କରିବା ପରେ ଶିବ ଶଙ୍କର ନିଜେ ଘଟଣା ସଂକ୍ରାନ୍ତରେ ସବୁ ସତ ଗୋଟି ଗୋଟି କରି ପ୍ରକାଶ କରିଥିଲା। ପୁଲିସ ପକ୍ଷରୁ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ଆଜି ହତ୍ୟାକା‌ଣ୍ଡରେ ବ୍ୟବହୃତ ଲୁହା ରୋଡକୁ ଜବତ କରିଛି ପୁଲିସ। ଶବ ବ୍ୟବଛେଦ ପ‌ରେ ପ୍ରିୟଙ୍କା ଶବକୁ ପ୍ରିୟଙ୍କାଙ୍କ ବାପା ଘର ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଆଜି ଯବାନ ଶିବ ଶଙ୍କର ପାତ୍ରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନା ଥାଉକି, ଗତ ଯବାନ ଶିବ ଶଙ୍କର ପାତ୍ର  ଗତ ବର୍ଷ ଫେବ୍ରୁଆରି ମାସରେ ଟେକିଲିରେ ପ୍ରିୟଙ୍କାକୁ ବିବାହ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe