ପାଙ୍ଗିଙ୍କ ଲେଉଟାଣି ପାଇଁ ବିଜେଡି ମହଲରେ ଯୋଜନା

ଆଦିବାସୀ ବିକାଶ ପରିଷଦ କେବଳ ରାଜନୈତିକ ଥଇଥାନ ପାଇଁ : ଜୟରାମ  

ବିଜେପି ଛାଡ଼ିବେ ଜୟରାମ ପାଙ୍ଗୀ: ଦଣ୍ଡକାରଣ୍ୟ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ପାଇଁ ଲଢ଼ିବେ

ଜୟପୁର : ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା କୋରାପୁଟ ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ ବିଜେଡି ଜିଲ୍ଲାସଭାପତି ଜୟରାମ ପାଙ୍ଗି ପୁଣି ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷ କରି ବିଜୁ ଜନତା ଦଳ ଭିତରେ ଏଭଳି ଆଲୋଚନା ଜୋର୍‌ ଧରିଥିବା ବେଳେ କିଛି ଦଳୀୟ ନେତା ଏବେ ପାଙ୍ଗିଙ୍କୁ ମନାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଦଳର ଜଣେ ନେତା ସୂଚନା ଦେଇଛନ୍ତି। ପୂର୍ବତନ ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଜୟରାମଙ୍କୁ ଦଳରୁ ନିଲମ୍ବନ କରିବା ଭୁଲ ନିଷ୍ପତ୍ତି ଥିଲା ବୋଲି କହିବା ସହ ଦଳ ଛାଡି ଚାଲିଯିବା ବିଜେଡି ପାଇଁ ନିଶ୍ଚିତ ଭାବେ କ୍ଷତି ବୋଲି କହିଛନ୍ତି। ଯଦିଓ ଦଳରୁ ତାଙ୍କୁ ନିଲମ୍ବନ କରାଗଲା ତେବେ ପରବର୍ତ୍ତୀ ସମୟରେ ତାଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେବା କଥା। ନିଲମ୍ବନ ପରେ ବି ସେ ଦୁଇ ମାସ ଧରି ନିରବ ରହିଥିଲେ ଏବଂ ପରେ ଦଳ ଛାଡି ବିଜେପିରେ ଯୋଗଦେଇଥିଲେ। ପାଙ୍ଗିଙ୍କ ବିଜେପିରେ ଯୋଗଦାନ ପରେ ଦଳ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରିବା ସହ ପୁଣି ତାଙ୍କୁ ମନାଇ ଦଳକୁ ଫେରାଇ ଆଣିବା ପାଇଁ କିଛି ନେତା ଯୋଜନା ପ୍ରସ୍ତୁତ କରୁଥିବା ସଂପୃକ୍ତ ଦଳୀୟ ନେତା ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି ଗତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଦିନ ହିଁ ଜୟରାମ ପାଙ୍ଗିଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଦଳ ପକ୍ଷରୁ ନିଲମ୍ବନ ନେଇ କୌଣସି କାରଣ ବି ଦର୍ଶାଯାଇ ନଥିଲା। ଗତ ମେ ୯ ତାରିଖ ଦିନ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଥିଲେ। ଏ ସଂପର୍କରେ ଜୟରାମ ପାଙ୍ଗି କିନ୍ତୁ ଖୋଲାଖୋଲି ମନା କରିବା ସହ ବିଜେଡିକୁ ଫେରିବା ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି। ବିଜେଡିରେ ଯଦି କେହି ମୋ ଫେରିବାକୁ ନେଇ ଯୋଜନା କରୁଥାନ୍ତି ତେବେ ତାହା ସେହି ଦଳର କଥା କିନ୍ତୁ ଯେଉଁ ଦଳରୁ ମୁହଁ ଫେରାଇ ଆସିଛି ସେହି ଦଳକୁ ଫେରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି। ପ୍ରଥମତଃ ବିଜେଡି ମୋତେ କାହିଁକି ନିଲମ୍ବନ କଲା ତା’ର କାରଣ ଜାଣିପାରିନାହିଁ। ତଥାପି ମୁଁ ଦୁଇ ମାସ ଅପେକ୍ଷା କଲି କିନ୍ତୁ ଦଳ ମୋତେ ଚିହ୍ନି ପାରିଲା ନାହିଁ।  ବର୍ତ୍ତମାନ ବିଜେପିରେ ଅଛି ଏବଂ ମୋର ଏକମାତ୍ର ଲକ୍ଷ୍ୟ ହେଉଛି ଆସନ୍ତା ସାଧାରଣ ନିର୍ବାଚନରେ ମୋ ଦଳକୁ ବିଜୟୀ କରାଇବା। ଏହି ଗୋଟିଏ ଲକ୍ଷ୍ୟ ନେଇ ମୁଁ କାମ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ସରକାର ଯେଉଁ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ କରିଛନ୍ତି ତାହାର କୌଣସି ଆବଶ୍ୟକତା ନାହିଁ ବୋଲି ଶ୍ରୀ ପାଙ୍ଗି କହିଛନ୍ତି। କେବଳ ଦଳର କିଛି କର୍ମକର୍ତ୍ତା ତଥା ଦଳୀୟ ନେତାଙ୍କୁ ଥଇଥାନ କରାଇବା ପାଇଁ ସରକାର ଏଭଳି ପରିଷଦ ଗଠନ କରିଛନ୍ତି ବୋଲି ସେ କହିଛନ୍ତି।  ଆଦିବାସୀ ଜନ ପ୍ରତିନିଧିଙ୍କ କଥାକୁ ଆଦୌ ଗୁରୁତ୍ୱ ଦିଆଯାଉନାହିଁ କି ସେମାନଙ୍କ ଅଧିକାରକୁ କାର୍ଯ୍ୟକାରୀ କରାଯାଉନାହିଁ। ପ୍ରତି ବ୍ଲକ ପାଇଁ ଦେଢ଼ କୋଟି ଟଙ୍କା ପ୍ରଦାନ କରିଦେଲେ ବି ଆଦିବାସୀଙ୍କ ବିକାଶ ହେବନାହଁ ବୋଲି କହିବା ସହ କେବଳ ରାଜନୈତିକ ଥଇଥାନ ପାଇଁ ସରକାର ଏଭଳି ପରିଷଦ ଗଠନ କରିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe