ବଦଳିଛି ପାଗ: କୋରାପୁଟରେ ତାପମାତ୍ରା ୩୭ ଡିଗ୍ରି ସେଲସିୟସ ରେକର୍ଡ

ଆସନ୍ତା ସପ୍ତାହରେ ରାଜ୍ୟର କିଛି ସ୍ଥାନରେ ବଡ଼ଧରଣର ବର୍ଷା ହୋଇପାରେ। ସମ୍ଭବତଃ ଏହି ବର୍ଷା ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇ ୭ଦିନ ପର୍ଯ୍ୟନ୍ତ ଜାରି ରହିପାରିବେ। ଅର୍ଥାତ ନବରାତ୍ରୀ ସମୟରେ ବର୍ଷା ହେବାର ଆଶଙ୍କା ରହିଛି।

New Project (4)

ଭୁବନେଶ୍ବର: ଶରତ ଋତୁରେ ପାଗ ବଦଳିଛି। ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମଋତୁ ଭଳି ଖରା ଅନୁଭୂତ ହେଉଛି। ରାଜ୍ୟର ଅନ୍ୟତମ ଥଣ୍ଡା ସ୍ଥାନ କୋରାପୁଟରେ ମଧ୍ୟ ଆଉ ପୂର୍ବଭଳି ପାଗ ରହୁନାହିଁ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏଠାରେ ୩୭ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଏହାରି ମଧ୍ୟରେ କୁହାଯାଇଛି ଯେ, ଆସନ୍ତା ସପ୍ତାହରେ ରାଜ୍ୟର କିଛି ସ୍ଥାନରେ ବଡ଼ଧରଣର ବର୍ଷା ହୋଇପାରେ। ସମ୍ଭବତଃ ଏହି ବର୍ଷା ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇ ୭ଦିନ ପର୍ଯ୍ୟନ୍ତ ଜାରି ରହିପାରିବେ। ଅର୍ଥାତ ନବରାତ୍ରୀ ସମୟରେ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି। 

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଆସନ୍ତା  ୨୬ ତାରିଖ ଠାରୁ ପାଗ ବଦଳିବ। ସେପ୍ଟେମ୍ବର ୨୯ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ସେପ୍ଟେମ୍ବର ୨୭ ଓ ୨୮ରେ ସବୁଠାରୁ ବେଶି ବର୍ଷା ଆଶଙ୍କା ରହିଛି। ମହାନଦୀ ଅବବାହିକାରେ ବି ଅଧିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ଆସନ୍ତା ୨୩ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ଏହା ୨୬ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ (ଦ୍ଵିତୀୟ) ଲଘୁଚାପ ଦାନା ବାନ୍ଧିବ। ଏହା ଘନୀଭୂତ ହୋଇ ୨୭ ତାରିଖବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ରୂପ ନେବ ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ।

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଗରମ ଓ ଗୁଳୁଗୁଳିର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ଏହି ସମୟ ମଧ୍ୟରେ ଦିନର ତାପମାତ୍ରା ସାଧାରଣ ଠାରୁ ୨ରୁ ୩ ଡିଗ୍ରି ବଢ଼ିବ। ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। ବର୍ତମାନ ଦକ୍ଷିଣ ଅଭ୍ୟନ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଦେଖିବାକୁ ମିଳିବ। 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛ ଯେ, କୋରାପୁଟରେ ୩୭ ଡିଗ୍ରି ସେଲସିୟସ ସହ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଭୁବନେଶ୍ୱରରେ ୩୬.୧ ଓ କଟକରେ ୩୫.୨ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏପରିକି କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଢେଙ୍କାନାଳରେ ସର୍ବାଧିକ ୩୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ଆସନ୍ତା ୨୧ ଓ ୨୨ ତାରିଖରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ସେହିଭଳି ସେପ୍ଟେମ୍ବର ୨୩, ୨୪ ଓ ୨୫ ତାରିଖରୁ ରାଜ୍ୟରେ ବଢିବ ବର୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ବିଜୁଳି ଘଡଘଡିର ପ୍ରଭାବ ସହ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି। 

imd bhubaneswar | Koraput 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe