ଭିତ୍ତିଭୁମି ବିକାଶ ଉପରେ ସରକାରଙ୍କ ଗୁରୁତ୍ବ, ଜୀବିକା ଚିନ୍ତାରେ କୋଟିଆବାସୀ

Advertisment
ଭିତ୍ତିଭୁମି ବିକାଶ ଉପରେ ସରକାରଙ୍କ ଗୁରୁତ୍ବ, ଜୀବିକା ଚିନ୍ତାରେ କୋଟିଆବାସୀ

କୋରାପୁଟ : କୋଟିଆରେ ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶ ପରେ ଏହା ଉପରେ ଓଡ଼ିଶା ସରକାରଙ୍କ ଶୁଭଦୃଷ୍ଟି ପଡିଥିଲା। ବିକାଶର ଛାଇ ଦେଖି ନ ଥିବା ଏହି ବିବାଦୀୟ ଅଂଚଳର ବିକାଶ ପାଇଁ ଟଙ୍କା ଅଜାଡି ଦେଇଥିଲେ ରାଜ୍ୟ ସରକାର। ୧୫୦ କୋଟି ଟଙ୍କାର ପ୍ୟାକେଜ ଦେଇ ଆରମ୍ଭ କରିଥିଲେ ଉନ୍ନୟନମୂଳକ କାମ। ଏହି ପାହାଡ ଖେରା ଆବିଦାସୀ ବହୁଳ ଅଂଚଳରେ ଏବେ ରାସ୍ତା, ଥାନା, ଡାକ୍ତରଖାନା, କ୍ଲଷ୍ଟର କୋଠା ଆଦି ନିର୍ମାଣ ଚାଲିଛି। ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏହି ବ୍ୟାପକ ଯୋଜନାରେ କିନ୍ତୁ କୋଟିଆବାସୀଙ୍କ ପେଟ ପୁରୁନି। ବରଂ, ସେମାନଙ୍କ ଜୀବନଜୀବିକା ପାଇଁ ସରକାର କୌଣସି ଠୋସ ପଦକ୍ଷେପ ନେଇ ନ ଥିବାରୁ ମନ ଭିତରେ ଅସନ୍ତୋଷ ଦାନା ବାନ୍ଧିଛି। ଏପରିକି ଏଥିନେଇ ସରକାର ଏବେଠାରୁ ଧ୍ୟାନ ନ ଦଲେ ଆଗକୁ ସ୍ଥିତି ବିଗିଡିବାର ବି ଆଶଙ୍କା ରହିଛି।

କୋରାପୁଟ ଜିଲ୍ଳା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତର ୨୧ଟି ଗାଁ ଓ ୭ଟି ପଡାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ଭିତରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ୧୯୬୮ରୁ ଚାଲିଥିବା ଏହି ବିବାତଦ ନେଇ ଅଦାଲତକୁ କଥା ଯାଇଥିଲାବେଳେ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ କହିଛନ୍ତି। ଏପଟେ ଗତ ୨୦୧୮ ଜାନୁଆରୀରେ ଆନ୍ଧ୍ର ଏହି ବିବାଦୀୟ କୋଟିଆ ଅଂଚଳରେ ଅନୁପ୍ରବେଶ କରି ଭତ୍ତା ଓ ଅନ୍ୟାନ୍ୟ ସହାୟତା ବାଣ୍ଟିବା ପରେ ଚିହିଁକି ଉଠିଥିଲେ ଓଡ଼ିଶା ସରକାର। ଏହି ଅଂଚଳରେ ବିକାଶ ପାଇଁ ଓଡ଼ିଶା ସରକାର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ସହ ପ୍ରାୟ ୧୫୦ କୋଟି ଟଙ୍କାର ପ୍ୟାକେଜ ଦେଇଥିଲେ। ଏହି ଟଙ୍କାରେ ଏବେ କୋଟିଆରେ ଉନ୍ନୟନମୂଳକ କାମ ଚାଲିଛି। ଥୁରିଆଠାରୁ କୋଟିଆ ପର୍ଯ୍ୟନ୍ତ ଚଉଡା ପିଚୁ ରାସ୍ତା କାମ ଶେଷ ହୋଇଥିଲାବେଳେ ବିଭିନ୍ନ ଗାଁକୁ ରାସ୍ତା କାମ ଚାଲିଛି। କୋଟିଆରେ ୩ ମହଲା ଥାନା ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କ୍ଲଷ୍ଟର କୋଠା ଓ ଡାକ୍ତରଖାନା ନିର୍ମାଣ ମଧ୍ୟ ଶେଷ ହୋଇଛି। କୋଟିଆରେ ଠିଆ ହେଲେ ବିକାଶର ଚିତ୍ର ସ୍ପଷ୍ଟ ଦେଖା ଯାଉଛି। କିନ୍ତୁ କୋଟିଆବାସୀ ଏହାକୁ ନେଇ ବେଶୀ ଖୁସି ହୋଇ ପାରୁ ନାହାନ୍ତି। କାରଣ ସେମାନଙ୍କ ଜୀବନଜୀବିକାର ଉନ୍ନତି ପାଇଁ କୌଣସି ବଡ ପଦକ୍ଷେପ ନିଆଯାଇନି। ଆଗରୁ ଯେମିତି ଚଳୁଥିଲେ, ଏବେ ମଧ୍ୟ ସେମିତି। ବାହାରକୁ ଯାଇ କୁଲି କାମ କଲେ ଚୁଲି ଚଳୁଛି। କୋଟିଆରେ ବ୍ୟାପକ ସୁଯୋଗ ଥିବା ସତ୍ତ୍ବେ ଏ ଦିଗରେ ପ୍ରଶାସନ ଧ୍ୟାନ ଦେଇ ନ ଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢୁଛି।

କୋଟିଆ ଅଂଚଳରେ ଚାଷ ପାଇଁ ବ୍ୟାପକ ସୁଯୋଗ ରହିଛି। ଝରଣାରୁ ଅନବରତ ପାଣି ଆସୁଥିବାରୁ ଏହାକୁ ଚାଷ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ଏହି ଝରଣା ପାଣିକୁ ବନ୍ଧ କରି ସଂରକ୍ଷିତ କରି ରଖିବାକୁ ଅଂଚଳବାସୀ ମଧ୍ୟ ବହୁତ ଥର ଅନୁରୋଧ କଲେଣି। ବନ୍ଧରେ ପାଣି ରହିଲେ, ଏହାକୁ ଚାଷ କାମରେ ବ୍ୟବହାର କରାଯାଇପାରିବ। ଏହି ଅଂଚଳରେ ଅଦା, ହଳଦୀ ସହ ପନିପରିବା ଚାଷ ହୋଇପାରିବ ବୋଲି ଲୋକମାନେ କହିଛନ୍ତି। କଫି ଚାଷ ପାଇଁ ମଧ୍ୟ ସୁଯୋଗ ରହିଛି। କିନ୍ତୁ ପାଣିକୁ ଗଛିତ ରଖିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଏହା ଚାଷ କାମରେ ନ ଲାଗି ନଷ୍ଟ ହେଉଛି। ଏପଟେ ପର୍ଯ୍ୟଟନ ପାଇଁ ମଧ୍ୟ ବେଶ ସୁଯୋଗ ରହିଛି ଏହି ଅଂଚଳରେ। କୋଟିଆ ପଞ୍ଚାୟତ ଅଧୀନରେ ଦେଓମାଳି ରହିଥିଲାବେଳେ ଏହାର ପରିଚାଳନା ପାଇଁ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେବାକୁ ଦାବି ଉଠିଛି। କେବଳ ଦେଓମାଳି ନୁହଁ, ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ କରାଗଲେ ଲୋକେ ଜୀବନଜୀବିକା ପାଇ ପାରିବେ ବୋଲି କୋଟିବାସୀ ରଂଜିତ ପାଙ୍ଗୀ କହିଛନ୍ତି। ତାଙ୍କ କହିବାନୁଯାୟୀ, ଖାଲି ରାସ୍ତାଘାଟ କି କୋଠା କରିଦେଲେ ଲୋକଙ୍କ ପେଟ ପୁରିବନି। ଲୋକେ କେମିତି ରୋଜଗାର ପାଇବେ, ସମ୍ମାନର ସହ ଜୀବନ ଜିଇଁ ପାରିବେ ତାକୁ ଗୁରୁତ୍ବ ଦେବା ଆବଶ୍ୟକ। ଚାଷ ପାଇଁ ଚେକଡ୍ୟାମ, ପୋଖରୀ ଆଦି ହେଲେ ଲୋକମାନଙ୍କର ସୁବିଧା ହେବ। ଲୋକେ ମାଛ ଚାଷ ମଧ୍ୟ କରିପାରିବେ। ଗାଇ, ଛେଳି, କୁକୁଡ ଚାଷ ପାଇଁ ମଧ୍ୟ ଲୋକଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ କହିଛନ୍ତି ଯେ, ସରକାର ବିକାଶ କଥା କହୁଥିଲେ ମଧ୍ୟ ଏହାର ସିଧାସଳଖ ଫାଇଦା ଲୋକଙ୍କ ପାଖରେ ପହଞ୍ଚୁନି। ଲୋକଙ୍କୁ ରୋଜଗାର ନ ଦେଇ କୋଠା ନିର୍ମାଣ କରିଦେଲେ ଲୋକଙ୍କର କି ଲାଭ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ଓଡ଼ିଶାର ଏହି ଦୁର୍ବଳ ନୀତିର ଫାଇଦା ନେବାକୁ ଉଦ୍ୟମ କରୁଛି ଆନ୍ଧ୍ର। ବିବାଦୀୟ ଅଂଚଳରେ ପୋଖରୀ ଖୋଳିବା କାମ ଆରମ୍ଭ କରିଛି ଆନ୍ଧ୍ର। ଜୀବିକା ପାଇଁ ଲୋକେ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି। ଫଳରେ ଆଗକୁ ଏହା ଓଡ଼ିଶା ପାଇଁ ସମସ୍ୟା ବଢାଇବାର ଆଶଙ୍କା ଏବେଠାରୁ ଜଳ ଜଳ ଦିଶିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe