ଧାନର ଉତ୍ପତି ସ୍ଥଳରେ ଦେଶୀ ଧାନ ଗାଏବ

ଧାନର ଉତ୍ପତି ସ୍ଥଳରେ ଦେଶୀ ଧାନ ଗାଏବ

ଜୟପୁର: ଧାନର ଉତ୍ପତି ସ୍ଥଳି କୁହାଯାଉଥିବା କୋରାପୁଟ ଜିଲ୍ଲାର ଜୟପୁର ଅଂଚଳରେ ଦେଶୀ ଧାନ ଏବେ ଗାୟବ। ଏବେ ସବୁ ଚାଷୀଙ୍କର ଅଧିକା ଅମଳକ୍ଷମ ହାଇବ୍ରୀଡ ଧାନ ପ୍ରିୟ। ଅଧିକା ଧାନ ଅମଳକୁ ଲକ୍ଷ୍ୟରେ ରଖି ଚାଷୀମାନେ ହାଇବ୍ରୀଡ ଧାନର ଚାଷକୁ ପ୍ରଥମ ଓ ବିହନ ନିଗମ ଦ୍ବାରା ବିକ୍ରୀ ହେଉଥିବା ଅଧିକ ଅମଳକ୍ଷମ ଧାନର ବିହନକୁ ଦ୍ବିତୀୟରେ ରଖି ଚାଷ କରୁଛନ୍ତି। ଉଭୟ ଧାନ ଚାଷରେ ଅଧିକ ଅମଳକ୍ଷମ କରିବା ପାଇଁ ଅଧିକା ରାସାୟନିକ ସାର, କୀଟନାଶକ ପକାଇବା ଦ୍ବାରା ଜମିର ଉର୍ବରତା ଓ ଜୈବ ବିବିଧତା ବି ନଷ୍ଟ ହେଉଛି। ଶତ ପ୍ରତିଶତ ଚାଷୀଙ୍କ ମଧ୍ୟରୁ ଜଣେ କି ଦୁଇ ଜଣ ଚାଷୀ ହିଁ ଦେଶୀ ଧାନ ଚାଷ କରୁଛନ୍ତି।

ଜିଲ୍ଲାରେ ଏମଏସ୍ ସ୍ବାମୀନାଥନ ଗବେଷଣା କେନ୍ଦ୍ର, ଜିଲ୍ଲା ସଂଗ୍ରହାଳୟ, ପଦ୍ମଶ୍ରୀ କମଳା ପୁଜାରୀ, ଚାଷୀ ନେତ୍ରାନନ୍ଦ ଲେଙ୍କା, କୋରାପୁଟ ଆଦିବାସୀ ସଂଗ୍ରହଳାୟକୁ ବାଦ ଦେଲେ କିଛି ବ୍ୟକ୍ତିଙ୍କ ନିକଟରେ ପୁରୁଣା ତଥା ପାରମ୍ପରିକ ବିହନ ଅଳ୍ପ ପରିମାଣର ନମୁନା ସଦୃଶ୍ୟ ରହିଛି। ଜିଲ୍ଲାରେ ତଥା ଖାସ୍ କରି ଜୟପୁର ଅଂଚଳରେ ୧୨୪ରୁ ଉର୍ଦ୍ଧ୍ବ ସଂଖ୍ୟକ ହିଁ ଦେଶୀ ଧାନର ନମୁନା ବଂଚି ରହିଥିବା ବେଳେ ପୂର୍ବରୁ ୨ହଜାରରୁ ଉର୍ଦ୍ଧ୍ବ ଦେଶୀ ବିହନ ରହିଥିବା କହିଛନ୍ତି ପଦ୍ମଶ୍ରୀ କମଳା ପୁଜାରୀ। ୨୨୦ରକମର ଦେଶୀ ବିଭିନ୍ନ ରକମର ଧାନର ନମୁନା ସହ କିଛି ଧାନ ଅଧିକ ପରିମାଣର ରଖିଥିବା କହିଛନ୍ତି ପଦ୍ମଶ୍ରୀ କମଳା ପୁଜାରୀ। ଖାସ୍ କରି ଧାନର ଉତ୍ପତି ସ୍ଥଳି ହୋଇଥିବାରୁ ବିଶିଷ୍ଟ ବୈଜ୍ଞାନିକ ଏମଏସ୍ ସ୍ବାମୀନାଥନ ବି ଏଠାରେ ଗବେଷଣା କେନ୍ଦ୍ର ସ୍ଥାପନ କରି ଏହି ସବୁ ଧାନର ବିହନକୁ ସାଇତି ରଖିବାରେ ପ୍ରୟାସ ଜାରି ରଖିଛନ୍ତି। ଆସାମ ଚୁଡ଼ି, ଉମୂରିଆ ଚୁଡ଼ି, ମହୁରୀ, କଳାବତୀ, ହାଣ୍ଡିଶାଳ, ମଲାଗଣ୍ଡା, ସମୁଦ୍ରବାଲି, କଳାଜୀରା, କାହ୍ନୁ, କଳାମାଳୀ, ସୋରିଷ ରାଣୀ ଆଦି ୨୮୭ କିସମର ଧାନ ଚାଷ କରି ଏହି ଦେଶୀ ଧାନକୁ ବଂଚାଇ ରଖିବାର ପ୍ରୟାସ କରୁଛନ୍ତି ଚାଷୀ ନେତ୍ରାନନ୍ଦ ଲେଙ୍କା।

ଚାଷୀ ଚନ୍ଦନ ପଟ୍ଟନାୟକ, ମନୋଜ ପାତ୍ର, ଅଶୋକ ମିଶ୍ର, ପ୍ରବୀଣ ପାଣିଗ୍ରାହୀ, ରାମ ପୁଜାରୀ, ନିଳାମ୍ବର ଜାନୀ, ଧନସାଇ ଭତରା ଆଦିଙ୍କ କହିବା ମୁତାବକ , ଦେଶୀ ଧାନ ପୂର୍ବରୁ ଚାଷ କରାଯାଉଥିଲା। ଏକର ପିଛା ଏହା ୫ରୁ ୧୦କୁଇଣ୍ଟାଲ ଧାନ ଅମଳ ହେବା ସହ ୧୨୦ରୁ ୧୫୫ଦିନରେ ଏହା ଚାଷ ହେଉଛି। ଅନ୍ୟ ପକ୍ଷରେ ହାଇବ୍ରୀଡ ଓ ବିହନ ନିଗମ ଦ୍ବାରା ବିକ୍ରୀ ହେଉଥିବା ଅଧିକା ଅମଳକ୍ଷମ ଧାନ ବି ଚାଷୀ ଚାଷ କରୁଛନ୍ତି। ବହୁ କମ୍ ଚାଷୀ ହିଁ ଏବେ କଳାଜିରା, ଆସାମଚୁଡ଼ି, ଯଜାତି ଆଦି ପୁରୁଣା ପାରମ୍ପରିକ ବିହନର ଚାଷ କରୁଛନ୍ତି। ଦେଶୀ ଧାନ ଏହି ସ୍ଥିତିରେ ସଂପ୍ରତି ସମ୍ପୂର୍ଣ୍ଣ ରୁପେ ଗାୟବ ହୋଇଛି। ଅଧିକା ଧାନ ଅମଳ ଆଶାରେ ହାଇବ୍ରୀଡ ଓ ଅଧିକା ଅମଳକ୍ଷମ ଧାନ ଚାଷୀ ମାନେ ଚାଷ କରିବା ସହ ଅଧିକ ରାସାୟନିକ ସାର୍ ଓ କୀଟନାଶକ ଔଷଧ ପକାଉଛନ୍ତି। ଦେଶୀ ଧାନକୁ କିଭଳି ସଂରକ୍ଷିତ କରି ରଖାଯିବା ସହ ଅଂଚଳର ଜୈବବିବିଧତା ଓ ମାଟିର ମୃତ୍ତିକାକୁ ବଂଚା ଯାଇହେବ ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ। ଏହା ଫଳରେ ଧିରେ ଧିରେ ଏହି ସ୍ଥିତିରେ ପାରମ୍ପରିକ ଚାଷ ଓ ବିହନ କିସମ ବି ଲୋପ ପାଇବା ସହ ଜମିର ଉର୍ବରତା ଓ ଜୈବ ବିବିଧତା ହରାଇବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe